ଭୁବନେଶ୍ୱର ୧୮।୦୪: ଜାତୀୟ ସ୍ତରରେ ଚମକିଲା ଓଡ଼ିଆ ଚଳଚ୍ଚିତ୍ର ‘ବୋଉ ବୁଟୁ ଭୂତ’, ‘ଅନନ୍ତା’ । ଗତ ଗୁରୁବାର ମୁମ୍ବାଇରେ ଆୟୋଜିତ ଇଣ୍ଡିଆନ ନ୍ୟାସନାଲ ସିନେ ଏକାଡେମୀ ଇନକା ଆୱାର୍ଡ ସମାରୋହରେ ବୋଉ ବୁଟୁ ଭୂତ ଓ ଅନନ୍ତାକୁ ବିଭିନ୍ନ କାଟୋଗୋରୀରେ ପୁରସ୍କୃତ କରାଯାଇଛି । ବୋଉ ବୁଟୁ ଭୂତର ଅଭିନେତା ବାବୁସାନ ମହାନ୍ତିଙ୍କୁ ଶ୍ରେଷ୍ଠ ଓଡ଼ିଆ ଅଭିନେତା, ବାବୁସାନ ଫିଲ୍ମସ ତଥା ପ୍ରଯୋଜିକା ତୃପ୍ତି ମହାନ୍ତିଙ୍କୁ ଶ୍ରେଷ୍ଠ ଫିଲ୍ମ, ଅଭିନେତ୍ରୀ ଅର୍ଚ୍ଚିତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଓ ଅନନ୍ତାର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଓ କୁମାର ସି.ଦେବ ମହାପାତ୍ରଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବରେ ଇନକା ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ଫିଲ୍ମର ମୁଖ୍ୟ କଳାକାର ବାବୁସାନ ମହାନ୍ତି, ସହ ପ୍ରଯୋଜିକା ତୃପ୍ତି ଶତପଥୀ। ଏନ୍ସିଏ ଫିଲ୍ମ ଉତ୍ସବରେ ଶ୍ରେଷ୍ଠ ଓଡ଼ିଆ ଅଭିନେତା, ଅଭିନେତ୍ରୀ ଓ ଫିଲ୍ମ ପୁରସ୍କାର ହାତେଇଛି ଚଳଚ୍ଚିତ୍ର ବୋଉ ବୁଟୁ ଭୂତ। ସିନେମାଟି କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ମଧ୍ୟ ବେଶ୍ ଆଦୃତି ଲାଭ କରିଥିଲା। ଓଡିଆ ଇଣ୍ଡଷ୍ଟ୍ରୀର ସର୍ବାଧିକ ରୋଜଗାର କରିଥିବା ସିନେମାର ରେକର୍ଡ ସୃଷ୍ଟି କରିଛି। ବାବୁସାନ ମହାନ୍ତି ଫିଲ୍ସ ବ୍ୟାନର୍ରେ ପ୍ରସ୍ତୁତ ଏହି ସିନେମାଟି ବେଶ ଲୋକପ୍ରିୟତା ହାସଲ କରିଛି।
ଓଡ଼ିଆ ସିନେମାରେ ଏକ ମାଇଲଖୁଣ୍ଟ ସୃଷ୍ଟି କରିଛି। ଏହି ସମାରୋହରେ ସମଗ୍ର ଭାରତୀୟ ଚଳଚ୍ଚିତ୍ର ଜଗତର ବହୁ ନାମୀ କଳାକାରମାନେ ଏକାଠି ହୋଇଥିଲେ । ଓଡ଼ିଆ ସହ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲାମ ଓ ଅନ୍ୟ ଭାଷାର ଚଳଚ୍ଚିତ୍ରକୁ ଆୱାର୍ଡ ମିଳିଥିଲା । ଅଭିନେତା ରାଣା ଦଗୁବତି ଓ ପ୍ରଯୋଜକ କରଣ ଜୋହର ଏହି ସମାରୋହକୁ ପରିଚାଳନା କରିଥିଲେ ।




