୨୦୨୪ ଜୁଲାଇରୁ ମହାରାଷ୍ଟ୍ର ରାଜ୍ୟପାଳ ଅଛନ୍ତି ସି.ପି. ରାଧାକ୍ରିଷ୍ଣନ। ତାଙ୍କୁ NDA ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।
ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି NDA। ବିଜେପି ସଂସଦୀୟ ବୋର୍ଡ ବୈଠକ ପରେ, NDA ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚନ୍ଦ୍ରପୁରମ୍ ପୋନ୍ନୁସାମି ରାଧାକ୍ରିଷ୍ଣନଙ୍କ ନାଁ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।
୨୦୨୪ ଜୁଲାଇରୁ ସେ ମହାରାଷ୍ଟ୍ର ରାଜ୍ୟପାଳ ଥିବା ବେଳେ, ଏହା ପୂର୍ବରୁ ୨୦୨୩ ଫେବ୍ରୁଆରୀରୁ ସେ ଝାଡ଼ଖଣ୍ଡର ରାଜ୍ୟପାଳ ବି ରହିଥିଲେ। ପୂର୍ବରୁ ତେଲେଙ୍ଗାନା ରାଜ୍ୟପାଳ ଏବଂ ପୁଡୁଚେରୀ ଉପରାଜ୍ୟପାଳ ଭାବରେ ମଧ୍ୟ ଅତିରିକ୍ତ ଦାୟିତ୍ବ ସମ୍ଭାଳିଥିଲେ ୬୭ ବର୍ଷୀୟ ସି.ପି. ରାଧାକ୍ରିଷ୍ଣନ୍। ରାଜନୈତିକ କ୍ୟାରିୟର କଥା ଦେଖିଲେ, ୧୯୫୭ ଅକ୍ଟୋବର ୨୦ରେ ତାମିଲନାଡୁ ତିରୁପୁରରେ ଜନ୍ମଗ୍ରହଣ କରିଥିବା ରାଧାକ୍ରିଷ୍ଣନ୍, ୧୯୯୮ରେ ପ୍ରଥମେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ କୋଏମ୍ବାଟୁରରୁ ୨ ଥର ସାଂସଦ ବନିଥିଲେ। ୨୦୦୩ରୁ ୨୦୦୬ ଯାଏଁ ସେ ତାମିଲନାଡୁ ବିଜେପି ସଭାପତି ଥିଲେ। ୧୬ ବର୍ଷ ବୟସରୁ RSS ଓ ଜନସଂଘ ସହ ଜଡ଼ିତ ଅଛନ୍ତି ସି.ପି. ରାଧାକ୍ରିଷ୍ଣନ୍।
NDA ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାଙ୍କ ନାଁରେ ମୋହର ମାରିଥିବା ବେଳେ ଆସନ୍ତା ୨୧ ତାରିଖ ରହିଛି ନାମାଙ୍କନର ଶେଷ ତାରିଖ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସେପ୍ଟେମ୍ବର ୯ରେ ହେବ ଭୋଟିଂ। ସେହିଦିନ ହିଁ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ସୂଚନା ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେପି ସଂସଦୀୟ ବୋର୍ଡ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗ ଦେଇଥିଲେ।
Also Read
NDA ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାଁ ଘୋଷଣା ହେବା ପରେ ମୋଦି, ଶାହ ଓ ନଡ୍ଡାଙ୍କ ସମେତ ସମସ୍ତ NDA ସହଯୋଗୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସି.ପି. ରାଧାକ୍ରିଷ୍ଣନ୍। “ଆମ ପ୍ରିୟ ଲୋକଙ୍କ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ହୃଦୟରୁ ଧନ୍ୟବାଦ” ବୋଲି ସେ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି। “ବିଜେପି ପାର୍ଲାମେଣ୍ଟାରୀ ବୋର୍ଡ ସଦସ୍ୟ, ସମସ୍ତ କେନ୍ଦ୍ରମନ୍ତ୍ରୀ, ସମସ୍ତ NDA ପାର୍ଟନରଙ୍କୁ ମଧ୍ୟ ମୋତେ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବାଛିଥିବାରୁ ଧନ୍ୟବାଦ। ମୋ ଉପରେ ଆସ୍ଥା ରଖିଥିବାରୁ ଏବଂ ଦେଶସେବା ଲାଗି ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇବା ସହ ମୁଁ ଶେଷ ନିଶ୍ବାସ ପର୍ଯ୍ୟନ୍ତ ଦେଶ ପାଇଁ କଠିନ ପରିଶ୍ରମ ଜାରି ରଖିବି” ବୋଲି ସେ ଲେଖିଛନ୍ତି।




