ପାତ୍ରପଡ଼ା ହିଟ୍ ଆଣ୍ଡ ରନ୍ ମାମଲାରେ ଥାର୍ ସହ ରେସିଂ କରୁଥିବା ସ୍କର୍ପିଓ ଡ୍ରାଇଭର୍ ସହ ଆଉ ଜଣଙ୍କୁ ଗିରଫ କରିଛି ପୋଲିସ। ଦୁର୍ଘଟଣା ଘଟାଇଥିବା ଥାର୍ ଚାଳକକୁ ଏ ଯାଏଁ ବି ଧରିପାରୁନି ପୋଲିସ।
Credit: OTV
ସ୍କର୍ପିଓ
ଭୁବନେଶ୍ବର ପାତ୍ରପଡ଼ା ହିଟ୍ ଆଣ୍ଡ ରନରେ ମା’ ଓ ଝିଅଙ୍କ ମୃତ୍ୟୁ ମାମଲାରେ କିଲର୍ ଥାର୍ ସହ ରେସିଂ କରୁଥିବା ସ୍କର୍ପିଓ ଡ୍ରାଇଭରକୁ ଧରି ପାରିଲା ପୋଲିସ। ହେଲେ ଏଯାଏଁ ପାଇଲାନି ଥାର୍ ଡ୍ରାଇଭର୍ ସୁରାକ୍। ଏହି ମାମଲାରେ ଗତକାଲି ସ୍କର୍ପିଓ ଡ୍ରାଇଭର୍ ସହ ୨ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ।
ଗିରଫ ୨ ଜଣ ହେଉଛନ୍ତି ଗଙ୍ଗପଡ଼ାର ଅଙ୍କିତ ସ’ ଓ ପେଣ୍ଠକଟାର କୃଷ୍ଣଚନ୍ଦ୍ର ପ୍ରଧାନ। କୁହାଯାଉଛି, ୨୨ ବର୍ଷୀୟ ଅଙ୍କିତ ରାକ୍ଷୀ ପୂର୍ଣ୍ଣିମା ରାତିରେ ସ୍କର୍ପିଓ ଚଳାଉଥିଲେ ଏବଂ ଥାର୍ ଗାଡ଼ି ସହ ରେସିଂ କରୁଥିଲେ। ଆଉ ସେହି ରେସିଂ ବେଳେ ପାତ୍ରପଡ଼ା ଠାରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା।
ଯେଉଁ ଦୁର୍ଘଟଣାରେ ମାନସ ରାଉଳଙ୍କ ପତ୍ନୀ ଓ ତାଙ୍କ ୮ ବର୍ଷିୟା କୁନି ଝିଅର ଜୀବନ ଯାଇଥିଲା। ଏହାକୁ ନେଇ ୨ ଦିନ ଧରି ରାସ୍ତାରୋକ କରିଥିଲେ ସଂପର୍କୀୟ ଏବଂ ସ୍ଥାନୀୟ ବାସିନ୍ଦା। କିନ୍ତୁ ଏଯାଏଁ ଦୁର୍ଘଟଣା ଘଟାଇଥିବା କିଲର୍ ଥାର୍ କିଏ ଚଳାଉଥିଲା, ତାହା ସ୍ପଷ୍ଟ ହୋଇନି କି ଚାଳକ ବି ଧରାପଡ଼ିନି। ଥାର୍ କୁ ଜଟଣୀ ଥାନା ଅଞ୍ଚଳରୁ ଜବତ କରି ଆଣିଛି ଖଣ୍ଡଗିରି ପୋଲିସ।





