ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ପାଟପୁର ନିକଟରେ ଜଣେ ମହିଳାଙ୍କ ତଣ୍ଟି ଓ ହାତକୁ ଭୁଜାଲିରେ ଆକ୍ରମଣ କରି ତାଙ୍କ ଗହଣା ଲୁଟ୍ କରିଥିବା ଅଭିଯୋଗ ହୋଇଛି।
Credit: OTV
ଆକ୍ରମଣ
ଜଗତସିଂହପୁରରେ ଦିନକୁ ଦିନ ବଢୁଛି ହିଂସାକାଣ୍ଡ। ପ୍ରତ୍ୟେକ ଦିନ ହିଂସାତ୍ମକ କାଣ୍ଡ ସାମନାକୁ ଆସିଛି। ବିଶେଷ କରି ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଜି ପୁଣି ଏକ ଘଟଣା ସାମନାକୁ ଆସିଛି। ସ୍ପଷ୍ଟ ଦିବାଲୋକରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। କିଛି ଦୁର୍ବୃତ୍ତ ମହିଳାଙ୍କ ତଣ୍ଟି ଓ ହାତକୁ ଭୁଜାଲିରେ ଆକ୍ରମଣ କରିବା ସହ ତାଙ୍କ ଗହଣା ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ପାଟପୁର ନିକଟରେ।
ମହିଳା ଜଣକ କୌଣସି କାମରେ ପାଟପୁର ଆସିଥିବା ବେଳେ, ସେଠାରେ ଅଭିଯୁକ୍ତ ରାଜେଶ ବେହେରା ଓ ତାର ଦୁଇ ସହଯୋଗୀ ମହିଳାଙ୍କୁ ଆକ୍ରମଣ କରିଥିଲେ। ସେ ରାସ୍ତାକଡ଼ରେ ପଡ଼ି ଛଟପଟ ହେଉଥିବା ଅବସ୍ଥାରେ, ସ୍ଥାନୀୟ ଲୋକେ ଘେରିଯାଇ ଅଭିଯୁକ୍ତ ରାଜେଶକୁ କାବୁ କରିଥିବା ବେଳେ, ଅନ୍ୟ ୨ ସହଯୋଗୀ ବାଇକରେ ଖସି ପଳାଇଥିଲେ। ପୋଲିସ ରାଜେଶକୁ ଅଟକ ରଖି ପଚରାଉଚରା କରୁଛି। ତଦନ୍ତ ପରେ ଅଭିଯୁକ୍ତର ଘର ଗଞ୍ଜାମ ଜିଲ୍ଲା ଶେରଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି।
ସେପଟେ ଗୁରୁତର ଅବସ୍ଥାରେ ମହିଳାଙ୍କୁ କୁଜଙ୍ଗ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ତେବେ ଏଭଳି ଉନ୍ମତ୍ତ କାଣ୍ଡ ପଛର କାରଣ କେବଳ ଲୁଟପାଟ୍ ନା ଆଉ କିଛି ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।





