କୁକୁର କାମୁଡ଼ିଲେ ମିଳିବ କାରାଦଣ୍ଡ। ଜୀବନ ସାରା ଜେଲରେ କଟିବ ଦିନ। ଚର୍ଚ୍ଚାରେ ଯୋଗୀ ସରକାରଙ୍କ ଅଜବ ନିୟମ ।
ସହରରେ ଆତଙ୍କ ରଚୁଛନ୍ତି ବୁଲା କୁକୁର। କେତେବେଳେ ପଥଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛନ୍ତି। ତ କେତେବେଳ ଛୋଟପିଲା ଓ ମହିଳାଙ୍କୁ କରୁଛନ୍ତି ଆକ୍ରମଣ। ଏମିତିକି ବୁଲା କୁକୁରଙ୍କ ପାଇଁ ଆତଙ୍କିତ ହୋଇ ଲୋକେ ଘରୁ ନବାହାରୁଥିବା ଦେଖିବାକୁ ମିଳିଛି। ତେବେ ଏହି ସମସ୍ୟାର ସମାଧାନ ପାଇଁ ଉତ୍ତରପ୍ରଦେଶରେ ସରକାର ଆଣିଛନ୍ତି ଏକ ଅଜବବ ନିୟମ। ଉତ୍ତରପ୍ରଦେଶରେ ଲୋକମାନେ କୁକୁର ଆକ୍ରମଣର ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାର ଏହି ନିୟମ ଆଣିଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ୟୁପିରେ ଦୁଇ ଥର କାମୁଡୁଥିବା କୁକୁରଙ୍କୁ ମିଳିବ ଦଣ୍ଡ। ଆଉ ସେହି କୁକୁରଙ୍କୁ ଆଜୀବନ ଆନିମଲ ବାର୍ଥ କଣ୍ଟ୍ରୋଲ ବା ଏବିସି ସେଣ୍ଟରରେ ଛାଡି ଦିଆଯିବ। ସରକାର ଏନେଇ ସମସ୍ତ ନଗର ନିଗମକୁ ଆଦେଶ ଜାରି କରିଛନ୍ତି। ଯେଉଁଥିରେ ଆକ୍ରମଣକାରୀ ଓ ହିଂସ୍ର କୁକୁରମାନଙ୍କ ପାଇଁ ଏକ ଅଭିନବ ଦଣ୍ଡର ବ୍ୟବସ୍ଥା କରାଯାଇଛି।
ଯୋଗୀ ସରକାରଙ୍କ ନଗର ଉନ୍ନୟନ ବିଭାଗ ଦ୍ୱାରା ଜାରି ଆଦେଶ ଅନୁଯାୟୀ, ଯଦି କୌଣସି ବ୍ୟକ୍ତିକୁ ପ୍ରଥମ ଥର କୁକୁର କାମୁଡ଼ିଥାଏ, ତେବେ ସେହି କୁକୁରକୁ ୧୦ ଦିନର ଦଣ୍ଡ ଦିଆଯିବ। ଏହି ସମୟରେ କାମୁଡ଼ିବା କୁକୁରକୁ ଏନିମାଲ ବର୍ଥ କଣ୍ଟ୍ରୋଲ ସେଣ୍ଟରରେ ରଖାଯିବ। ଏହା ପରେ କୁକୁରର ଶରୀରରେ ମାଇକ୍ରୋଚିପ୍ ଲଗାଯାଇ ଛଡାଯିବ। ଏହା ଦ୍ବାରା କୁକୁର ଉପରେ ସମ୍ପୂର୍ଣ୍ଣ ନଜର ରଖାଯିବ। ଯଦି ସେହି କୁକୁର ଦ୍ୱିତୀୟ ଥର କାହାକୁ କାମୁଡ଼ିବ, ତେବେ ତିନି ଜଣିଆ ଟିମ୍ ଏହାର ତଦନ୍ତ କରିବ। ତଦନ୍ତ ଟିମ୍ରେ ପଶୁଧନ ଅଧିକାରୀ, ସ୍ଥାନୀୟ ନିଗମର ପ୍ରତିନିଧି ଏବଂ ଏସପିସିଏର ସଦସ୍ୟ ରହିବେ। ତଦନ୍ତରୁ ଜାଣିବାକୁ ଚେଷ୍ଟା କରାଯିବ ଯେ କୁକୁରଟିକୁ ଆକ୍ରମଣ କରିବାକୁ ଉତ୍ତେଜିତ କରାଯାଇଥିଲା କି ନାହିଁ।
Also Read
ଯଦି ଆକ୍ରମଣ ପାଇଁ କୁକୁରଟି ସ୍ୱତଃପ୍ରଭୁତ ଭାବେ ଆକ୍ରମଣ କରିଥିବ। ତେବେ ତାକୁ ଆଜୀବନ ଏବିସି ସେଣ୍ଟରରେ ରଖାଯିବ। ଅର୍ଥାତ୍ କୁକୁରକୁ ମିଳିବ ଆଜୀବନ କାରାଦଣ୍ଡ। ଏବିସି ସେଣ୍ଟରରେ ରଖାଯାଉଥିବା କୁକୁରମାନଙ୍କୁ ରେବିଜ୍ ରୋଧୀ ଟିକା ଦିଆଯିବ। ଏକ ଫର୍ମରେ କୁକୁରର ସମ୍ପୂର୍ଣ୍ଣ ବିବରଣୀ ରଖାଯିବ। କୁକୁରର ସ୍ୱାସ୍ଥ୍ୟ ଓ ଆଚରଣର ନିରୀକ୍ଷଣ କରାଯିବ। ଏହା ସହିତ ତାର ଗତିବିଧି ଯାଞ୍ଚ କରିବା ପାଇଁ ଭିଡିଓ ରେକର୍ଡିଂ ମଧ୍ୟ କରାଯିବ।
ତେବେ, ଆକ୍ରମଣକାରୀ ଓ ହିଂସ୍ର କୁକୁରମାନଙ୍କୁ ଦଣ୍ଡ ଦେବା ପାଇଁ ଜାରି ଆଦେଶରେ କିଛି ସର୍ତ୍ତ ମଧ୍ୟ ରଖାଯାଇଛି। ଏଥିପାଇଁ ପୀଡ଼ିତ ବ୍ୟକ୍ତିଙ୍କୁ ସରକାରୀ ହସ୍ପିଟାଲରେ ଚିକିତ୍ସାର ପ୍ରମାଣପତ୍ର ଦେବାକୁ ହେବ।




