ନୂଆଦିଲ୍ଲୀ: ଦିଲ୍ଲୀର କ୍ଷମତାସୀନ ଆମ୍ ଆଦମୀ ପାର୍ଟି (AAP) ମଧ୍ୟରେ ଏବେ ସବୁକିଛି ଠିକ୍ ଚାଲିନାହିଁ। ଦଳ ଏବଂ ଏହାର ଷ୍ଟାର୍ ସାଂସଦ ରାଘବ ଚଢ଼ାଙ୍କ ମଧ୍ୟରେ ଥିବା ବିବାଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ରାଜ୍ୟସଭାରେ ଦଳର ଉପନେତା (Deputy Leader) ପଦରୁ ହଟାଯିବାର ଗୋଟିଏ ଦିନ ପରେ ରାଘବ ଚଢ଼ା ସିଧାସଳଖ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ହାଇକମାଣ୍ଡଙ୍କୁ ଟାର୍ଗେଟ୍ କରିଛନ୍ତି। ସଂସଦରେ ରାଘବଙ୍କୁ କହିବାକୁ ସୁଯୋଗ ନଦେବା ପାଇଁ ଆପ୍ (AAP) ପକ୍ଷରୁ ରାଜ୍ୟସଭା ସଚିବାଳୟକୁ ଅନୁରୋଧ କରାଯିବା ପରେ ସେ ଏହି ପ୍ରତିକ୍ରିୟା ରଖିଛନ୍ତି।
‘ମୋତେ ଚୁପ୍ କରାଯାଇଛି, ହରାଇ ଦିଆଯାଇନି’
ପୁରୁଣା ସଂସଦ ଭବନ ବାହାରେ ସୁଟ୍ ହୋଇଥିବା ଏକ ଭିଡିଓ ବାର୍ତ୍ତା ରାଘବ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହାର ଶୀର୍ଷକ ରହିଛି- ‘Silenced, not defeated’ ଅର୍ଥାତ୍ ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାରିନାହିଁ। ଏହି ବାର୍ତ୍ତାକୁ ସେ ସାଧାରଣ ଲୋକଙ୍କ (Aam Aadmi) ଉଦ୍ଦେଶ୍ୟରେ ଜାରି କରିଥିବା କହିଛନ୍ତି।
ରାଘବ ଭିଡିଓରେ କହିଛନ୍ତି ଯେ, “ଯେତେବେଳେ ବି ମୋତେ ସଂସଦରେ କହିବାକୁ ସୁଯୋଗ ମିଳେ, ମୁଁ ଜନସାଧାରଣଙ୍କ ପ୍ରସଙ୍ଗ ଉଠାଏ। ବୋଧହୁଏ ମୁଁ ଏମିତି ପ୍ରସଙ୍ଗ ଉଠାଏ ଯାହା ସାଧାରଣତଃ ସଂସଦରେ ଉଠାଯାଏ ନାହିଁ। କିନ୍ତୁ ଜନସାଧାରଣଙ୍କ ସମସ୍ୟା ଉଠାଇବା କ’ଣ ଅପରାଧ? ମୁଁ କ’ଣ କିଛି ଭୁଲ୍ କରିଛି?”
ସେ ଆହୁରି କହିଛନ୍ତି, “ରାଘବ ଚଢ଼ାଙ୍କୁ ସଂସଦରେ କହିବାରୁ ଅଟକାଇବାକୁ ଆପ୍ (AAP) ରାଜ୍ୟସଭା ସଚିବାଳୟକୁ କହିଛି। ଯେଉଁମାନେ ଆଜି ସଂସଦରେ କହିବାରୁ ମୋର ଅଧିକାର ଛଡ଼ାଇ ନେଇ ମୋତେ ଚୁପ୍ କରାଇଛନ୍ତି, ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ମୋର ନୀରବତାକୁ ମୋର ପରାଜୟ ବୋଲି ଭାବନ୍ତୁ ନାହିଁ। ମୁଁ ସେହି ନଦୀ ଯାହା ସମୟ ଆସିଲେ ବନ୍ୟାର ରୂପ ନେଇପାରେ।”
ସାଧାରଣ ଲୋକଙ୍କ ପ୍ରସଙ୍ଗ କାହିଁକି ବାଧିଲା?
ରାଘବ ଦାବି କରିଛନ୍ତି ଯେ ସେ ସଂସଦରେ ସବୁବେଳେ ସାଧାରଣ ନାଗରିକଙ୍କ ଦୈନନ୍ଦିନ ସମସ୍ୟା ବିଷୟରେ କଥା ହୁଅନ୍ତି।
- ସେ ବିମାନବନ୍ଦରରେ ଖାଦ୍ୟର ଅତ୍ୟଧିକ ଦାମ୍, ଜୋମାଟୋ-ବ୍ଲିଙ୍କିଟ୍ (Zomato Blinkit) ଡେଲିଭରୀ ବୟଙ୍କ ସମସ୍ୟା ଏବଂ ଖାଦ୍ୟରେ ଅପମିଶ୍ରଣ କଥା ଉଠାଇଛନ୍ତି।
- ଟୋଲ୍ ପ୍ଲାଜା ଓ ବ୍ୟାଙ୍କ ଚାର୍ଜ ନାଁରେ ଚାଲିଥିବା ଲୁଟ୍ ଏବଂ କଣ୍ଟେଣ୍ଟ କ୍ରିଏଟରଙ୍କ ଉପରେ ପଡ଼ୁଥିବା ଟିକସ ବୋଝ ବିଷୟରେ ସ୍ୱର ଉତ୍ତୋଳନ କରିଛନ୍ତି।
- ଟେଲିକମ୍ କମ୍ପାନୀଗୁଡ଼ିକ ୧୨ ମାସରେ ୧୩ ଥର ରିଚାର୍ଜ କରାଇବା ଏବଂ ଡାଟା ରୋଲଓଭର (Data rollover) ନଦେବା ଭଳି ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି।
ରାଘବ ପ୍ରଶ୍ନ କରିଛନ୍ତି ଯେ, “ଯଦି ଏହି ସବୁ ପ୍ରସଙ୍ଗ ଉଠାଇବା ଦ୍ୱାରା ଦେଶର ସାଧାରଣ ଲୋକଙ୍କ ଲାଭ ହେଉଛି, ତେବେ ଏଥିରେ ଆମ୍ ଆଦମୀ ପାର୍ଟିର କ୍ଷତି କ’ଣ ହେଲା? କିଏ ମୋତେ କହିବାରୁ ଅଟକାଇବାକୁ ଚାହୁଁଛି?”
ସୂଚନାଯୋଗ୍ୟ ଯେ, ଗୋଟିଏ ଦିନ ପୂର୍ବରୁ ଆପ୍ ପକ୍ଷରୁ ରାଘବଙ୍କ ବଦଳରେ ଅଶୋକ କୁମାର ମିତ୍ତଲଙ୍କୁ ରାଜ୍ୟସଭାରେ ଦଳର ନୂଆ ଉପନେତା ଭାବେ ନିଯୁକ୍ତ କରାଯାଇଛି। କେବେ ଅରବିନ୍ଦ କେଜ୍ରିୱାଲଙ୍କ ଅତି ଖାସ୍ ଓ ଦଳର ପ୍ରମୁଖ ଚେହେରା ଥିବା ରାଘବଙ୍କୁ ଏବେ ଦଳ କୋଣଠେସା କରୁଥିବା ସ୍ପଷ୍ଟ ହୋଇଛି।
ପାଲଟା ଆକ୍ରମଣ କଲା ‘ଆପ୍’, କହିଲା- ‘ଯିଏ ଡରିଗଲା, ସିଏ ମରିଗଲା’
ରାଘବଙ୍କ ଏହି ଭିଡିଓ ବାର୍ତ୍ତା ପରେ ଆପ୍ (AAP) ର ବରିଷ୍ଠ ନେତାମାନେ ମଧ୍ୟ ଖୋଲାଖୋଲି ଭାବେ ତାଙ୍କ ଉପରେ ଆକ୍ରମଣ କରିଛନ୍ତି।
- ଦଳର ବରିଷ୍ଠ ନେତା ସୌରଭ ଭରଦ୍ୱାଜ ଏକ୍ସ (X) ରେ ଏକ ଭିଡିଓ ସେୟାର କରି ହିନ୍ଦୀ ସିନେମା ଶୋଲେ ର ଡାଇଲଗ୍ ଲେଖିଛନ୍ତି- “ଯୋ ଡର୍ ଗୟା, ସମଝୋ ମର୍ ଗୟା” (ଯିଏ ଡରିଗଲା, ସିଏ ମରିଗଲା)।
Just saw ur video Raghav bhai.
I just want to say – “जो डर गया, समझो मर गया” pic.twitter.com/cgXN9cI4aG— Saurabh Bharadwaj (@Saurabh_MLAgk) April 3, 2026
हम केजरीवाल के सिपाही हैं। निडरता पहली पहचान है हमारी।
कोई मोदी से डर जाए तो लड़ेगा क्या देश के लिए?
संसद में थोड़ा सा समय मिलता है बोलने का पार्टी को, उसमें या तो देश बचाने का संघर्ष कर सकते हैं या एयरपोर्ट कैंटीन में समोसे सस्ते करवाने का।
गुजरात में हमारे सैंकड़ों…
— Anurag Dhanda (@anuragdhanda) April 3, 2026
- ସେହିପରି ଆପ୍ର ଆଇଟି ସେଲ୍ ମୁଖ୍ୟ ଅନୁରାଗ ଧାଣ୍ଡା କହିଛନ୍ତି, “ସଂସଦରେ ଦଳକୁ କହିବା ପାଇଁ ବହୁତ କମ୍ ସମୟ ମିଳେ। ସେହି ସମୟ ମଧ୍ୟରେ ଆମେ ହୁଏତ ଦେଶକୁ ବଞ୍ଚାଇବା ପାଇଁ ଲଢ଼େଇ କରିପାରିବୁ କିମ୍ବା ଏୟାରପୋର୍ଟ କ୍ୟାଣ୍ଟିନରେ ‘ସମୋସା’ ଦାମ୍ କମାଇବା ପାଇଁ ଝଗଡ଼ା କରିପାରିବୁ।”
- ରାଘବଙ୍କ ସାହସକୁ ନେଇ ପ୍ରଶ୍ନ ଉଠାଇ ଧାଣ୍ଡା ଆହୁରି କହିଛନ୍ତି, “ଯଦି କେହି ମୋଦୀଙ୍କୁ ଭୟ କରେ, ତେବେ ସେ କ’ଣ ଦେଶ ପାଇଁ ଲଢ଼ିପାରିବ?” ଜାତୀୟ ପ୍ରସଙ୍ଗରେ ରାଘବ ସଠିକ୍ ଆଭିମୁଖ୍ୟ ଗ୍ରହଣ କରୁନଥିବା ଦଳ ଅଭିଯୋଗ ଆଣିଛି।




