ନବୀନଙ୍କ ଅନୁପସ୍ଥିତିରେ ଗୃହରେ ରଣନୀତି କ’ଣ ରହିବ ୮ ଜଣିଆ କମିଟି ନିଷ୍ପତ୍ତି ନେବ। କମିଟି ଗଠନ ପରେ ବିଧାୟକ ଦଳ ଭିତରେ ଅସନ୍ତୋଷ ଥିବା ସୂଚନା ମିଳିଛି।
ଗୃହରେ ବିଜେଡ଼ିର କଣ ରହିବ ରଣନୀତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଘୋଷଣା କଲେ ଏ ନେଇ ଏକ କମିଟି। କମିଟିରେ ରହିଛନ୍ତି ୮ ବିଧାୟକ। ସେମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ଅରୁଣ ସାହୁ, ମନୋହର ରନ୍ଧାରୀ, ଶାରଦା ନାୟକ, ଶାରଦା ଜେନା ଓ ଗୌତମ ବୁଦ୍ଧ ଦାସ । ନବୀନଙ୍କ ଅନୁପସ୍ଥିତରେ ଏହି ବିଧାୟକମାନେ ଗୃହ ଭିତରେ ପ୍ରସ୍ତୁତ କରିବେ ଦଳର ରଣନୀତି।
ଗତକାଲି ଶଙ୍ଖ ଭବନରେ ବସିଥିବା ବିଜେଡ଼ି ବିଧାୟକ ଦଳ ବୈଠକରେ ଭର୍ଚୁଆଲରେ ଯୋଗ ଦେଇ ନବୀନ ଏହା ଘୋଷଣା କରିଥିବା ସୂଚନା। ତେବେ ନବୀନ କମିଟି ଘୋଷଣା କରିବା ପରେ ବିଧାୟକ ଦଳ ଭିତରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିବା ସୂଚନା ମିଳିଛି । ପ୍ରଥମ ଥର ବିଧାୟକ ହୋଇଥିବା ଶାରଦା ଜେନା ଓ ଗୌତମ ବୁଦ୍ଧ ଦାସଙ୍କୁ କାହିଁକି କମିଟିରେ ରଖାଗଲା ତାକୁ ନେଇ ବିଧାୟକ ଦଳ ଭିତରେ ପ୍ରବଳ ଅସନ୍ତୋଷ ଉପୁଜିଛି ।
ସେହିପରି ଶାରଦା ନାୟକ ନିୟମିତ ବିଧାନସଭା ଆସୁ ନଥିବାରୁ ତାଙ୍କୁ କମିଟିରେ ରଖାଯିବାକୁ ନେଇ ଉଠିଛି ଆପତ୍ତି । ସେପଟେ ବିଜେଡି ବିଧାୟକ ଦଳ ବୈଠକରେ ଅନୁପସ୍ଥିତ ଥିଲେ, ଦୀର୍ଘ ଦିନ ଧରି ଅସନ୍ତୁଷ୍ଟ ଥିବା ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ଶାରଦା ନାୟକ, ମନୋରମା ମହାନ୍ତି ଓ ଅଧିରାଜ ପାଣିଗ୍ରାହୀ ।




