ସୁ୍ପ୍ରିମକୋର୍ଟଙ୍କ ଐତିହାସିକ ରାୟ. ଅଭିଯୁକ୍ତଙ୍କଠୁ ଲୁଚା ଯାଇପାରିବନି ଚାର୍ଜସିଟ୍ ଡକ୍ୟୁମେଣ୍ଟ
ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ କୌଣସି ଅଭିଯୁକ୍ତକୁ ଚାର୍ଜସିଟ୍ (ଅଭିଯୋଗଫର୍ଦ୍ଦ)ର ଡକ୍ୟୁମେଣ୍ଟ ଦେଖିବା ଅଥବା ପ୍ରାପ୍ତ କରିବାରୁ ବଞ୍ଚିତ କରାଯାଇ ପାରିବନି।
Published By: Biswanath – Prameya-News7 Bureau | June 06, 2026 09:40 PM
NEWS7
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ କୌଣସି ଅଭିଯୁକ୍ତକୁ ଚାର୍ଜସିଟ୍ (ଅଭିଯୋଗଫର୍ଦ୍ଦ)ର ଡକ୍ୟୁମେଣ୍ଟ ଦେଖିବା ଅଥବା ପ୍ରାପ୍ତ କରିବାରୁ ବଞ୍ଚିତ କରାଯାଇ ପାରିବନି। କୋର୍ଟ କଡ଼ା ଶବ୍ଦରେ କହିଛନ୍ତି ଯେ ଯଦି ଏହି ଡକ୍ୟୁମେଣ୍ଟକୁ ଲୁଚାଗଲା ତେବେ ଏହା ଅଭିଯୁକ୍ତର ନିରପେକ୍ଷ ଶୁଣାଣି ଅଧିକାର ଉପରେ ଆଘାତ ବୋଲି ବୁଝାଯିବ, ଯାହା ସମ୍ବିଧାନର ଅନୁଚ୍ଛେଦ ୨୧ରେ ଦିଆଯାଇଥିବା ବଞ୍ଚିବାର ଅଧିକାରର ଏକ ଅଂଶବିଶେଷ। ଏହି ଆଦେଶ ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଜେ.କେ.ମାହେଶ୍ୱରୀ ଓ ଜଷ୍ଟିସ୍ ଏ.ଏସ୍.ଚନ୍ଦୁରକରଙ୍କ ପୀଠ ଅବସରପ୍ରାପ୍ତ ମେଜର ଜେନେରାଲ ତଥା ‘ର’ର ପୂର୍ବତନ ଅଧିକାରୀ ଭି.କେ. ସିଂହଙ୍କ ନିବେଦନ ଉପରେ ଦେଇଛନ୍ତି।
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି
ସିଂହଙ୍କ ବିରୋଧରେ ତାଙ୍କର ୨୦୦୭ ମସିହାରେ ପ୍ରକାଶିତ ପୁସ୍ତକ ‘ଇଣ୍ଡିଆଜ୍ ଏକ୍ସଟର୍ଣ୍ଣାଲ ଇଣ୍ଟେଲିଜେନ୍ସ- ସିକ୍ରେଟସ୍ ଅଫ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ’ରେ ଗୋପନୀୟ ସୂଚନା ପ୍ରକାଶନ କରିବା ନିମନ୍ତେ ଅଫିସିଆଲ ସିକ୍ରେଟସ୍ ଆକ୍ଟରେ ମାମଲା ରୁଜୁ ହୋଇଥିଲା। ତେବେ ସିବିଆଇ ତାଙ୍କୁ ଚାର୍ଜସିଟ୍ ଡକ୍ୟୁମେଣ୍ଟ ଅତ୍ୟଧିକ ସମ୍ବେଦନଶୀଳ ଓ ଜାତୀୟ ସୁରକ୍ଷା ନିମନ୍ତେ ବିପଦଜନକ କହି ସିଂହଙ୍କୁ ଦେବାକୁ ବିରୋଧ କରିଥିଲା। ହେଲେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯେହେତୁ ଏହି ଡକ୍ୟୁମେଣ୍ଟ ଚାର୍ଜସିଟ୍ ର ଅଂଶବିଶେଷ ଓ ଅଭିଯୁକ୍ତ ବିରୋଧରେ ଉପଯୋଗ ହେଉଛି ଏଣୁ ଏହାକୁ ରୋକା ଯାଇ ପାରିବନି।
ଜାତୀୟ ସୁରକ୍ଷା ଓ ନାଗରିକର ମୌଳିକ ଅଧିକାର ମଧ୍ୟରେ କୋର୍ଟଙ୍କ ଭାବପୂର୍ଣ୍ଣ ସନ୍ତୁଳନ
କୋର୍ଟ ସିଂହଙ୍କୁ ଅତ୍ୟଧିକ ଗୋପନୀୟ ଡକ୍ୟୁମେଣ୍ଟର କେବଳ ଟାଇପ କରା କପି ଦେବା ପାଇଁ ସିବିଆଇର ପ୍ରସ୍ତାବକୁ ସ୍ୱୀକାର କରିଛନ୍ତି। ଏ ନେଇ ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ସେହି ପୁରୁଣା ଆଦେଶକୁ ଓଲଟାଇ ଦେଇଛନ୍ତି ଯେଉଁଥିରେ ସିଂହଙ୍କୁ କେବଳ ଡକ୍ୟୁମେଣ୍ଟ ନିରିକ୍ଷଣ କରିବାକୁ ଅନୁମତି ଦିଆଯାଇଥିଲା। ଏବେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଭି.କେ. ସିଂହଙ୍କୁ ଦୁଇମାସ ମଧ୍ୟରେ ଏହି କପି ଦିଆଯାଉ।
ତେବେ ଦେଶର ସାର୍ବଭୌମତ୍ୱକୁ ଦୃଷ୍ଟିରେ ରଖି କୋର୍ଟ ଏକ କଡ଼ା ସର୍ତ୍ତ ମଧ୍ୟ ରଖିଛନ୍ତି। ତାହା ହେଉଛି ସିଂହ ଏହି କପିକୁ କୌଣସି ଇଲକ୍ଟ୍ରୋନିକ୍, ପ୍ରିଣ୍ଟ ଅଥବା ଡିଜିଟାଲ ମିଡିଆରେ ଯେପରି ସାର୍ବଜନିକ ନ କରନ୍ତି। ଏଥି ଲାଗି ତାଙ୍କୁ ଟ୍ରୟଲ କୋର୍ଟରେ ଏକ ମାସ ମଧ୍ୟରେ ଏକ ଆଫିଡେଭିଟ୍ ଦାଖଲ କରିବାକୁ ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି।




