ଆମ ପାଖରେ ମୋଦୀ ଅଛନ୍ତି… ଆନ୍ନାମଲାଇଙ୍କ ପରେ ଦଳରୁ ଇସ୍ତଫା ଦେଉଥିବା କର୍ମୀଙ୍କୁ ବୁଝାଇଲେ ତାମିଲନାଡୁ ବିଜେପି ମୁଖ୍ୟ
K Annamalai’s resignation: ନାଗେନ୍ଦ୍ରନ କହିଛନ୍ତି, ‘ଦୟାକରି କୌଣସି ଦଳ କିମ୍ବା ଆନ୍ଦୋଳନରେ ସାମିଲ ହୁଅନ୍ତୁ ନାହିଁ । ବିଜେପି ଗୋଟିଏ ବଡ଼ ଦଳ, ଏଠାରେ ହିଁ ରୁହନ୍ତୁ । ଆମ ଦଳରେ ନମ୍ବର ଓ୍ବାନ ନେତା ନରେନ୍ଦ୍ର ମୋଦୀ ଅଛନ୍ତି ।’
Published By: Tapas – Prameya-News7 Bureau | June 06, 2026 09:30 PM
NEWS7

ଚେନ୍ନାଇ: ତାମିଲନାଡୁର ପୂର୍ବତନ ବିଜେପି ସଭାପତି କେ. ଆନ୍ନାମଲାଇ ଦଳରୁ ଇସ୍ତଫା ଦେବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ଆନ୍ନାମଲାଇଙ୍କ ପରେ ବିଜେପି କର୍ମୀ ସମୂହ ଇସ୍ତଫା ଦେଇଛନ୍ତି, ଯାହା ଦଳ ମୁଖ୍ୟଙ୍କୁ ବିଚଳିତ କରିଛି । ଏହାକୁ ନେଇ ତାମିଲନାଡୁର ବିଜେପି ସଭାପତି ନୈନାର ନାଗେନ୍ଦ୍ରନ ଶନିବାର ଦଳୀୟ କର୍ମୀଙ୍କୁ ଖାସ ଅପିଲ୍ କରିଛନ୍ତି । ସେ କହିଛନ୍ତି, ଆନ୍ନାମଲାଇଙ୍କ ଭଳି ଆପଣମାନେ ଦଳ ଛାଡ଼ନ୍ତୁ ନାହିଁ । କୌଣସି ନୂଆ ଦଳ ବା ବିଦ୍ରୋହର ପ୍ରଭାବ ବିଜେପି ଉପରେ ପଡ଼ିବ ନାହିଁ ।
ଚେନ୍ନାଇରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନାଗେନ୍ଦ୍ରନ କହିଛନ୍ତି, ‘ଦୟାକରି କୌଣସି ଦଳ କିମ୍ବା ଆନ୍ଦୋଳନରେ ସାମିଲ ହୁଅନ୍ତୁ ନାହିଁ । ବିଜେପି ଗୋଟିଏ ବଡ଼ ଦଳ, ଏଠାରେ ହିଁ ରୁହନ୍ତୁ । ଆମ ଦଳରେ ନମ୍ବର ଓ୍ବାନ ନେତା ନରେନ୍ଦ୍ର ମୋଦୀ ଅଛନ୍ତି ।’ ଆନ୍ନାମଲାଇଙ୍କ ଇସ୍ତଫା ଦଳକୁ ଅସୁବିଧାରେ ପକାଇବା ନେଇ ଦାବିକୁ ସେ ଖଣ୍ଡନ କରିଛନ୍ତି । କୌଣସି ପ୍ରଭାବ ପଡ଼ିବନି । ଅନେକ ନେତା ବିଜେପି ଛାଡ଼ି ଯାଇଛନ୍ତି ଏବଂ ପୁଣି ଥରେ ଫେରିଆସିଛନ୍ତି ବୋଲି କହିଛନ୍ତି ନାଗେନ୍ଦ୍ରନ ।
ଆନ୍ନାମଲାଇ ବିଜେପି ଛାଡ଼ିବାର ଗୋଟିଏ ଦିନ ପରେ ନାଗେନ୍ଦ୍ରନଙ୍କ ପ୍ରତିକ୍ରିୟା ଆସିଛି । ସେପଟେ ଆନ୍ନାମଲାଇ ରାଜ୍ୟରେ ଏକ ନୂଆ ଦଳ ଗଠନ କରିବେ ବୋଲି ଚର୍ଚ୍ଚା ଲାଗିରହିଛି । ବଂଶବାଦ ରାଜନୀତିରୁ ଉଠି ସେ ସାଧାରଣ ଲୋକଙ୍କ ଲାଗି ଦଳ ଗଠନ କରିବେ ବୋଲି କୁହାଯାଉଛି । ଆନ୍ନାମଲାଇ ବିଜେପି ଛାଡ଼ିବା ପରେ ଦଳର ବହୁ କାର୍ଯ୍ୟକର୍ତ୍ତା ମଧ୍ୟ ତାଙ୍କ ସହ ଯୋଗ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ରାଜ୍ୟ ବିଜେପିର ଉପସଭାପତି କାରୁ ନାଗରାଜନ, ସାଧାରଣ ସଂପାଦକ ସୁମାଥି ଭେଙ୍କଟେଶ ଏବଂ ଅନ୍ୟ ପଦାଧିକାରୀ ମଧ୍ୟ ସାମିଲ । ଏପରିକି ବିଜେପିର ଆହୁରି ଅନେକ ନେତା ଆନ୍ନାମଲାଇଙ୍କୁ ସମର୍ଥନ କରି ଦଳ ଛାଡ଼ିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
ବିଜେପିରୁ ଇସ୍ତଫା ଦେବା ପରେ ଆନ୍ନାମଲାଇ ‘We The Leaders’ ଆନ୍ଦୋଳନ ଆରମ୍ଭ କରିଛନ୍ତ । ଏହାକୁ ପ୍ରବଳ ଜନ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି । ଏହା ଲଞ୍ଚ ହେବାର ପ୍ରାୟ ଏକ ଘଣ୍ଟା ମଧ୍ୟରେ ଏଥିରେ ୮ ଲକ୍ଷରୁ ଅଧିକ ଲୋକ ଯୋଡ଼ି ହୋଇଛନ୍ତି । ଅନ୍ନାମଲାଇ କହିଛନ୍ତି ଯେ, ଏହି ଆନ୍ଦୋଳନ ତାମିଲନାଡୁରେ ବିକାଶ କେନ୍ଦ୍ରୀତ ଏବଂ ମୂଳ ସଂସ୍କୃତି ସହ ଜଡ଼ିତ ରାଜନୀତିକୁ ପ୍ରୋତ୍ସାହିତ କରିବା ସହିତ ପ୍ରଫେସନାଲ୍ , ଟେକ୍ନୋକ୍ରାଟ୍ ଏବଂ ସାଧାରଣ ନାଗରିକଙ୍କୁ ଶାସନରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିବା ଉପରେ ଧ୍ୟାନ ଦେବ।




