ରାଜଧାନୀ ଭୁବନେଶ୍ବରରେ ଗଣଦୁଷ୍କର୍ମକୁ ନେଇ ହଇଚଇ। ଗାୟିକା ହେବାକୁ ସ୍ବପ୍ନ ଦେଖୁଥିବା ଜଣେ ଯୁବତୀଙ୍କୁ ଅଡିସନ୍ ପାଇଁ ଡାକି ଏକ ଲଜରେ ଗଣଦୁଷ୍କର୍ମ ଘଟଣାରେ ପୋଲିସ୍ ଅଭିଯୁକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହେଲେ ସାରା ଦେଶରେ ମହିଳାଙ୍କ ପାଇଁ ସୁରକ୍ଷିତ ସହର ତାଲିକାର ୩ ନମ୍ବରରେ ଥିବା ଭୁବନେଶ୍ବରରେ ଏଭଳି କାଣ୍ଡ ପୁଣି କମିଶନରେଟ୍ ପୋଲିସ୍ ପାଇଁ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି।…
କଳାକାର ହେବା ସ୍ବପ୍ନ ନେଇ ଆସିଥିଲେ । ହେଲେ ଜୀବନରେ ଲାଗିଗଲା କଳାଦାଗ ।ଯାହାକୁ ଭରସା କରିଥିଲେ ସେ ହିଁ ପାଲଟିଲା ଜହ୍ଲାଦ ।
ଗାୟିକା ହେବା ପାଇଁ ସଂଘର୍ଷ କରୁଥିବା ଜଣେ ଯୁବତୀ ରାଜଧାନୀରେ ଗଣଦୁଷ୍କର୍ମ ଅଭିଯୋଗକୁ ନେଇ ହଇଚଇ। ଇଏ ହେଉଛି ସେହି ଲଜ୍ ଯେଉଁଠି ଘଟିଥିବା ଘଟଣା ପାଇଁ ବଦନାମ୍ ରାଜଧାନୀ ଭୁବନେଶ୍ବର। ଆଉ ଇଏ ସେଇ ତିନି ଅଭିଯୁକ୍ତ ଚନ୍ଦନ କୁମାର ହାତୀ, ପ୍ରସନ୍ନ କୁମାର ଆଚାର୍ଯ୍ୟ ଓ ରାଜେଶ ଦାସ- ଯେଉଁମାନଙ୍କ କୁକର୍ମ ପାଇଁ ପୁଣି ଥରେ ନଇଁଯାଇଛି ରାଜଧାନୀ ବାସିନ୍ଦାଙ୍କ ମୁଣ୍ଡ।
Also Read
ପୋଲିସ ସୂଚନା ଅନୁଯାୟୀ ପୂରା ଘଟଣାଟି ଏମିତି। ଗାୟିକା ହେବା ପାଇଁ ସ୍ବପ୍ନ ଦେଖୁଥିବା ଜଗତସିଂହପୁରର ଜଣେ ୨୩ ବର୍ଷର ଯୁବତୀଙ୍କୁ ନିଜ ପାଲରେ ଫସାଇଥିଲା ଏକ ମନୋରଞ୍ଜନ ଧର୍ମୀ ଚାନେଲରେ କାମ କରୁଥିବା ସେହି ଜଗତସିଂହପୁର ବିରିଡ଼ି ଅଞ୍ଚଳର ଚନ୍ଦନ। ବଡ ବଡ ମ୍ୟୁଜିକ ଡାଇରେକ୍ଟରଙ୍କ ସହ ଦେଖା କରାଇଦେବ, ସିରିଏଲରେ ଚାନ୍ସ ଦେବା ସହ ୨୦ଟି ମ୍ୟୁଜିକ୍ ଭିଡିଓ ପ୍ରୋଜେକ୍ଟରେ କାମ ଦେବ କହି ଭୁବନେଶ୍ବର ପୋଖରାନ୍ କଲୋନିରେ ଥିବା ଏଇ ଶ୍ରୀମାର୍ଗ ଲଜକୁ ଅଡିସନ୍ ପାଇଁ ଡାକିଥିଲା। ଆଉ ସ୍ବପ୍ନ ପୂରା ହେବା ଆଶାରେ ଚନ୍ଦନ କଥାରେ ଭଳି ଭୁବନେଶ୍ବର ଆସିଥିଲେ ଯୁବତୀ। ହେଲେ ସେ ଜାଣି ନଥିଲେ ତାଙ୍କ ଉପରେ ପଡ଼ିଥିବା ଚନ୍ଦନ ପାପ ନଜରର ଚକ୍ରାନ୍ତ। ଲଜକୁ ଆସିବା ପରେ ଯୁବତୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ପ୍ରଥମେ ଚନ୍ଦନ ବେହୋସ କରାଇବା ସହ ଅନ୍ୟ ସହଯୋଗୀ ପ୍ରସନ୍ନ ସହ ମିଶି ଦୁଷ୍କର୍ମ କରିଥିଲା।
ଆଉ ଏଥିରେ ତାଙ୍କୁ ସହଯୋଗ କରିଥିଲା ଲଜରେ କାମ କରୁଥିବା ରାଜେଶ। ତେବେ ୧୦ ତାରିଖର ଘଟଣା ସଂପର୍କରେ ପରବର୍ତ୍ତୀ ସମୟରେ ସାହସ ଜୁଟାଇ ଯୁବତୀ ଜଣଙ୍କ ଭୁବନେଶ୍ବର ମହିଳା ଥାନାରେ ଅଭିଯୋଗ କରିବା ପରେ ସାମ୍ନାକୁ ଆସିଥିଲା ପୂରା ଘଟଣା। ପୋଲିସ ବିଏଏନଏସ ୭୦(୧)- ଗଣ ଦୁଷ୍କର୍ମ, ୧୨୩ /୭୫(୨)- ନିଶା ଖୁଆଇବା ଭଳି ସଂଗୀନ ଦଫାରେ ମାମଲା ରୁଜୁ କରି ତୁରନ୍ତ ଆକ୍ସନମୋଡ୍କୁ ଆସିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ କ୍ୟାମେରା ସାମ୍ନାରେ ପୋଲିସ୍ ଏନେଇ କିଛି ପ୍ରତିକ୍ରିୟା ଦେଇ ନଥିବା ବେଳେ ଲଜ ମାଲିକଙ୍କ କହିବା କଥା ସବୁକିଛି ପ୍ରମାଣ ପୋଲିସକୁ ଦିଆଯାଇଛି।…
ଘଟଣା ପରେ ଘରୋଇ ଅଞ୍ଚଳରେ ଗଢିଉଠିଥିବା ଏଭଳି ଲଜରେ ମହିଳାଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ ।
ପୋଲିସ ଲଜରୁ ରେଜିଷ୍ଟର ଜବତ କରି ଛାନଭିନ୍ ଚଳାଇଥିବା ଲଜର ସିସିଟିଭି ଅଚଳ ଥିବା ଜାଣିବାକୁ ପାଇଛି। ହେଲେ ସବୁ ଲଜ୍ ଏବଂ ହୋଟେଲରେ ସିସିଟିଭି ସହ ୬୦ ଦିନର ରେକର୍ଡ ରହିବା ବାଧ୍ୟତାମୂଳକ ଥିବା ବେଳେ ଏ ଲଜରେ କାହିଁକି ସିସିଟିଭି କାମ କରୁନଥିଲା। ଏଠି ରୀତିମତ ଅନୈତିକ କାର୍ଯ୍ୟ ଚାଲି ନଥିଲା ତ, ସ୍ଥାନୀୟ ବାସିନ୍ଦା ଏ ଦିଗକୁ ଅଙ୍ଗୁଳି ଉଠାଇଥିଲା ବେଳେ, ପୋଲିସ ମଧ୍ୟ ଅଭିଯୋଗର ଯାଞ୍ଚ କରୁଛି।…
ସାରା ଦେଶରେ ମହିଳାଙ୍କ ପାଇଁ ସୁରକ୍ଷିତ ସହର ତାଲିକାରେ ରାଜଧାନୀ ଭୁବନେଶ୍ବର ତିନି ନମ୍ବର। ହେଲେ ଏଭଳି ଘଟଣା କମିଶନରେଟ୍ ପୋଲିସ୍ ପାଇଁ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି।




