Shubhamitra Murder: କନେଷ୍ଟବଳ ଶୁଭମିତ୍ରା ହତ୍ୟା ମାମଲାରେ ବଡ଼ ମୋଡ଼, ଦୀପକର ବଡ଼ ଭାଇକୁ ମାଷ୍ଟରମାଇଣ୍ଡ କହିଲେ ଶୁଭମିତ୍ରାଙ୍କ ବାପା

shubhamitra-murder:-କନେଷ୍ଟବଳ-ଶୁଭମିତ୍ରା-ହତ୍ୟା-ମାମଲାରେ-ବଡ଼-ମୋଡ଼,-ଦୀପକର-ବଡ଼-ଭାଇକୁ-ମାଷ୍ଟରମାଇଣ୍ଡ-କହିଲେ-ଶୁଭମିତ୍ରାଙ୍କ-ବାପା

ଖୋଲୁଛି ଲେଡି କନେଷ୍ଟବଳ ଶୁଭମିତ୍ରା ହତ୍ୟାର ସାଂଘାତିକ ଗୁମର। ଫିଟୁଛି କିଲର୍ ଦୀପକ ରାଉତର ନୂଆ ଥିଓରୀ। ଦ୍ବିତୀୟ ପତ୍ନୀ ଶୁଭମିତ୍ରାଙ୍କୁ ମନି ପାଇଁ ମର୍ଡର ମାମଲାରେ ଦୀପକ ଓ ଅନ୍ୟ ୩ ସହଯୋଗୀଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଦୀପକକୁ ଚାକିରୀରୁ ନିଲମ୍ବନ ବି କରାଯାଇଛି। ହେଲେ ପ୍ରଥମ ପତ୍ନୀର ମୃତ୍ୟୁ ଯେ ଦୁର୍ଘଟଣାରୁ ହୋଇଛି, ମାନିବାକୁ ପ୍ରସ୍ତୁତ ନୁହଁନ୍ତି ପରିବାର ଲୋକେ। ହତ୍ୟା ଭଳି ସଂଗୀନ ଅଭିଯୋଗ ଆଣି ଏହାର ସାନି ତଦନ୍ତ ଦାବି କରିଛନ୍ତି। ଅପରପକ୍ଷେ ଅନ୍ତିମ ସତ୍କାର ସାରି ଶୁଭମିତ୍ରାଙ୍କ ବାପା ଆଣିଛନ୍ତି ନୂଆ ଥିଓରୀ। କହିଛନ୍ତି, ବୀମା ଟଙ୍କା ହଡ଼ପ ପାଇଁ ବିଲଡର ଥିବା ଦୀପକଙ୍କ ବଡ଼ଭାଇ ହିଁ ଏହି ହତ୍ୟାର ମାଷ୍ଟରମାଇଣ୍ଡ।…

ଲେଡ଼ି କନେଷ୍ଟବଳ ଶୁଭମିତ୍ରା ହତ୍ୟାକାରୀ ଦୀପକ ରାଉତର ଖେଳ ଖତମ୍…ବନ୍ଧା ହେବା ପରେ ଗଲା ଝାରପଡ଼ା ଜେଲ୍…ଜେଲ୍ ଯିବା ଆଗରୁ କୋର୍ଟରେ ଲୁହ ଗଡ଼ାଇଥିଲା ଦୀପକ…ତେଣେ ଯେଉଁ ବିଭାଗରେ ଚାକିରୀ କରି ଅତି ଚତୁରତାର ସହ ଖେଳୁଥିଲା ଖୁନୀ ଖେଳ, ସେହି ବିଭାଗର ଚାକିରୀ ବି ଗୋଲ୍। ଅର୍ଥାତ ସସପେଣ୍ଡ କରିଛନ୍ତି ଭୁବନେଶ୍ବର ଡିସିପି। କେବଳ ସେ ନୁହେଁ, ତାର ସଂପର୍କୀୟ ଭାଇ ବିନୋଦ ଓରଫ୍ ପପୁ ଏବଂ କେନ୍ଦୁଝରରେ ଶୁଭମିତ୍ରାଙ୍କ ଡେଡବଡ଼ି ପୋତା ଯାଇଥିବା ଜମି ମାଲିକକୁ ମଧ୍ୟ ଜେଲ୍ ପଠାଇଛି ପୋଲିସ।

ହେଲେ ସାମ୍ନାକୁ ଆସିଛି ସାତିର୍ ଦିମାଗଧାରୀ ଦୀପକର ସାଂଘାତିକ ଷ୍ଟୋରୀ। ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀ। ଢେଙ୍କାନାଳ ପର୍ଜଙ୍ଗ ସ୍ଥିତ କନ୍ଦରସିଂହାର ରାଜସ୍ବ ନିରୀକ୍ଷକ। ଯାହାଙ୍କୁ ୨୦୧୮, ଏପ୍ରିଲ୍ ୨୫ରେ ପ୍ରେମ ବିବାହ କରିଥିଲା ଦୀପକ। କିନ୍ତୁ ୪ ବର୍ଷ ତଳେ ଯେଉଁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା କୁହାଯାଇଥିଲା, ତାକୁ ନେଇ ଏବେ ଉଠିଛି ପ୍ରଶ୍ନ। କାରଣ ଦୁର୍ଘଟଣା ନୁହେଁ, ହତ୍ୟା କରାଯାଇଥିବା ସଂଗୀନ ଅଭିଯୋଗ ଆଣିଛନ୍ତି ଅପର୍ଣ୍ଣାଙ୍କ ପରିବାର ଲୋକେ।

Also Read

୨୦୨୨, ମାର୍ଚ୍ଚ ୧୭। ଦୀପକ ଏତଲାରେ ଦର୍ଶାଇଥିଲେ, ପତ୍ନୀ ଅପର୍ଣ୍ଣାଙ୍କ ସହ ଭୁବନେଶ୍ବରରୁ ଢେଙ୍କାନାଳ ଯିବାବେଳେ ତାଙ୍କର OD02R-8494 ନମ୍ବର ହୋଣ୍ଡାସିଟି ଖୁଣ୍ଟୁଣୀ ଅଞ୍ଚଳରେ ପଙ୍କଚର୍ ହୋଇଯାଇଥିଲା। ସେହି କାରରୁ ବାହାରି ଛିଡ଼ା ହୋଇଥିବାବେଳେ ଦ୍ରୁତଗତିରେ ଯାଉଥିବା ଏକ ଟ୍ରକ ଚକରୁ ପଥର ଉଡ଼ି ଆସି ବାଜିଥିଲା ଅପର୍ଣ୍ଣାଙ୍କ ମୁଣ୍ଡରେ।

ଫଳରେ ସେ ଗୁରୁତର ହୋଇ ପ୍ରାଣ ହରାଇଥିଲେ। ହେଲେ ନା କେହି ସାକ୍ଷୀ ଥିଲେ ନା କେଉଁ ଟ୍ରକରୁ ଉଡ଼ିଆସିଲା ପଥର, କିଛି ଦର୍ଶାଇନଥିବାରୁ ଅପର୍ଣ୍ଣାଙ୍କ ପରିବାରର ଅଭିଯୋଗ, ବୀମା ରାଶି ହଡ଼ପ ପାଇଁ ଝିଅକୁ ହତ୍ୟା କରାଯାଇଛି। ଏହାର ସାନି ତଦନ୍ତ ପାଇଁ ଦାବି କରିଥିବାବେଳେ ସିପି ମଧ୍ୟ ଏଦିଗରେ ଇସାରା ଦେଇସାରିଛନ୍ତି।
ବୀମା ଟଙ୍କା ପାଇଁ ଯଦି ପ୍ରଥମ ପତ୍ନୀ ଅପର୍ଣ୍ଣାକୁ ହତ୍ୟା କରି ଖସିଯାଇଥିଲା ଦୀପକ, ତାହେଲେ କ’ଣ ସମାନ ଥିଓରୀ ଆପଣାଇ ଦ୍ବିତୀୟ ପତ୍ନୀ ତଥା ଶୁଭମିତ୍ରାଙ୍କ ବି ଜୀବନ ନେଇଥିଲା କି? ସମାନ କାର୍, ସମାନ ଢଙ୍ଗର ଷଡ଼ଯନ୍ତ୍ର, ହତ୍ୟା ପଛରେ ସେହି ଟଙ୍କା ଲୋଭ।

୨୦୨୫, ସେପଟେମ୍ବର ୬। ସାଢ଼େ ଗୋଟାଏବେଳେ ସିପି ଅଫିସରୁ ସେହି ହୋଣ୍ଡାସିଟିରେ ବସି ଉଭୟ ଶୁଭମିତ୍ରା ଏବଂ ଦୀପକ ବାହାରି ଯାଇଥିଲେ, ଯାହାର ଦୃଶ୍ୟ ରହିଛି ସିସିଟିଭିରେ। କିନ୍ତୁ କିଛି ସମୟ ପରେ ଭୁବନେଶ୍ବର ୬ ନମ୍ବରରେ କାରରେ ତଣ୍ଟି ଚିପି ହତ୍ୟା ପରେ ସେହି କାରରେ ଡେଡବଡ଼ି ଆଣି ସିପି ଅଫିସ ପାର୍କିଂରେ କାର୍ ରଖିଥିଲା ଦୀପକ। ଅପରାହ୍ନ ୩ରୁ ୪ଟା ୧୫ ପର୍ଯ୍ୟନ୍ତ ଅଫିସରେ ଡ୍ୟୁଟି ବି କରିଥିଲା ସେ। ପରେ ମୃତଦେହକୁ ଧରି ବାହାରିଯାଇଥିଲା କେନ୍ଦୁଝରର ଘଟଗାଁ ଅଞ୍ଚଳକୁ।

ଶୁଭମିତ୍ରା ଯେ କେତେ ଖୁସିରେ ଥିଲେ, ଏହି ରିଲସ ହିଁ ବଖାଣୁଛି। ମୃତ୍ୟୁ ପୂର୍ବରୁ ଦୀପକଙ୍କୁ କାଶୀ କିମ୍ବା ବୃନ୍ଦାବନ ପଳାଇବାକୁ ଇଚ୍ଛା ହେଉଛି ବୋଲି ମେସେଜ୍ ପଠାଇଥିଲେ ଶୁଭମିତ୍ରା। ତେବେ ଏଭଳି ହତାଶାପୂର୍ଣ୍ଣ ମେସେଜ୍ କାହିଁକି ? ସଂପର୍କରେ ତିକ୍ତତାରୁ ନା ୨୦ ଲକ୍ଷ ଟଙ୍କା ମାଗି ମାଗି ହତାଶ ହେବାରୁ ? ତାକୁ ନେଇ ଚର୍ଚ୍ଚା ଭିତରେ ଏହି ମେସେଜକୁ ଧରି ସେପଟେମ୍ବର ୧୨ରେ ମଥୁରା ଓ ବୃନ୍ଦାବନରେ ସେତେବେଳେ ନିଖୋଜ ଶୁଭମିତ୍ରାଙ୍କ ପୋଷ୍ଟର ମାରିଥିଲା କମିଶନରେଟ୍ ପୋଲିସ। କିନ୍ତୁ ସବୁ ଭୁଆଁ ବୁଲାଇଥିଲା ଦୀପକ।

ଏବେ ଜଣାପଡ଼ିବା ପରେ ଖୋଜାଚାଲିଛି ଦୀପକର ଆର୍ଥିକ କାରବାରକୁ। ଏସବୁ ତନାଘନା ଭିତରେ ପୁରୀରେ ଶୁଭମିତ୍ରାଙ୍କ ଅନ୍ତିମ ସତ୍କାର କରିଛନ୍ତି ପରିବାର ଲୋକେ। ତେବେ ନୂଆ ଥିଓରୀ ଆଣି ବିଲଡର୍ ଥିବା ଦୀପକ ରାଉତର ବଡ଼ଭାଇ ହିଁ ହତ୍ୟାର ମାଷ୍ଟରମାଇଣ୍ଡ ବୋଲି କହିଛନ୍ତି ଶୁଭମିତ୍ରାଙ୍କ ବାପା।

ଅଧିକ ପଢ଼ନ୍ତୁ: ଦିଶା ପଟାନୀଙ୍କ ଘରକୁ ଗୁଳିମାଡ଼ ଘଟଣା: ପୋଲିସ ଏନକାଉଣ୍ଟରରେ ପଞ୍ଚମ ଅଭିଯୁକ୍ତ ଆହତ
 

Scroll to Top