ୱାଶିଂଟନ : ଚୀନ ସୋମବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସେହି ଅଭିଯୋଗକୁ ଦୃଢ ଭାବେ ଖଣ୍ଡନ କରିଛି ଯେ, ସେ ଗୁପ୍ତ ଭାବେ ପରମାଣୁ ପରୀକ୍ଷଣ କରୁଛି। ନ୍ୟୁଜ୍ ଏଜେନ୍ସି ଏଏଫପି ମୁତାବିକ , ଟ୍ରମ୍ପଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ଦେଇ ଚୀନ ବୈଦେଶିକ ମନ୍ତ୍ରଣାଳୟ ଦାବି କରିଛି ଯେ,ସେ ଏକ ‘ଦାୟିତ୍ୱପୂର୍ଣ୍ଣ ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ର’। ବେଜିଂ ସ୍ପଷ୍ଟ କରିଛି ଯେ ସେ ସର୍ବଦା ଆତ୍ମରକ୍ଷା ଆଧାରିତ ପରମାଣୁ ନୀତିର ପାଳନ କରି ଆସିଛି ଏବଂ ପରମାଣୁ ପରୀକ୍ଷଣ ପ୍ରତିବନ୍ଧକରେ ନିଜର ପ୍ରତିଜ୍ଞାର ସମ୍ମାନ କରି ଆସିଛି।
ଉଲ୍ଲେଖନୀୟ ଯେ, ଟ୍ରମ୍ପ ରବିବାର ଦାବି କରିଥିଲେ ଯେ, ରୁଷ୍ ଓ ଚୀନ ଭଳି ଦେଶ ଭୂମିଗତ ପରମାଣୁ ପରୀକ୍ଷଣ କରୁଛନ୍ତି , କିନ୍ତୁ ସେମାନଙ୍କର ଲୋକେ ଏ ବିଷୟରେ ସଂପୂର୍ଣ୍ଣ ଅଜ୍ଞ। ସେ କହିଛନ୍ତି ଯେ, ଆମେରିକା ମଧ୍ୟ ଏହିପରି କାର୍ଯ୍ୟାନୁଷ୍ଠାନ କରିବ। ଟ୍ରମ୍ପ ଜୋର ଦେଇ କହିଛନ୍ତି ଯେ, ମୁଁ ଏକା ଏମିତି ଦେଶ ହେବାକୁ ଚାହୁଁ ନାହିଁ , ଯିଏ ପରୀକ୍ଷଣରୁ ନିବୃତ୍ତ ରହିବ। ସିବିଏସର ‘ ୬୦ ମିନିଟ୍ସ’ଶୋ’ରେ ଆମେରିକୀୟ ରାଷ୍ଟ୍ରପତି କହିଛନ୍ତି ଯେ, ରୁଷ୍ ପରୀକ୍ଷଣ କରୁଛି , ଚୀନ ମଧ୍ୟ କରୁଛି , କିନ୍ତୁ ସେ ଏହାକୁ ସାର୍ବଜନିନ କରୁ ନାହାନ୍ତି। ଏହି କ୍ରମରେ ସେ ଉତ୍ତର କୋରିଆ ଓ ପାକିସ୍ତାନ ଭଳି ଅନ୍ୟ ଦେଶ ଗୁଡ଼ିକର ମଧ୍ୟ ଉଲ୍ଲେଖ କରିଛନ୍ତି।
ସିବିଏସକୁ ଦେଇଥିବା ଇଣ୍ଟରଭ୍ୟୁରେ ଟ୍ରମ୍ପ କହିଛନ୍ତି ,ଆମ ପାଖରେ କୌଣସି ଅନ୍ୟ ଦେଶ ଅପେକ୍ଷା ଖୁବ୍ ଅଧିକ ପରମାଣୁ ଅସ୍ତ୍ର ଅଛି। ମୋତେ ଲାଗୁଛି ଯେ, ଆମେ ପରମାଣୁ ନିରସ୍ତ୍ରୀକରଣର ଦିଗରେ ପଦକ୍ଷେପ ଉଠାଇବା ଉଚିତ୍। ମୁଁ ଏହି ମାମଲାରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଶି ଜିନପିଙ୍ଗ ଉଭୟଙ୍କ ସହ କଥା ହୋଇଛି। ସେ ଆହୁରି କହିଛନ୍ତି ଆମେରିକା ପାଖରେ ପୂରା ଦୁନିଆକୁ ୧୫୦ ଥର ଧ୍ୱଂସ କରିବାର କ୍ଷମତା ସଂପନ୍ନ ପରମାଣୁ ଅସ୍ତ୍ର ରହିଛି। ଟ୍ରମ୍ପ କହିଛନ୍ତି ରୁଷ୍ ପାଖରେ ମଧ୍ୟ ବହୁ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ଅଛି, ଚୀନ ପାଖରେ ମଧ୍ୟ ଅଧିକ ସଂଖ୍ୟାରେ ଥାଇପାରେ।
କହି ରଖୁଛୁ କି, ଟ୍ରମ୍ପ ଗୁରୁବାର (୩୦ ଅକ୍ଟୋବର)ରେ ଦକ୍ଷିଣ କୋରିଆରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ନିଜର ବୈଠକର ଠିକ୍ ପୂର୍ବରୁ ସୋସିଆଲ ମିଡ଼ିଆରେ ଏକପୋଷ୍ଟ ମାଧ୍ୟମରେ ଆମେରିକାରେ ପରୀକ୍ଷଣ ଆରମ୍ଭ କରିବାର ଯୋଜନାର ପ୍ରଥମ ସଙ୍କେତ ଦେଇ ଥିଲେ। ଟ୍ରୁଥ୍ ସୋସିଆଲରେ ନିଜର ପୋଷ୍ଟରେ ସେ ଲେଖିଥିଲେ ଯ, ଆମେରିକା ପାଖରେ କୌଣସି ଅନ୍ୟ ରାଷ୍ଟ୍ର ଠାରୁ ଅଧିକ ପରମାଣୁ ଅସ୍ତ୍ର ରହିଛି। ଏସବୁ ମୋର ପ୍ରଥମ କାର୍ଯ୍ୟକାଳରେ ହିଁ ହାସଲ ହୋଇଛି, ଯେଉଁଥିରେ ଥିବା ଅସ୍ତ୍ରକୁ ପୂରା ଆଧୁନିକୀକରଣ ଓ ଅପଗ୍ରେଡ୍ ସାମିଲ ଥିଲା। ସେ କହିଥିଲେ ଯେ, ତାଙ୍କୁ ଏହା ପସନ୍ଦ ନଥିଲା , କିନ୍ତୁ ବାଧ୍ୟ ହୋଇଥିଲେ।
ଟ୍ରମ୍ପ ଦାବି ପୂର୍ବକ କହିଛନ୍ତି , ଆମେରିକା ପରେ ରୁଷ୍ ଦ୍ୱିତୀୟ ନମ୍ୱରରେ , ଆଉ ଚୀନ ତୃତୀୟ ନମ୍ୱରରେ ଅଛି। ସେ କହିଛନ୍ତି , ଅନ୍ୟ ଦେଶ ଗୁଡ଼ିକର ପରୀକ୍ଷଣ କାର୍ଯ୍ୟକ୍ରମକୁ ଦେଖି , ମୁଁ ପ୍ରତିରକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛି ଯେ, ସେ ଆମର ପରମାଣୁ ଅସ୍ତ୍ର ଗୁଡ଼ିକର ମଧ୍ୟ ସମାନ ପରୀକ୍ଷଣ ତୁରନ୍ତ ଆରମ୍ଭ କରନ୍ତୁ।




