Negligence in Government Schools: ରାଜ୍ୟର ସରକାରୀ ସ୍କୁଲରେ ଚାଲିଛି କ’ଣ ? ସୁନ୍ଦରଗଡ଼ ଜର୍ଡ଼ାରେ ବନ୍ଦ ବାକ୍ସରୁ ବେହୋସ ସ୍ଥିତିରେ ଛାତ୍ର ଉଦ୍ଧାର

negligence-in-government-schools:-ରାଜ୍ୟର-ସରକାରୀ-ସ୍କୁଲରେ-ଚାଲିଛି-କ’ଣ-?-ସୁନ୍ଦରଗଡ଼-ଜର୍ଡ଼ାରେ-ବନ୍ଦ-ବାକ୍ସରୁ-ବେହୋସ-ସ୍ଥିତିରେ-ଛାତ୍ର-ଉଦ୍ଧାର

ସରକାରୀ ସ୍କୁଲରେ ଚାଲିଛି କ’ଣ ? ପାଠ ଶାଠ କଥା ଛାଡ଼ନ୍ତୁ, ଯେତେସବୁ ଅଘଟଣ ସାମ୍ନାକୁ ଆସିଲାଣି, ପିଲାଙ୍କ ଜୀବନ ବିପଦରେ ପଡ଼ିଛି ସ୍କୁଲ୍ ହତା ଭିତରେ। କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତାରୁ ହେଉ ଅବା ଖାମଖିଆଲି ମନୋଭାବ। କେଉଁଠି ପିଲାଙ୍କ ଆଖିରେ ଫେବିକ୍ବିକ୍ ଲଗାଇଦେଲେଣି ଅନ୍ୟ ଛାତ୍ର, ତ ଆଉ କେଉଁଠି ଝରକା ଗ୍ରୀଲରେ ଫସିଗଲେଣି ଛାତ୍ରୀ। ଆଉ ଏବେ ସୁନ୍ଦରଗଡ଼ ଜର୍ଡ଼ା ସ୍କୁଲରେ ୨ ଛାତ୍ରଙ୍କ ମାଡ଼ପିଟ୍ ଭିତରେ ଜଣେ ତୃତୀୟ ଶ୍ରେଣୀ ଛାତ୍ର ବାକ୍ସରୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର ଘଟଣା, ଚିନ୍ତାରେ ପକାଇ ଦେଇଛି।

ସରକାରୀ ସ୍କୁଲରେ ସାଂଘାତିକ ଘଟଣା। ପାଠ ଆଶାରେ ସ୍କୁଲ୍ ଆସିଥିବା ପିଲା ମିଳିଛି ବାକ୍ସ ଭିତରୁ। ଘଣ୍ଟାଏ କି ଅଧ ଘଣ୍ଟା ନୁହେଁ, ୪ ଘଣ୍ଟା ପରେ ଟିଣ ବାକ୍ସରୁ ଉଦ୍ଧାର ହୋଇଛି। ସୌଭାଗ୍ୟକୁ ପିଲା ସହ କିଛି ବଡ଼ ଅଘଟଣ ଘଟିନି। କିନ୍ତୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର ହୋଇଛି। ସ୍ଥାନ ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଜର୍ଡ଼ା ସ୍ଥିତ ସରକାରୀ ନୋଡାଲ୍ ହାଇସ୍କୁଲ୍। ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର ଛାତ୍ର ହେଉଛି ତୃତୀୟ ଶ୍ରେଣୀର। ବୟସ କହିଲେ ସେଇ ୮/୯ ବର୍ଷ। କୁହାଯାଉଛି, ୨ ଛାତ୍ରଙ୍କ ମାଡପିଟ୍ ଏବଂ ଗଣ୍ଡଗୋଳରୁ ଘଟିଛି ଏଭଳି ଅଘଟଣ। ସେଦିନ ଥିଲା ୧୨ ତାରିଖ। ସମୟ ସକାଳ ପ୍ରାୟ ୯ଟା। ଅଭିଯୋଗ ହୋଇଛି, ସଂପୃକ୍ତ ଛାତ୍ରକୁ ଅନ୍ୟ ଛାତ୍ର ମାରପିଟ୍ କରିଥିଲେ। ତା’ପରଠୁ ଆଉ ମିଳିନଥିଲା ପତ୍ତା। କ୍ଲାସରେ ଉପସ୍ଥାନ ପକାଇବାବେଳେ ଜଣାପଡ଼ିଥିଲା ସଂପୃକ୍ତ ଛାତ୍ରର ଅନୁପସ୍ଥିତି। ଶେଷରେ ଖୋଜାଖୋଜି ପରେ ହଷ୍ଟେଲ୍ ବାକ୍ସରୁ ଉଦ୍ଧାର ହୋଇଥିଲା ଛାତ୍ର।

ଘଟଣା ସଂପର୍କରେ ଓଟିଭିରେ ଖବର ପରେ ଖୋଳତାଡ଼ କରି ହଷ୍ଟେଲ ଦାୟିତ୍ବରେ ଥିବା ଶିକ୍ଷୟିତ୍ରୀଙ୍କୁ ଦାୟିତ୍ବରୁ ହଟାଇ ଦେଇଛି ପ୍ରଶାସନ। ତେବେ ସଂପୃକ୍ତ ଛାତ୍ରକୁ ବାକ୍ସରେ ଭର୍ତ୍ତି କରିଦିଆଯାଇଥିଲା ନା ଭୟରେ ନିଜେ ଲୁଚିଥିଲା ? ପ୍ରଥମରୁ ଦଶମ ଯାଏଁ ଥିବା ଏହି ଶିକ୍ଷାନୁଷ୍ଠାନ ଜିଲ୍ଲା ଶିକ୍ଷା ବିଭାଗ ଅଧିନରେ ଥିବାବେଳେ ଛାତ୍ରାବାସ ରହିଛି ମଙ୍ଗଳ ବିଭାଗ ଅଧିନରେ। ଆଜିକୁ ୮ ବର୍ଷରୁ ଅଧିକ ହେଲାଣି, ଛାତ୍ରାବାସ ଦାୟିତ୍ବରେ ଥିଲେ ଶିକ୍ଷୟିତ୍ରୀ ମୀନା କିଷାନ।

ଅଭିଯୋଗ ହୋଇଛି, କୁଚିଣ୍ଡାରୁ ପ୍ରତିଦିନ ଯିବା ଆସିବା କରନ୍ତି ସେ। ଅର୍ଥାତ ଭଗବାନ ଭରସାରେ ଚାଲେ ଛାତ୍ରାବାସ। କିଛିଦିନ ତଳେ ଜଣେ ଛାତ୍ର କରଡ଼ି ପାଣି ପିଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲା। ଗତ ଅଗଷ୍ଟ ୧୬ରେ ସଂସ୍କୃତ ଶିକ୍ଷକ କିଛି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଥିଲା। ଆଉ ଏବେ ବାକ୍ସ ଭିତରୁ ଚେତାଶୂନ୍ୟ ଅବସ୍ଥାରେ ମିଳିଛି ଛାତ୍ର। ଘଟଣାକୁ ୨ ଦିନ ବିତିଯାଇଛି। ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଘଟଣା ସଂପର୍କରେ ଜାଣିନଥିବା କହିଛନ୍ତି। ସେପଟେ ଜିଲ୍ଲା ମଙ୍ଗଳ ଅଧିକାରୀ କହୁଛନ୍ତି, ଛୁଆ ଛୁଆ ଗଣ୍ଡଗୋଳ। କାହା ବିରୋଧରେ କି ଆକ୍ସନ ନିଆଯିବ।

Also Read

ଅନେକ ଆଶା ଓ ସ୍ବପ୍ନ ନେଇ ସ୍କୁଲକୁ ଛାଡ଼ନ୍ତି ବାପା, ମା। କିନ୍ତୁ, ପିଲା ଯେ ସୁରକ୍ଷିତ, ତାକୁ ନେଇ ବଢ଼ିଛି ଆଶଙ୍କା। ୨ ଦିନ ତଳେ କନ୍ଧମାଳ ସଲାଗୁଡ଼ା ସେବାଶ୍ରମ ସ୍କୁଲରେ ଶୋଇଥିବା ବେଳେ ପିଲାଙ୍କ ଆଖିରେ ଫେଭିକ୍ବିକ୍ ଅଠା ପକାଇଦେଲେ ଅନ୍ୟ ଛାତ୍ର। ସକାଳୁ ନିଦ ଭାଙ୍ଗିଲାବେଳକୁ ଆଖି ଖୋଲିପାରିନଥିଲେ ୮ ଛାତ୍ର। କେନ୍ଦୁଝର ଅଞ୍ଜର ପ୍ରାଥମିକ ସ୍କୁଲରେ ଗତ ଅଗଷ୍ଟରେ ଗ୍ରୀଲ୍ ଭିତରେ କେମିତି ଫସିଯାଇଥିଲା ତୃତୀୟ ଶ୍ରେଣୀ ଛାତ୍ରୀ, ତାହାର ଦୃଶ୍ୟ ଦେଖିଥିଲେ ଆପଣ। ଏଭଳି ନାନା ଅଘଟଣକୁ ନେଇ ବଢ଼ିଛି ଉଦବେଗ।

Scroll to Top