D

d

ଚାଲିଗଲେ ହ୍ୟୁମାନ, ଛାଡ଼ିଗଲେ ରହସ୍ୟ। ହ୍ୟୁମାନଙ୍କ ମୃତ୍ୟୁ ପରେ ଏବେ ମିଷ୍ଟ୍ରି ବଢ଼ିବାରେ ଲାଗିଛି। ଏମିତି କ’ଣ ଲୁଚି ରହିଛି ତାଙ୍କ ମୃତ୍ୟୁ ପଛରେ ଯାହାକୁ ନେଇ କୁହୁଳିକା ଦିନକୁ ଦିନ ବଢ଼ିବାରେ ଲାଗିଛି।

author-image

Death's Dark Puzzle

Death’s Dark Puzzle Photograph: (OTV)

ଚାଲିଗଲେ ହ୍ୟୁମାନ, ଛାଡ଼ିଗଲେ ରହସ୍ୟ। ହ୍ୟୁମାନଙ୍କ ମୃତ୍ୟୁ ପରେ ଏବେ ମିଷ୍ଟ୍ରି ବଢ଼ିବାରେ ଲାଗିଛି। ଏମିତି କ’ଣ ଲୁଚି ରହିଛି ତାଙ୍କ ମୃତ୍ୟୁ ପଛରେ ଯାହାକୁ ନେଇ କୁହୁଳିକା ଦିନକୁ ଦିନ ବଢ଼ିବାରେ ଲାଗିଛି। ଭାଇରାଲ୍ ହେଉଥିବା ଏକ ଭିଡିଓ ଏ‍ବେ ଚର୍ଚ୍ଚାରେ। କାରରେ ବସିଛନ୍ତି ହ୍ୟୁମାନଙ୍କ ମାଆ ଓ ବାହାରେ ହ୍ୟୁମାନଙ୍କ ମ୍ୟାନେଜର ଦିନେଶ ଓରଫ୍ ପପୁ ବେହେରା। ଆଗ ଗାଡିରେ ପୁଅର ମୃତଦେହ ଆଉ ପଛ ଗାଡ଼ିରେ ମାଆଙ୍କୁ ମିଳୁଛି ଧମକ। 

୧୭ ତାରିଖ ଦିନ ଭୁବନେଶ୍ବର ଏମ୍ସରେ ହ୍ୟୁମାନଙ୍କ ପରଲୋକ ପରେ ମାଆ ଶେଫାଳୀ ସୁନା, ମ୍ୟାନେଜର ଓ ଇଭେଣ୍ଟ ଆୟୋଜକଙ୍କୁ ପୁଅ ମୃତ୍ୟୁ ପାଇଁ ଦାୟୀ କରିଥିଲେ। ବାସ୍ ଏଇ କଥା ପାଇଁ ହ୍ୟୁମାନଙ୍କ ମାଆଙ୍କୁ କଟକ ଘର ସାମ୍ନାରେ ବିଚ୍ ରାସ୍ତା ଉପରେ ଅଟକାଇ ଜେରା କରୁଛନ୍ତି ଦିନେଶ। ପଚାରୁଛନ୍ତି ମିଡିଆକୁ ଯାହା କହିଲ ତାହା ଠିକ୍ ହେଲା କି ? କାହିଁକି ଡିପ୍ରେସନରେ ଥିଲେ ହ୍ୟୁମାନ୍ ? କାହିଁକି ମଦ ପିଉଥିଲେ? ଏମିତି ପଚାରିବା ସହ କଥାର ସୀମା ଟପିଯାଇଥିଲା। ଏପରିକି ଅଭଦ୍ର ଭାଷା ପ୍ରୟୋଗ କରିବାକୁ ପଛାଇନଥିଲେ ଦିନେଶ। ପାଖରେ ଜଣେ ମହିଳା ବି ଥିଲେ, ଅନ୍ୟ ମାନେ ବି ସବୁ ଦେଖୁଥିଲେ, ସବୁ ଶୁଣୁଥିଲେ ହେଲେ ପାଲଟିଥିଲେ ନୀରବଦଷ୍ଟ୍ରା।

ଯାହା ଯେମିତି ଦେଖା ଯାଉଛି ବୋଧେ ସବୁ କିଛି ସେମିତି ନୁହେଁ। ହ୍ୟୁମାନଙ୍କ ମୃତ୍ୟୁର କାରଣ ବହୁବିଧ ରୋଗ କୁହାଯାଉଛି । ହେଲେ ଏ  ବେମାରୀର କାରଣ କ’ଣ ? କୁହାଯାଉଛି ନିଶାକୁ ସେ ସାଥୀ କରିଥିଲେ। ଏକୁଟିଆ ରହୁଥିଲେ, ଅନ୍ୟକୁ ହସାଉଥିବା ମଣିଷ କିନ୍ତୁ ଭିତରେ ଭିତରେ ଗୁମୁରୀ ଗୁମୁରୀ କାନ୍ଦୁ ଥିଲା। ହେଲେ କାହିଁକି ? ଭାଇରାଲ୍ ହେଉଥିବା ଭିଡିଓରେ ଦିନେଶ ବାରମ୍ବାର ମୋବାଇଲ୍ କଥା ଉଠାଉଛନ୍ତି। ହ୍ୟୁମାନଙ୍କ ମୋବାଇଲ୍ ରେ ଡିଲେଟ୍ କରିବନି, ତାଙ୍କ ମାଆଙ୍କ ମୋବାଇଲ କଥା ବି କହୁଛନ୍ତି। ହେଲେ ମୋବାଇଲ୍ ପଛର ମିଷ୍ଟ୍ରି କ’ଣ? ମୋବାଇଲ୍ ରେ କିଛି ଲୁଚିଛି କି?…ଏସବୁ ଭିତରେ ଆଜି କାନ୍ଦି କାନ୍ଦି ନ୍ୟାୟ ମାଗିଛନ୍ତି ହ୍ୟୁମାନଙ୍କ ମାଆ। ତାଙ୍କ ସହ ସେ ଦିନ ଯାହା ହେଲା ସେ ସବୁ ପାଇଁ ଦିନେଶ କ୍ଷମା ମାଗନ୍ତୁ ବୋଲି ସେ କହିଥିବା ବେଳେ ଦିନେଶ କିନ୍ତୁ ଏଯାଏଁ ମୁହଁ ଖୋଲି ନାହାନ୍ତି। 

ଝୁରୁଛି ଓଡ଼ିଶା, ପଚାରୁଛନ୍ତି ଜନତା। ସୋସିଆଲ୍ ମିଡିଆରେ ସତେ ଯେମିତି ହ୍ୟୁମାନ ହିଁ ହ୍ୟୁମାନ୍…ପୂର୍ବରୁ ପଶ୍ଚିମ ଉତ୍ତର ଓଡ଼ିଶାରୁ ଦକ୍ଷିଣ ଯାଏଁ ଓଡ଼ିଆ ଗୀତ ଏବଂ ଓଡ଼ିଆ ଫିଲ୍ମକୁ ନୂଆ ପରିଚୟ ଦେଇଥିବା ହ୍ୟୁମାନଙ୍କ ମୃତ୍ୟୁ ସ୍ତବ୍ଧ କରିଛି ସମସ୍ତଙ୍କୁ। କିନ୍ତୁ ଏସବୁ ଭିତରେ ଉଠୁଥିବା ଗୋଟେ ଗୋଟେ ବିବାଦ ଫ୍ୟାନଙ୍କ ସାମ୍ନାରେ ଠିଆ କରିଛି ପ୍ରଶ୍ନର ପାହାଡ଼।.

Scroll to Top