ଭାରତର ସବୁଠୁ ବୟୋଜ୍ୟେଷ୍ଠ ଟେଷ୍ଟ କ୍ରିକେଟର ସି.ଡି.ଗୋପିନାଥଙ୍କ ପରଲୋକ

ଭାରତର-ସବୁଠୁ-ବୟୋଜ୍ୟେଷ୍ଠ-ଟେଷ୍ଟ-କ୍ରିକେଟର-ସିଡି.ଗୋପିନାଥଙ୍କ-ପରଲୋକ

ଚେନ୍ନାଇ: ବିଶ୍ୱ ଟେଷ୍ଟ କ୍ରିକେଟ୍ ରେ ଭାରତକୁ ବିଜୟୀ କରିଥିବା ଟିମର ସଦସ୍ୟ ତଥା ଦେଶର ସବୁଠୁ ବୟୋଜ୍ୟେଷ୍ଠ ଅନ୍ତର୍ଜାତୀୟ କ୍ରିକେଟର ସି.ଡି ଗୋପିନାଥଙ୍କର ୯୬ ବର୍ଷ ବୟସରେ ପରଲୋକ ହୋଇଛି। ଗୋପିନାଥ ଅଷ୍ଟ୍ରେଲିୟାର ମହାନ ନିଲ ହାର୍ୱି(୯୭)ଙ୍କ ପରେ ବିଶ୍ୱର ସବୁଠୁ ବୟଷ୍କ କ୍ରିକେଟର ଥିଲେ। ଏବେ ଗୋପିନାଥଙ୍କ ବିୟୋଗ ପରେ ମୁମ୍ବାଇର ୯୫ ବର୍ଷ ବୟଷ୍କ ଚନ୍ଦ୍ରକାନ୍ତ ପାଟଣକର ବିଶ୍ୱର ସବୁଠୁ ବୟୋଜ୍ୟେଷ୍ଠ କ୍ରିକେଟର ପାଲଟିଛନ୍ତି। ପାଟଣକର ୧୯୫୫ ମସିହାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏକ ଟେଷ୍ଟମ୍ୟାଚ୍ ଖେଳିଥିଲେ।

ଗୋପିନାଥଙ୍କ ପରଲୋକରେ ଭାରତ ନା କେବଳ ନିଜର ସବୁଠୁ ବୟୋଜ୍ୟେଷ୍ଠ କ୍ରିକେଟରଙ୍କୁ ହରାଇଛି ବରଂ ଦେଶର କ୍ରିକେଟ ଇତିହାସର ଉଲ୍ଲେଖନୀୟ ଅଧ୍ୟାୟ ସହ ଜଡିତ ଶେଷ ଖେଳାଳିଙ୍କୁ ହରାଇଛି। ୪ ବର୍ଷ ପୂର୍ବେ ଚେନ୍ନାଇର ଚେପୋକ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମ କାଳରେ ଗୋପିନାଥ ଭାରତର ପ୍ରଥମ ଟେଷ୍ଟ ବିଜୟର ଉଲ୍ଲେଖ କରିଥିଲେ। ୧୯୫୨ ମସିହାରେ ଭାରତ ଏହି ଷ୍ଚାଡିୟମରେ ଇଂଲଣ୍ଡକୁ ଗୋଟିଏ ଇନିଂସ ଓ ୮ ରନରେ ହରାଇ ପ୍ରଥମ ଟେଷ୍ଟ ବିଜୟର ସ୍ୱାଦ ଚାଖିଥିଲା। ଗୋପିନାଥ ପରିହାସରେ କହିଥିଲେ ଦୀର୍ଘାୟୁ ହେବାର ଏହା ଲାଭ।

ସେତେବେଳେ ୯୨ ବର୍ଷ ବୟସରେ ବି ଗୋପିନାଥ ଜଣେ ଭଲ ଗାଳ୍ପିକ ଥିଲେ ଓ ତାଙ୍କ ୮ଟି ମ୍ୟାଚର ସଂକ୍ଷିପ୍ତ କ୍ୟାରିୟରକୁ ବେଶ୍ ରୋମାଞ୍ଚକ କାହାଣୀ କହୁଥିଲେ। ଗୋପିନାଥଙ୍କ ଅନ୍ତର୍ଜାତୀୟ ପ୍ରଦର୍ଶନ ସାଧାରଣ ମନେ ହୁଏ। ହେଲେ ବି ନିଜ କ୍ରିକେଟ କ୍ୟାରିୟରକୁ ନେଇ ସେ ବେଶ୍ ଗର୍ବିତ ଥିଲେ। ୧୯୫୧ ମସିହାରେ ବ୍ରେବର୍ଣ୍ଣ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ୫୦ ଓ ୪୨ ରନର ଉଲ୍ଲେଖନୀୟ ପ୍ରାରମ୍ଭ କରିଥିବା ଏହି ବ୍ୟାଟସମ୍ୟାନ୍ ୮ଟି ଟେଷ୍ଟ ମ୍ୟାଚ୍ ରେ ଗୋଟିଏ ଅର୍ଦ୍ଧଶତକ ବଳରେ ମୋଟ ୨୪୨ରନ କରିଥିଲେ। ତେବେ ଘରୋଇ କ୍ରିକେଟର ଗୋପିନାଥଙ୍କ ଯୋଗଦାନ ଉଲ୍ଲେଖନୀୟ ଥିଲା।

ଗୋପିନାଥ ତାଙ୍କ କ୍ୟାରିୟରର ଉଲ୍ଲେଖନୀୟ ଇନିଂସ ଭାରତ ଭ୍ରମଣରେ ଆସିଥିବା ନ୍ୟୁଜିଲ୍ୟାଣ୍ଡ ଟିମ୍ ବିପକ୍ଷରେ ଖେଳିଥିଲେ। ଦେଶର ଦକ୍ଷିଣ ରାଜ୍ୟରୁ ପ୍ରତିନିଧିତ୍ୱ କରି ସେ ଦୁଇଟି ଇନିଂସରେ ୧୭୫ ରନ କରିଥିଲେ। ସେ ସମୟରେ ନ୍ୟୁଜିଲ୍ୟାଣ୍ଡ ଟିମ୍ ରେ ବର୍ଟ ସଟଲିଫ, ଜନ ରିଡ, ଜନ ଏଲାବାଷ୍ଟର ଓ ପୂର୍ବତନ ଅଲରାଉଣ୍ଡର କ୍ରିସ୍ ହ୍ୟାରିସ୍ ଙ୍କ ପିତା ପାର୍କେ ଜିମ୍ପିନ ହ୍ୟାରିସ୍ ଙ୍କ ଭଳି ଖେଳାଳି ଖେଳୁଥିଲେ। ଏହି ମ୍ୟାଚ୍ ରେ ଦକ୍ଷିଣ କ୍ଷେତ୍ର ପରାଜିତ ହୋଇଥିଲା ହେଲେ ଗୋପିନାଥଙ୍କ ଇନିଂସ ତାଙ୍କ ଫ୍ୟାନସଙ୍କୁ ବେଶ୍ ରୋମାଞ୍ଚିତ କରିଥିଲା।

କ୍ରିକେଟ ଖେଳୁଥିବା ବେଳେ ଗୋପିନାଥ ଜାତୀୟ ଚୟନ କମିଟି ମୁଖ୍ୟ ଓ ୧୯୭୯ ଇଂଲଣ୍ଡ ଟୁର କାଳରେ ଭାରତୀୟ ଟିମ୍ର ମ୍ୟାନେଜର ଥିଲେ। ଜୀବିତ ଥିବା ବେଳେ ଗୋପିନାଥ ସମକାଳୀନ କ୍ରିକେଟକୁ ପୁରା ଉତ୍ସାହର ସହିତ ଅନୁସରଣ କରୁଥିଲେ। ସେ ଆଇପିଏଲ ଓ ଚେନ୍ନାଇ ସୁପର କିଙ୍ଗସର ଜଣେ ବଡ଼ ପ୍ରଶଂସକ ଥିଲେ।

Scroll to Top