RBI Mulls Shift to Polymer Banknotes: ଦଶନ୍ଧୀରେ ଦୁଇଥର: ପୁଣି ବଦଳିବ ଭାରତୀୟ ନୋଟ, ଏଥର କାଗଜ ନୁହେଁ ପ୍ଲାଷ୍ଟିକ୍, ଜାଣନ୍ତୁ ପୂରା ରିପୋର୍ଟ

rbi-mulls-shift-to-polymer-banknotes:-ଦଶନ୍ଧୀରେ-ଦୁଇଥର:-ପୁଣି-ବଦଳିବ-ଭାରତୀୟ-ନୋଟ,-ଏଥର-କାଗଜ-ନୁହେଁ-ପ୍ଲାଷ୍ଟିକ୍,-ଜାଣନ୍ତୁ-ପୂରା-ରିପୋର୍ଟ

Polymer Notes: ଭାରତୀୟ ମୁଦ୍ରା ବଜାରରେ ଆସିପାରେ ଏକ ବଡ଼ ପରିବର୍ତ୍ତନ। ଦୀର୍ଘ ଦିନର ଆଲୋଚନା ପରେ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏବେ କାଗଜ ନୋଟ୍ ବଦଳରେ ପଲିମର ବା ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ କରିବା ନେଇ ବିଚାର କରୁଛି। ଏକଥା ଖୋଦ୍ RBI ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି। ପଲିମୋର ନୋଟ ପ୍ରଚଳନ ପ୍ରକ୍ରିୟା ପ୍ରାଥମିକ ପର୍ଯ୍ୟାୟରେ ଅଛି ବୋଲି ଗଭର୍ଣ୍ଣର କହିବା ପରେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। କିନ୍ତୁ ପ୍ରଶ୍ନ ଉଠୁଛି ମୁଦ୍ରାର ଏହି ପରିବର୍ତ୍ତନ କାହିଁକି? କାଗଜ ନୋଟ୍ ତୁଳନାରେ ଏହା କେତେ ସୁରକ୍ଷିତ ତ? ଏବଂ ସବୁଠାରୁ ବଡ଼ କଥା ହେଲା ଏହା ସାଧାରଣ ଲୋକଙ୍କ ପକେଟ୍ ଉପରେ କି ପ୍ରଭାବ ପକାଇବ? ଏସବୁ ବିଷୟକୁ ନେଇ ପଢନ୍ତୁ ସ୍ପେଶାଲ ରିପୋର୍ଟ – ଟଙ୍କାର ନବକଳେବର।

ବର୍ତ୍ତମାନ ପଲିମର ନୋଟ ପ୍ରଚଳନ ନେଇ ଚର୍ଚା ଆରମ୍ଭ ହୋଯାଇଛି। କିନ୍ତୁ ଭାରତ ପାଇଁ ଏହା ନୂଆ ଆଇଡିଆ ନୁହେଁ, ପୂର୍ବରୁ ମଧ୍ୟ ପଲିମର ନୋଟ ପ୍ରଚଳନ ନେଇ ଆର୍‌ବିଆଇ ଯୋଜନା କରିଥିଲା। ହେଲେ ତାହା ସମ୍ଭବ ହୋଇପାରିଲା ନାହିଁ। ହେଲେ କାହିଁକି ଟିକେ ପରେ ଜାଣିବା, ତା ପୂର୍ବରୁ ଆସନ୍ତୁ ଜାଣିବା ଏହି ପଲିମର ନୋଟ କ’ଣ? ଓ ଏହା କିପରି ତିଆରି ହୁଏ ?

ପଲିମର ନୋଟ କ’ଣ ?

ପଲିମର ନୋଟ୍ କୌଣସି କାଗଜ ନୁହେଁ, ବରଂ ‘ବାଇଆକ୍ସିଆଲି ଓରିଏଣ୍ଟେଡ୍ ପଲିପ୍ରୋପିଲିନ୍’ (Biaxially Oriented Polypropylene – BOPP) ନାମକ ଏକ ସ୍ୱତନ୍ତ୍ର ପ୍ଲାଷ୍ଟିକ୍ ପଲ୍ପ ଏହା ତିଆରି ହୋଇଥାଏ। ଏହା କପା କିମ୍ବା କାଠ ମଣ୍ଡ (pulp) ଭଳି କୌଣସି ତନ୍ତୁ (fiber) ନୁହେଁ, ବରଂ ଏକ non-porous ପ୍ଲାଷ୍ଟିକ୍ ସିଟ୍।

ଏହାର ତିଆରି ପ୍ରକ୍ରିୟା-

ପ୍ରଥମେ BOPP ପ୍ଲାଷ୍ଟିକ୍ ପଲ୍ପକୁ ଅତ୍ୟନ୍ତ ପତଳା ଏବଂ ନମନୀୟ କରି ପ୍ରସ୍ତୁତ କରାଯାଏ। ଏହି ପଲ୍ପଟି ପୂରା ନୋଟର ଆଧାର ଭାବେ କାମ କରେ। ପ୍ଲାଷ୍ଟିକଟି ସ୍ୱଚ୍ଛ ଥାଏ। ନୋଟ୍ ତିଆରି କରିବା ପାଇଁ, ଏହାର ଉଭୟ ପାର୍ଶ୍ୱରେ ସ୍ୱତନ୍ତ୍ର ପ୍ରକାରର ଧଳା କାଳି ବ୍ୟବହାର କରାଯାଏ, ଯାହା ଦ୍ୱାରା ନୋଟ ଦେଖିବାକୁ କାଗଜ ପରି ଲାଗିବ। କିନ୍ତୁ transparent window ରଖିବାକୁ ଥିବା ଅଂଶଗୁଡ଼ିକରେ ଏହି କାଳି ଲଗାଯାଏ ନାହିଁ। ଏହା ପରେ ନୋଟର ଡିଜାଇନ୍, ରଙ୍ଗ, ମୂଲ୍ୟ, ଏବଂ ଅନ୍ୟାନ୍ୟ ସୁରକ୍ଷା ଚିହ୍ନ ଗୁଡ଼ିକୁ ସ୍ୱତନ୍ତ୍ର ପ୍ରିଣ୍ଟିଂ ପ୍ରକ୍ରିୟା ଦ୍ୱାରା ଛପା ଯାଏ। ପଲିମର ନୋଟରେ କାଳି ପ୍ଲାଷ୍ଟିକ୍ ସିଟ୍ ସହ ଏପରି ଭାବେ ମିଶିଯାଏ ଯେ ତାହାକୁ ସହଜରେ ଉଠାଇବା ସମ୍ଭବ ନୁହେଁ। ଛାପା ସରିବା ପରେ, ସେଥିରେ ହୋଲୋଗ୍ରାମ, ରଙ୍ଗ ପରିବର୍ତ୍ତନକାରୀ ଇଙ୍କ୍ ( Optically Variable Ink) ଏବଂ ମାଇକ୍ରୋନପ୍ରିଣ୍ଟିଂ ଯୋଡ଼ାଯାଏ। ଶେଷ ପର୍ଯ୍ୟାୟରେ, ବଡ଼ ବଡ଼ ସିଟିଗୁଡ଼ିକୁ ନିର୍ଦ୍ଦିଷ୍ଟ ଆକାରରେ କାଟି ନୋଟର ରୂପ ଦିଆଯାଏ।

ପଲିମର ନୋଟ କଣ ଓ ଏହାର ତିଆରି କେମିତି ହୁଏ ଜାଣିଲେ। କିନ୍ତୁ ଏଠି ପ୍ରଶ୍ନ ଉଠୁଛି ବର୍ତ୍ତମାନ ସମୟରେ ଆର୍‌ବିଆଇ ହଠାତ୍ ଏହି ନୋଟ୍ ପ୍ରଚଳନ କରିବାକୁ କାହିଁକି ଚିନ୍ତା କରୁଛି। ବର୍ତ୍ତମାନ ପ୍ରଚଳନ ଥିବା କାଗଜ ଟଙ୍କାରେ କଣ ଅସୁବିଧା ରହିଛି ? ଆସନ୍ତୁ ଜାଣିବା

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପଲିମର ବା ପ୍ଲାଷ୍ଟିକ ନୋଟ୍ ପ୍ରଚଳନ କରିବାର କିଛି ପ୍ରମୁଖ୍ୟ କାରଣ ରହିଛି। ବର୍ତ୍ତମାନର କାଗଜ ନୋଟ୍ କପା-ପଲ୍ପ (cotton-pulp) ରୁ ତିଆରି ହୋଇଥାଏ, ଯାହା ଶୀଘ୍ର ଚିରିଯାଏ କିମ୍ବା ମଇଳା ହୋଇଯାଏ। ଭାରତର ଆଦ୍ର ଜଳବାୟୁରେ ଏହି ନୋଟଗୁଡ଼ିକ ଶୀଘ୍ର ନଷ୍ଟ ହୋଇଯାନ୍ତି। ଆରବିଆଇର ଡାଟା ଅନୁସାରେ, ପ୍ରତିବର୍ଷ ପ୍ରାୟତଃ ଦୁଇ ଲକ୍ଷ ଖରାପ ନୋଟକୁ ବ୍ୟାଙ୍କ ପ୍ରତ୍ୟାହାର କରେ ଏବଂ ଏହାକୁ ନଷ୍ଟ କରିବାକୁ ବାଧ୍ୟ ହୁଏ। ଏଥିରେ ଉଚ୍ଚ ମୂଲ୍ୟ ରଖୁଥିବା ୧୦୦ ଓ ୫୦୦ ଟଙ୍କିଆ ନୋଟର ଭାଗ ଅଧିକ ଥାଏ। ଫଳରେ ଏଥିରେ RBIକୁ ଆର୍ଥିକ ବୋଝ ସହିବାକୁ ପଡ଼େ।

ସେହି ତୁଳନାରେ ପଲିମର ନୋଟ କିନ୍ତୁ ଖୁବ ମଜଭୁତ। ପଲିମର ନୋଟ୍ ଏକ ସ୍ୱତନ୍ତ୍ର ପ୍ଲାଷ୍ଟିକ୍ ସବଷ୍ଟ୍ରେଟରୁ ତିଆରି ହେଉଥିବାରୁ, ଏହା କାଗଜ ନୋଟ୍ ତୁଳନାରେ ଅଧିକ ଶକ୍ତ ଏବଂ ନମନୀୟ। ଅଧ୍ୟୟନ ଅନୁସାରେ, ପଲିମର ନୋଟ୍ ସାଧାରଣ ନୋଟ୍ ତୁଳନାରେ ଦୁଇରୁ ପାଞ୍ଚ ଗୁଣ ଅଧିକ ସମୟ ପର୍ଯ୍ୟନ୍ତ ଚାଲିପାରିବ। ଏହି ନୋଟ ନଷ୍ଟ ହେବାକୁ ସମୟ ଲାଗିବ। ତେଣୁ ବାରମ୍ବାର ନୋଟ୍ ଛାପିବା ଏବଂ ପରିବହନ ବାବଦ ଖର୍ଚ୍ଚ ଦୀର୍ଘମିଆଦୀ ଭିତ୍ତିରେ ବହୁତ କମିଯିବ। ଏଥିରେ ଆଉ ଏକ ବଡ଼ କଥା ହେଲା ନକଲି ନୋଟ୍‌କୁ ରୋକିବାରେ ସହାୟ ହୋଇପାରେ। କାରଣ ଜାଲ୍ ନୋଟ୍ କାରବାର ଭାରତୀୟ ଅର୍ଥନୀତି ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ପାଲଟିଛି। ଅପର ପକ୍ଷରେ ପଲିମର ନୋଟରେ ଏଭଳି କିଛି ଅତ୍ୟାଧୁନିକ ସୁରକ୍ଷା ବୈଶିଷ୍ଟ୍ୟ ଯୋଡ଼ାଯାଇପାରିବ, ଯାହାକୁ ନକଲ କରିବା ସାଧାରଣ ଜାଲ୍ ନୋଟ୍ ପ୍ରସ୍ତୁତକାରୀଙ୍କ ପାଇଁ ଅତ୍ୟନ୍ତ କଷ୍ଟକର। ଏଥିରେ transparent windows, ହୋଲୋଗ୍ରାମ ଏବଂ ରଙ୍ଗ ପରିବର୍ତ୍ତନକାରୀ କାଳୀ ବ୍ୟବହାର କରାଯାଏ, ଯାହା ଅସଲି ନୋନଟକୁ ଚିହ୍ନିବାରେ ସାହାଯ୍ୟ କରେ।

ଆଉ ଏକ ବଡ଼ ଦିଗ ହେଲା ଏହାର ସ୍ୱଚ୍ଛତା। କାଗଜ ନୋଟରେ ଜୀବାଣୁ ଓ ମଇଳାକୁ ଶୀଘ୍ର ଲାଗିଯାଆନ୍ତି। କିନ୍ତୁ ପଲିମର ନୋଟ୍ ମଇଳା, ତେଲ, ଝାଳ ଏବଂ ଜଳ ପ୍ରତିରୋଧୀ ହୋଇଥାଏ। ଏହାକୁ ସହଜରେ ସଫା କରିହେବ, ଯାହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଅଧିକ ସୁରକ୍ଷିତ। ପଲିମର ନୋଟଗୁଡ଼ିକୁ ଶେଷରେ ରିସାଇକେଲ୍ (recycle) କରି ଅନ୍ୟ ପ୍ଲାଷ୍ଟିକ୍ ଦ୍ରବ୍ୟ ତିଆରି କରାଯାଇପାରିବ। ଏହାଦ୍ୱାରା ପରିବେଶ ଉପରେ ପଡୁଥିବା ପ୍ରଭାବ କମିପାରେ। ମୋଟ ଉପରେ କହିଲେ RBI ଏହି ପଦକ୍ଷେପ ନେବା ପଛର ମୁଖ୍ୟ ଲକ୍ଷ୍ୟ ହେଉଛି ଅଧିକ ସୁରକ୍ଷା, କମ୍ ଖର୍ଚ୍ଚ ଏବଂ ଅଧିକ ସ୍ଥାୟୀତ୍ୱ। ଅଷ୍ଟ୍ରେଲିଆ, କାନାଡା, ସିଙ୍ଗାପୁର ଭଳି ଦେଶ ଏହି ପଦକ୍ଷେପ ଗ୍ରହଣ କରି ସଫଳ ହୋଇଥିବାରୁ, ଭାରତ ମଧ୍ୟ ଏହାର ସକାରାତ୍ମକ ଦିଗଗୁଡ଼ିକୁ ବିଚାର କରୁଛି।

ଏବେ ଆସନ୍ତୁ ଜାଣିବା ପଲିମର ନୋଟର ଇତିହାସ ବିଷୟରେ। ଭାରତର ଏ କନସେପ୍ଟ ନୂଆ ନୁହେଁ। ପୂର୍ବରୁ ମଧ୍ୟ ପଲିମର ନୋଟ ପ୍ରଚଳନ କରିବାକୁ ଆରବିଆଇ ଚିନ୍ତା କରିଥିଲା। ହେଲେ ହୋଇପାରିଲା ନାହିଁ। ତେବେ ପ୍ରଥମେ ଏହି ନୋଟର ପ୍ରଚଳନ କେବେ ଓ କେଉଁଠି ହୋଇଥିଲା ? ଏବେ କେତୋଟି ଦେଶରେ ପଲିମର ନୋଟ ପ୍ରଚଳନ ହେଉଛି ? ଏବଂ ଭାରତରେ ଏହା କାହିଁକି ଅଟକି ଯାଇଥିଲା ଆସନ୍ତୁ ଜାଣିବା।

ପଲିମର ନୋଟ୍ ପ୍ରଥମେ ଅଷ୍ଟ୍ରେଲିଆରେ ପ୍ରଚଳନ କରାଯାଇଥିଲା। ୧୯୬୦ ଦଶକରେ ଅଷ୍ଟ୍ରେଲିଆରେ ନକଲି ନୋଟ୍ କାରବାର ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥିଲା। ସେ ସମୟର କାଗଜ ନୋଟଗୁଡ଼ିକ ସହଜରେ ନକଲ କରାଯାଇ ପାରୁଥିଲା। ଏହି ସମସ୍ୟାର ସମାଧାନ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଅଷ୍ଟ୍ରେଲିଆ (RBA) ଏବଂ ଦେଶରେ ବୈଜ୍ଞାନିକ ଓ ଶିଳ୍ପାନୁଷ୍ଠାନ (CSIRO) ମିଳିତ ଭାବେ ଏକ ନୂଆ ଏବଂ ଅଧିକ ସୁରକ୍ଷିତ ମୁଦ୍ରା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଲେ।

୧୯୬୮ ମସିହାରେ ବୈଜ୍ଞାନିକ ଡେଭିଡ ସୋଲୋମନ (David Solomon) ଏବଂ ତାଙ୍କ ଦଳ ଏହି ପ୍ରକଳ୍ପ ଉପରେ କାମ କରିବା ଆରମ୍ଭ କଲେ। ସେମାନେ ଉଭୟ ରାସାୟନିକ ଏବଂ ଅପ୍ଟିକାଲ୍ ବିଜ୍ଞାନର ପ୍ରୟୋଗ କରି ଏକ ପ୍ଲାଷ୍ଟିକ୍ ସବଷ୍ଟ୍ରେଟ୍ ପ୍ରସ୍ତୁତ କରିବାରେ ସଫଳ ହେଲେ, ଯାହାକୁ ନକଲ କରିବା ପ୍ରାୟତଃ ଅସମ୍ଭବ ଥିଲା। ଦୀର୍ଘ ବର୍ଷର ଗବେଷଣା ଏବଂ ପରୀକ୍ଷଣ ପରେ, ୧୯୮୮ ମସିହାରେ ଅଷ୍ଟ୍ରେଲିଆ ତା’ର ଦ୍ୱିଶତବାର୍ଷିକୀ ଅବସରରେ ବିଶ୍ୱର ପ୍ରଥମ ପଲିମର ନୋଟ୍ ପ୍ରଚଳନ କଲା। ଏହା ଥିଲା ୧୦ ଡଲାରର ଏକ ସ୍ମାରକୀ ନୋଟ୍।

୧୯୮୮ର ସଫଳତା ପରେ, ଅଷ୍ଟ୍ରେଲିଆ ସରକାର ଧୀରେ ଧୀରେ କାଗଜ ନୋଟ୍ ବଦଳରେ ପଲିମର ନୋଟ୍ ଆଣିବାକୁ ଯୋଜନା କଲେ। ୧୯୯୨ ମସିହାରେ ୫ ଡଲାରର ପଲିମର ନୋଟ୍ ପ୍ରଥମେ ନିୟମିତ ଚଳାଚଳ ପାଇଁ ଜାରି କରାଗଲା। ୧୯୯୬ରେ ଅଷ୍ଟ୍ରେଲିଆ ବିଶ୍ୱର ପ୍ରଥମ ଦେଶ ଭାବେ ନିଜର ସମସ୍ତ ନୋଟକୁ ପଲିମରରେ ରୂପାନ୍ତରିତ କରିଥିଲା। ଏହାର ସଫଳତା ପରେ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ମଧ୍ୟ ପଲିମର ନୋଟର ପ୍ରଚଳନ କରିଥିଲେ। ରିପୋର୍ଟ ଅନୁସାରେ ବର୍ତ୍ତମାନ ବିଶ୍ୱର ୪୫ରୁ ଅଧିକ ଦେଶ ସେମାନଙ୍କ ମୁଦ୍ରା ଓ ବ୍ୟାଙ୍କିଂ ବ୍ୟବସ୍ଥାରେ ପଲିମର ନୋଟ୍ ବ୍ୟବହାର କରୁଛନ୍ତି। ଅନେକ ଦେଶ ସେମାନଙ୍କର ସମ୍ପୂର୍ଣ୍ଣ କାଗଜ ନୋଟକୁ ବଦଳାଇ ପଲିମର ନୋଟ୍ ଆପଣାଇ ସାରିଲେଣି। ଅଷ୍ଟ୍ରେଲିଆକୁ ଛାଡ଼ି ଦେଲେ କାନାଡା, ନ୍ୟୁଜିଲ୍ୟାଣ୍ଡ, ସିଙ୍ଗାପୁର, ବ୍ରିଟେନ, ମାଲେସିଆ, ମରିସସ, ଇସ୍ରାଏଲ ଭଳି ଦେଶ ପଲିମର ନୋଟ ବ୍ୟବହାର କରୁଛନ୍ତି। ସେହିପରି ଭାରତରେ ମଧ୍ୟ ପଲିମର ନୋଟ ପ୍ରଚଳନ ନେଇ ୨୦ ବର୍ଷେ ତଳେ ଆଲଚୋନା ହୋଇଥିଲା।

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପ୍ରଥମେ ୨୦୦୭ ମସିହାରେ ପଲିମର ନୋଟ୍ ପ୍ରଚଳନ କରିବା ନେଇ ଆଗ୍ରହ ପ୍ରକାଶ କରିଥିଲା। କାଗଜ ନୋଟ୍ ଅପେକ୍ଷା ଏହା ଅଧିକ ସ୍ଥାୟୀ ହୋଇଥିବାରୁ, ଭାରତର ବିଭିନ୍ନ ଜଳବାୟୁରେ ଏହା କିଭଳି କାର୍ଯ୍ୟ କରିବ, ତାହା ପରୀକ୍ଷା କରିବା ପାଇଁ ଏକ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା ହୋଇଥିଲା। ୨୦୧୪ ମସିହାରେ ସରକାର ଏହି ପ୍ରକ୍ରିୟାକୁ ଆଗକୁ ବଢ଼ାଇଥିଲେ। ଭାରତର ବିଭିନ୍ନ ଭୌଗୋଳିକ ଅବସ୍ଥିତି ଥିବା ୫ଟି ସହର- ଜୟପୁର , ଶିମଲା, ଭୁବନେଶ୍ୱର, ମହୀଶୂର ଓ କୋଚିକୁ ପରୀକ୍ଷଣ ପାଇଁ ଚୟନ କରାଯାଇଥିଲା। ଏହି ସହରଗୁଡ଼ିକରେ ୧୦ ଟଙ୍କିଆ ପଲିମର ନୋଟ୍ ପ୍ରଚଳନ କରି ଏହାର ବ୍ୟବହାରିକ ଦିଗଗୁଡ଼ିକୁ ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଥିଲା।

୨୦୧୬ ମସିହାରେ କେନ୍ଦ୍ର ସରକାର ସଂସଦରେ ସୂଚନା ଦେଇଥିଲେ ଯେ ପଲିମର ନୋଟ୍ ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ, ନାନାଦି ବୈଷୟିକ ଏବଂ ଅର୍ଥନୈତିକ କାରଣରୁ ଏହା ଜାତୀୟ ସ୍ତରରେ ବ୍ୟାପକ ଭାବେ କାର୍ଯ୍ୟକାରୀ ହୋଇପାରି ନଥିଲା। ତେବେ ସରକାର ଆଉ ଏକ ଦିଗରେ ମଧ୍ୟ ଚେଷ୍ଟା କରିଥିଲେ। ପଲିମର ନୋଟ୍ ଠାରୁ କିଛି ମାତ୍ରାରେ ଭିନ୍ନ, ଭାର୍ନିସଡ୍ ନୋଟ୍ (varnished banknotes) ପ୍ରକ୍ରିୟା ମଧ୍ୟ ପରୀକ୍ଷା କରିଥିଲା। ଏଥିରେ କାଗଜ ନୋଟ୍ ଉପରେ ଏକ ସ୍ୱତନ୍ତ୍ର ପଲିମର ଆସ୍ତରଣ ଦିଆଯାଏ, ଯାହା ନୋଟକୁ ପାଣି ଓ ମଇଳାରୁ ରକ୍ଷା କରିଥାଏ। ହେଲେ ଏହା ମଧ୍ୟ ଅଟକି ଯାଇଥିଲା। ତେବେ ଭାରତ ପୁଣି ଥରେ ପଲିମର କରେନ୍ସି ପ୍ରଚଳନ କରିବା ସମ୍ପର୍କରେ ବିଚାର କରୁଛି। ତେବେ ଏହା ଏବେ ବି ପ୍ରାଥମିକ ପର୍ଯ୍ୟାୟରେ ରହିଛି ବୋଲି ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ କହିଛନ୍ତି।

ପଲିମର ନୋଟ୍ ଛାପିବାର ଆରବିଆଇ ଏକାଧିକ ଚ୍ୟାଲେଞ୍ଜର ସମ୍ମୁଖନୀ ହେବାକୁ ପଡ଼ିପାରେ। ଏହାର ପ୍ରାରମ୍ଭିକ ଖର୍ଚ୍ଚ କାଗଜ ନୋଟ୍ ତୁଳନାରେ ଅଧିକ ହୋଇପାରେ। ଏହାଛଡ଼ା ଦେଶର ଲକ୍ଷ ଲକ୍ଷ ATM ଏବଂ କ୍ୟାସ୍ କାଉଣ୍ଟିଂ ମେସିନକୁ ପଲିମର ନୋଟ୍ ପାଇଁ ଅପଡେଟ୍ କରିବା ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ। ତା’ ଛଡ଼ା ନୋଟଗୁଡ଼ିକ ଖସଡ଼ା ହୋଇଥିବାରୁ ଗଣିବା ବେଳେ ବ୍ୟାଙ୍କ କର୍ମଚାରୀଙ୍କୁ ଅସୁବିଧା ବି ହୋଇପାରେ। ସବୁଠାରୁ ବଡ କଥା ଭାରତୀୟ ସମାଜରେ ନୋଟକୁ ମୋଡ଼ିମାଡ଼ି ପକେଟରେ ରଖିବାର ଯେଉଁ ଅଭ୍ୟାସ ଅଛି, ତାହା ପଲିମର ନୋଟ୍ ପାଇଁ କ୍ଷତିକାରକ ହୋଇପାରେ।

Scroll to Top