Nanda Utsav: ଶ୍ରୀମନ୍ଦିରରେ ଆଜି ନନ୍ଦ ଉତ୍ସବ, ଦୋଳିରେ ବିଜେ ହେବେ ମଦନ ମୋହନ

nanda-utsav:-ଶ୍ରୀମନ୍ଦିରରେ-ଆଜି-ନନ୍ଦ-ଉତ୍ସବ,-ଦୋଳିରେ-ବିଜେ-ହେବେ-ମଦନ-ମୋହନ

ଜନ୍ମାଷ୍ଟମୀ ପରଦିନ ଭାଦ୍ରବ କୃଷ୍ଣ ନବମୀ ତିଥିରେ ପାଳନ ହେବ ନନ୍ଦ ଉତ୍ସବ। ଆସନ୍ତାକାଲି ବନଭୋଜି ବେଶ, କୋଳିବିକା, ବକାସୁର ଓ ଅଘାସୁର ବଧ ନୀତି ଅନୁଷ୍ଠିତ ହେବ।

ଶ୍ରୀମନ୍ଦିରରେ ଆଜି ପାଳିତ ହେବ ନନ୍ଦ ଉତ୍ସବ। ଜନ୍ମାଷ୍ଟମୀ ପର ଦିନ ଭାଦ୍ରବ କୃଷ୍ଣ ନବମୀ ତିଥିରେ ମଙ୍ଗଳ ଆଳତି ପରେ ମହାଜନ ସେବକମାନେ ରାମ-କୃଷ୍ଣ ଦୁଇ ଚଳନ୍ତି ଦେବ ବିଗ୍ରହଙ୍କୁ ହାତରେ ବିଜେ କରାଇ ଜଗମୋହନସ୍ଥିତ ଦୋଳିରେ ବସାଇବେ। ଦକ୍ଷିଣି ଘରୁ ମଦନ ମୋହନ ଆସି ଦୋଳିରେ ବିଜେ ହେବେ। ବିଜୁଳି କନ୍ୟାକୁ ମାରିବା ନୀତି ଏବଂ ଶ୍ରୀଦୁର୍ଗା ଦେବୀ ଭଣ୍ଡାର ଘରକୁ ବାହୁଡ଼ା ବିଜେ ଆଦି ନୀତିକାନ୍ତି ପରେ, ନନ୍ଦୋତ୍ସବ ନିମନ୍ତେ ରାମ, କୃଷ୍ଣ ଓ ମଦନମୋହନଙ୍କୁ ଏକ ଖଟ ଉପରେ ବିଜେ କରାଯିବ।

ସେମାନଙ୍କର ମାଜଣା, ମାଳଫୁଲ ଲାଗି ଓ ବେଶ କରି, ସାତପାହାଚ ଦ୍ବାରରେ ଥିବା ପାଲିଙ୍କିରେ ବିଜେ ହୋଇ ଲକ୍ଷ୍ମୀ ମନ୍ଦିର ଜଗମୋହନରେ ପଡ଼ିଥିବା ଖଟ ଉପରେ ବିଜେ କରାଯିବ। ଏହାପରେ ଭିତରଚ୍ଛ ମହାପାତ୍ର ନନ୍ଦ ରାଜା ରୂପରେ ପୁରୀ ଶ୍ରୀନଅରକୁ ଯିବେ ଏବଂ ସେଠାରୁ ଫେରିଆସି ସ୍ନାନ ମଣ୍ଡପଠାରେ ବସିବେ। ତାଟଲେଙ୍କା ଗୋଟିଏ ଦୁହାଁଳି ଗାଈ ଲକ୍ଷ୍ମୀଙ୍କ ମନ୍ଦିର ପାଖକୁ ଆଣିବେ। ଗୋ-ଦୋହନ ପରେ ଚଳନ୍ତି ପ୍ରତିମାମାନଙ୍କୁ ରୂପା ପିଙ୍ଗଣରେ ଦୁଗ୍ଧ ସମର୍ପଣ, ପ୍ରସାଦ ଲାଗି ଓ ରାଶି କୋରା ମଣୋହି ଓ ବନ୍ଦାପନା ନୀତି ଆଦି କରାଯିବ।

ନନ୍ଦରାଜା ପୁଅମାନଙ୍କୁ ଧରି ଜଗମୋହନରେ ବନ୍ଧା ହୋଇଥିବା ଦୋଳିରେ ବିଜେ କରାଇବେ। ଏହାପରେ ରାମ, କୃଷ୍ଣ ଓ ମଦନମୋହନ ଚଳନ୍ତି ପ୍ରତିମାମାନେ ଦକ୍ଷିଣି ଘରକୁ ବିଜେ କରିବେ। ନନ୍ଦ ଉତ୍ସବ ନିମନ୍ତେ ୨୦ରୁ ଅଧିକ ସେବକଙ୍କର ଆବଶ୍ୟକତା ପଡ଼ିଥାଏ। ଆସନ୍ତାକାଲି ଭାଦ୍ରବ କୃଷ୍ଣ ଦଶମୀରେ ବନଭୋଜି ବେଶ, କୋଳିବିକା, ବକାସୁର ଓ ଅଘାସୁର ବଧ ନୀତି ଆଦି ଅନୁଷ୍ଠିତ ହେବ।

Also Read

ଅଧିକ ପଢନ୍ତୁ: ଆଜି ଜନ୍ମାଷ୍ଟମୀ, ରାଶି ଅନୁସାରେ କି ଭୋଗ ଅର୍ପଣ କଲେ ଶୁଭଫଳ ମିଳିବ ?

ଓଟିଭି ହ୍ଵାଟ୍ସଅପ

Scroll to Top