ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ସହ ଟିମ୍ ଇଣ୍ଡିଆର ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ସଂପନ୍ନ ହୋଇଛି। ଏହି ସିରିଜରେ ପୂର୍ବତନ ଅଧିନାୟକ ରୋହିତ ଶର୍ମା ପ୍ଲେୟାର ଅଫ ଦ ସିରିଜ୍ ବିବେଚିତ ହୋଇଛନ୍ତି। ସେ ସିରିଜରେ ତିନୋଟି ମ୍ୟାଚ୍ରୁ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି। ହୋଇପାରେ ଭାରତ ସିରିଜ ହାରିଛି, ମାତ୍ର ରୋହିତ ଓ ବିରାଟ ଯେଉଁ ଭଳି ବ୍ୟାଟିଂ କରିଛନ୍ତି ସେଥିରେ ଦୁଇ ଖେଳାଳିଙ୍କ ମିଶନ ବିଶ୍ଵକପ୍ ୨୦୨୭ ଆଶା ଉଜ୍ଜୀବିତ ହୋଇ ଉଠିଛି।
ସିରିଜ୍ ସରିବା ପରେ ରୋହିତ ଶର୍ମା ସ୍ଵଦେଶୀ ଫେରିଛନ୍ତି। ଏହା ପୂର୍ବରୁ ରୋହିତ ନିଜର ଏକ୍ସ ଆକାଉଣ୍ଟରେ ଏକ ଭାବବିହ୍ଵଳ ପୋଷ୍ଟ କରିଛନ୍ତି। ନିଜର ଏହି ପୋଷ୍ଟରେ ସେ ଲେଖିଛନ୍ତି, ଶେଷ ଥର ସିଡନୀକୁ ଅଲବିଦା। ରୋହିତ ଏମିତି ପୋଷ୍ଟ କରିବାର କାରଣ ଆଗାମୀ ଦିନରେ ଭାରତର ଦିନିକିଆ କ୍ରିକେଟ୍ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବାର କାର୍ଯ୍ୟକ୍ରମ ନାହିଁ। ସେମିତିରେ ବି ସେ ଟେଷ୍ଟ ଓ ଟି-୨୦ରୁ ଅବସର ନେଇ ସାରିଛନ୍ତି। ତେଣୁ ସମ୍ଭବତଃ ରୋହିତଙ୍କ ପାଇଁ ଏହା ଥିଲା ଶେଷ ଅଷ୍ଟ୍ରେଲିଆ ଗସ୍ତ। ଏହି ସିଡନୀ ଗ୍ରାଉଣ୍ଡରେ ରୋହିତ ଶେଷ ଦିନିକିଆରେ ଅପରାଜିତ ଶତକ ହାସଲ କରିଛନ୍ତି। ଆଉ ଭାରତ ମ୍ୟାଚ୍କୁ ୯ ଓ୍ଵିକେଟ୍ରେ ଜିତି ନେଇଛି।
One last time, signing off from Sydney 👊 pic.twitter.com/Tp4ILDfqJm
— Rohit Sharma (@ImRo45) October 26, 2025
ସିରିଜରେ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟରେ ୫୦ ଶତକ ପୂରା କରିଛନ୍ତି। ରୋହିତ ଟେଷ୍ଟରେ ୧୨ ଶତକ ହାସଲ କରିଥିବା ବେଳେ ଦିନିକିଆରେ ୩୩ ଶତକ ହାସଲ କରିଛନ୍ତି। ଟି-୨୦ ଅନ୍ତର୍ଜାତୀୟରେ ତାଙ୍କ ବ୍ୟାଟରୁ ଆସିଛି ୫ ଶତକ। ଏସବୁ ମିଶାଇ ରୋହିତ ଅନ୍ତର୍ଜାତୀୟ କ୍ରିକେଟ୍ରେ ମୋଟ୍ ୫୦ ଶତକ ହାସଲ କରିଛନ୍ତି।
ଅଷ୍ଟ୍ରେଲିଆରେ ବିଦେଶୀ ବ୍ୟାଟରଙ୍କ ଦ୍ଵାରା ସର୍ବାଧିକ ଦିନିକିଆ ଶତକ
୧- ରୋହିତ ଶର୍ମା- ୬ ଶତକ(୩୩ ଇନିଂସ)
୨- ବିରାଟ କୋହଲି- ୫ ଶତକ(୩୨ ଇନିଂସ)
୩- କୁମାର ସାଙ୍ଗାକାରା- ୫ ଶତକ(୪୯ ଇନିଂସ)
କୌଣସି ବିପକ୍ଷ ଦଳ ବିରୋଧରେ ସର୍ବାଧିକ ଦିନିକିଆ ଶତକ
୧ – ବିରାଟ କୋହଲି- ୧୦ ବନାମ ଶ୍ରୀଲଙ୍କା
୨ – ବିରାଟ କୋହଲି- ୯ ବନାମ ଓ୍ଵେଷ୍ଟଇଣ୍ଡିଜ
୩ – ସଚିନ ତେନ୍ଦୁଲକର- ୯ ବନାମ ଅଷ୍ଟ୍ରେଲିଆ
୪ – ରୋହିତ ଶର୍ମା-୯ ବମାନ ଅଷ୍ଟ୍ରେଲିଆ




