୨୮ ଓ ୨୯ରେ ଓଡ଼ିଶାରେ ବେଶୀ ପ୍ରଭାବ, ୬୦ରୁ ୭୦ କି.ମି. ପର୍ଯ୍ୟନ୍ତ ବହିପାରେ ପବନ
Published By: Ruby – Prameya-News7 Bureau | October 26, 2025 05:00 PM
NEWS7
ଭୁବନେଶ୍ବର ୨୬।୧୦: ଆସୁଛି ବାତ୍ୟା ‘ମୋନ୍ଥା’। ବଙ୍ଗୋପସାଗରରେ ଘନୀଭୂତ ହେଉଛି ଅବପାତ । କିଛି ଘଣ୍ଟାରେ ବାତ୍ୟାରେ ପରିଣତ ହେବ ଗଭୀର ଅବପାତ । ୨୮ ତାରିଖ ସନ୍ଧ୍ୟାରୁ ରାତି ମଧ୍ୟରେ ‘ମୋନ୍ଥା’ ଛୁଇଁବ ଆନ୍ଧ୍ର ଉପକୂଳ । ମଛଲିପଟନମ୍ରୁ କଳିଙ୍ଗପଟନମ୍ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କାକିନାଡ଼ାର ସାମାନ୍ୟ ଉତ୍ତରରେ ଲ୍ୟାଣ୍ଡଫଲ୍ ବେଳେ ପବନ ବେଗ ୯୦ରୁ ୧୦୦ କିଲୋମିଟର ରହିବ । ତେବେ ସମ୍ଭାବ୍ୟ ‘ମୋନ୍ଥା ଓଡ଼ିଶାରେ ମାଡ଼ ହେବନି । ରାଜ୍ୟରେ ବଡ଼ କ୍ଷତି ମଧ୍ୟ ପହଞ୍ଚାଇବ ନାହିଁ । ତଥାପି ଦକ୍ଷିଣ ଓ ଉପକୂଳ ଓଡ଼ିଶା ବେଶୀ ପ୍ରଭାବିତ ହୋଇପାରେ । ୨୭ରୁ ରାଜ୍ୟରେ ବର୍ଷା ବଢ଼ିବ । ୨୮ ଓ ୨୯ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ମାଲକାନଗରି ଓ କୋରାପୁଟ ସୀମାରୁ କାକିନାଡ଼ା ପ୍ରାୟ ୨୦୦ କିଲୋମିଟର ଦକ୍ଷିଣ ପୂର୍ବରେ ରହିଛି । ୨୮ ରାତିରେ ଆନ୍ଧ୍ର ଅତିକ୍ରମ ପରେ ୨୯ ତାରିଖ ସକାଳେ ମାଲକାନଗିରି ଦେଇ ଓଡ଼ିଶାକୁ ପ୍ରବେଶ କରିପାରେ । ସେତେବେଳକୁ ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରୁ ସାଇକ୍ଲୋନିକ୍ ଷ୍ଟର୍ମକୁ ହ୍ରାସ ପାଇ ସାରିଥିବ । ଏଥିପାଇଁ ୨୮ ଓ ୨୯ ତାରିଖରେ ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଦକ୍ଷିଣ ଓଡ଼ିଶାରେ ୬୦ରୁ ୭୦ କି.ମି. ପର୍ଯ୍ୟନ୍ତ ପବନ ବହିବ ।
ଏପଟେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶାରେ ବିଶେଷ ନଥିଲେ ମଧ୍ୟ ମୁକାବିଲା ପାଇଁ ସଂପୂର୍ଣ୍ଣ ରହିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନିଜେ ତଦାରଖ କରୁଛନ୍ତି । ସବୁ ଅଧିକାରୀଙ୍କୁ ଆଲର୍ଟରେ ରଖାଯାଇଛି । ଜଳବନ୍ଦୀ ପଏଣ୍ଟକୁ ନଜରରେ ରଖାଯାଇଛି । ନିରବଚ୍ଛିନ୍ନ ବିଦ୍ୟୁତ ଓ ଜେନେରେଟର ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଅଙ୍ଗନବାଡି ବନ୍ଦ ରଖିବା ସହିତ ଗର୍ଭବତୀ ମହିଳାଙ୍କୁ ମେଡିକାଲକୁ ଆଣିବାକୁ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀମାନଙ୍କ ଦାୟିତ୍ବ ଦିଆଯାଇଛି । ଏହା ସହିତ ୧୪ଟି ଜିଲ୍ଲାର ଜଳ ସମ୍ପଦ ବିଭାଗ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଗଜପତି ଜିଲ୍ଲାର ହରଭଙ୍ଗୀ ଜଳଭଣ୍ଡାର ଓ ରାୟଗଡା ଜିଲ୍ଲାର ବଡ଼ନଳାର ଜଳଧାରଣକୁ ଖସାଇ ୯୦%କୁ ଅଣାଯାଇଛି । ଆବଶ୍ୟକ ପଡିଲେ ଆହୁରି ଖାଲି କରାଯିବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।
ବାତ୍ୟା ପାଇଁ ରାଜ୍ୟର ସମସ୍ତ ବନ୍ଦରକୁ ଡିସି ୧ ସତର୍କ ସୂଚନା ଜାରି କରାଯାଇଛି । ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ବାରଣ କରାଯାଇଛି ।




