Schools Closed: ପ୍ରବଳ ବର୍ଷା ଯୋଗୁଁ ଜୀବନଯାତ୍ରା ପ୍ରଭାବିତ, ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ଛୁଟି

schools-closed:-ପ୍ରବଳ-ବର୍ଷା-ଯୋଗୁଁ-ଜୀବନଯାତ୍ରା-ପ୍ରଭାବିତ,-ସ୍କୁଲ-ଓ-ଅଙ୍ଗନୱାଡି-କେନ୍ଦ୍ର-ଛୁଟି

ଆଜି ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି ହୋଇଥିବାରୁ ଜିଲ୍ଲାର ସବୁ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ମାଲକାନଗିରି ଜିଲ୍ଲାପାଳ।

ଲଘୁଚାପଜନିତ ବର୍ଷାରେ ମାଲକାନଗିରି ଜିଲ୍ଲାରେ ସାଂଘାତିକ ସ୍ଥିତି। ବୁଡ଼ିଗଲାଣି ରାଜପଥ। ତଳିଆ ଅଞ୍ଚଳରେ ପଶିଗଲାଣି ପାଣି। ଫଳରେ ଜନଜୀବନ ପ୍ରଭାବିତ ହେବାରେ ଲାଗିଛି। ସହର ଦେଇ ଯାଇଥିବା ଜାତୀୟ ରାଜପଥ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି। NH ୩୨୬ ପୋଟେରୁ-କଂଗୃକୋଣ୍ଡା ପୋଲ ଉପରେ ୫ ଫୁଟ୍ ପାଣି ଏହଡି ଭାଙ୍ଗୁଛି। କାଲିମେଳା ଓ ପଡିଆ ମୁଖ୍ୟରାସ୍ତାର କନ୍ୟାଶ୍ରମ ପୋଲ ଉପରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଛି। ଯାହା ଫଳରେ କାଲିମେଳା ଓ ପଡିଆକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ବର୍ଷା ଲାଗି ରହିଥିବାରୁ ସ୍ଥିତି ଜଟିଳ ହେବାର ଆଶଙ୍କା କରାଯାଉଛି। ଆଜି ବି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସମସ୍ତ ସରକାରୀ, ଘରୋଇ ଶିକ୍ଷାନୁଷ୍ଠାନ ସହ ଅଙ୍ଗନୱାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି ମାଲକାନଗିରି ଜିଲ୍ଲାପାଳ। ଆଜି ପାଇଁ ମାଲକାନଗିରି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ ଥିବା କହିଛନ୍ତି ଜିଲ୍ଲାପାଳ।

ସେପଟେ ଗଜପତି ଜିଲ୍ଲାରେ ବି ବର୍ଷାର ତାଣ୍ଡବ। ମୋହନା ଅଞ୍ଚଳରେ ଦୁଇ ଦିନ ହେଲାଣି ବର୍ଷା ଲାଗି ରହିଛି। ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବିଶେଷ କରି ଆଭ୍ୟନ୍ତରୀଣ ଅଞ୍ଚଳ ଗୁଡିକରେ ସାଂଘାତିକ ପ୍ରଭାବିତ ହୋଇଛି ଜୀବନ ଯାତ୍ରା। ପ୍ରବଳ ବର୍ଷାରେ ବାଲିବାଡ ଗାଁ ନିକଟସ୍ଥ ପାହଡ଼ରୁ ମାଟି ଅତଡ଼ା ଖସି ଯାତାୟାତ ବାଧାପ୍ରାପ୍ତ ହୋଇଛି। ଶିରିଶିପଦା ଗାଁଠାରୁ ବାଲିବାଡ, ରାମଚନ୍ଦ୍ରପୁର, ଶ୍ୟାମଚନ୍ଦ୍ରପୁର ଓ ପେନ୍ଦ୍ରାଖାଲ ଆଦି ଗାଁ ଏକ ପ୍ରକାର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି।

Also Read

ଅଧିକ ପଢନ୍ତୁ: ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଓଟିଭି ହ୍ଵାଟ୍ସଅପ

Scroll to Top