Buying gold on Akshaya Tritiya: ଅକ୍ଷୟ ତୃତୀୟାରେ କାହିଁକି କିଣାଯାଏ ସୁନା ? ଜାଣନ୍ତୁ ଏହା ପଛରେ ଥିବା ବଡ ରହସ୍ୟ

buying-gold-on-akshaya-tritiya:-ଅକ୍ଷୟ-ତୃତୀୟାରେ-କାହିଁକି-କିଣାଯାଏ-ସୁନା-?-ଜାଣନ୍ତୁ-ଏହା-ପଛରେ-ଥିବା-ବଡ-ରହସ୍ୟ

ନୂଆଦିଲ୍ଲୀ ୧୯।୦୪; ପ୍ରତିବର୍ଷ ଅକ୍ଷୟ ତୃତୀୟା ଆସିଲେ ବଜାରରେ ଭିଡ ବଢ଼ିଯାଏ । ବିଶେଷ କରି ସୁନା ଦୋକାନରେ ଭିଡ଼ , ଅନଲାଇନରେ ମନଲୋଭା ଅଫର ଅଧିକ ବଢ଼ିଯାଏ । କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ଦିନରେ ସୁନା କିଣିବାର ପରମ୍ପରା କାହିଁକି ଥାଏ ? ଲୋକ କେବଳ ଏହି ଧାରାକୁ ନେଇ ସୁନା କିଣୁଛନ୍ତି ନା ଏହା ପଛରେ କୌଣସି ଧାର୍ମିକ ଚିନ୍ତାଧାରା ରହିଛି ? ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ମାନ୍ୟତା ଅନୁସାରେ ଅକ୍ଷୟ ତୃତୀୟା କେବଳ କିଣାକିଣିର ଦିନ ନୁହେଁ ବରଂ ଆଶା,ସମୃଦ୍ଧି ଏବଂ ନୂତନ ଆରମ୍ଭର ପ୍ରତିକ । ଯେଉଁ କାରଣରୁ ଲୋକମାନେ ଏହି ଦିନକୁ ସମୃଦ୍ଧ ଏବଂ ଅକ୍ଷୟ କରିବା ପାଇଁ ସୁନା ଏବଂ ଦାମୀ ଜିନିଷ କିଣି ଅକ୍ଷୟ ତୃତୀୟା ପାଳନ କରିଥା’ନ୍ତି । ହିନ୍ଦୁ ଶାସ୍ତ୍ର ଅନୁସାରେ ବୈଶାଖ ମାସର ଶୁଭ ପକ୍ଷର ତୃତୀୟ ଦିନରେ ଅକ୍ଷୟ ତୃତୀୟା ପାଳନ କରାଯାଏ । ଏହି ଦିନ କୌଣସି ଶୁଭ ମୁହୂର୍ତ୍ତ ନ ଦେଖି ଶୁଭ କାମର ଆରମ୍ଭ କରାଯାଇପାରିବ । ବିବାହ, ଗୃହନିର୍ମାଣ, ନୂତନ ବ୍ୟବସାୟ କିମ୍ବା ନିବେଶକୁ ଏହି ଦିନ ଶୁଭ ବୋଲି କୁହାଯାଏ । ଅକ୍ଷୟ ଶବ୍ଦର ଅର୍ଥ ହେଉଛି ଯାହା କେବେ ଶେଷ ହୁଏ ନାହିଁ । କୁହାଯାଏ ଯେ ଏହି ଦିନରେ କରାଯାଇଥିବା ଦାନ, ପୂଜା କିମ୍ବା ନିବେଶ କେବେ ନଷ୍ଟ ହୁଏ ନାହିଁ ବରଂ ବଢ଼ିବାରେ ଲାଗେ । ଏହି ଚିନ୍ତାଧାରା ଲୋକମାନଙ୍କୁ ସୁନା କିଣିବାକୁ ପ୍ରେରଣା ଦିଏ । କାରଣ ସୁନାକୁ ସ୍ଥାୟୀ ଧନର ପ୍ରତିକ ଭାବରେ ଦେଖାଯାଏ । ସୁନା କେବଳ ଏକ ଧାତୁ ନୁହେଁ ବରଂ ଭାରତୀୟ ସଂସ୍କୃତିରେ ସମୃଦ୍ଧି, ସୁରକ୍ଷା ଏବଂ ସମ୍ମାନର ପ୍ରତିକ । ଅକ୍ଷୟ ତୃତୀୟାରେ ସୁନା କିଣିବାର ପରମ୍ପରା ଅନେକ ଧାର୍ମିକ ବିଶ୍ୱାସ ସହିତ ଜଡ଼ିତ ।

ମାନ୍ୟତା ରହିଛି କି ଏହି ଦିନ ମା’ ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ଭକ୍ତଙ୍କ ଉପରେ ରହିଥାଏ । ସୁନାକୁ ଦେବୀ ଲକ୍ଷ୍ମୀଙ୍କ ପ୍ରତିକ ବୋଲି କୁହାଯାଏ ତେଣୁ ଏହି ମୂଲ୍ୟବାନ ଧାତୁକୁ ଘରକୁ ଆଣିବା ଦ୍ବାରା ସମୃଦ୍ଧିର ଆଗମନ ହୁଏ ବୋଲି ଲୋକମାନଙ୍କ ବିଶ୍ବାସ ରହିଛି । ଅନେକ ପରିବାରରେ ଅକ୍ଷୟ ତୃତୀୟା ଦିନ ଅଳଙ୍କାର କିଣିବା ଏକ ପରମ୍ପରା ଭଳି ପାଳନ କରାଯାଏ । ପୌରାଣିକ କଥା ଅନୁସାରେ, ଏହି ଦିନ କୁବେରଙ୍କୁ ଧନର ଦେବତା ରୂପେ ଉପାଧି ଦିଆଯାଇଥିଲା । ତେଣୁ ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି ସମୟରେ କରାଯାଇଥିବା ନିବେଶ କିମ୍ବା କ୍ରୟ ଦ୍ୱାରା ଧନ ବୃଦ୍ଧି ହୁଏ । ଅକ୍ଷୟ ତୃତୀୟାର ପ୍ରକୃତ ବାର୍ତ୍ତା ହେଉଛି “ଅକ୍ଷୟ ଫଳ” ଅର୍ଥାତ୍ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସକରାତ୍ମକତା । ଯଦି ସୁନା କିଣିବା ସମ୍ଭବ ନୁହେଁ ତେବେ ଆପଣ ଅନେକ ଜିନିଷ ମଧ୍ୟ କିଣିପାରିବେ ଯେମିତିକି ଘରକରଣା ଜିନିଷପତ୍ର , ରୂପା କିମ୍ବା ପିତ୍ତଳ ବାସନ।

Also Read- Akshaya Tiritiya 2026: ଅକ୍ଷୟ ତୃତୀୟାରେ ସୃଷ୍ଟି ହେଉଛି ରାଜଯୋଗ, ତିନୋଟି ରାଶି ବ୍ୟକ୍ତିଙ୍କର ହେବ ଜବଦସ୍ତ ଫାଇଦା

Scroll to Top