ଜଣେ ପୀଡ଼ିତ ବ୍ୟକ୍ତି କହିଲେ, ଆମେ ତିନି ଦିନ ଧରି ଅପେକ୍ଷା କରୁଛୁ। ଦୟାକରି ଆମ ପରିଜନଙ୍କ ଶବ ଆମକୁ ଦିଅନ୍ତୁ। ପ୍ରତ୍ୟେକ ନେତା ଏଠାକୁ ଆସି ଫଟୋ ଉଠାଇବା ପାଇଁ କାମ ଅଟକାଇ ଦେଉଛନ୍ତି।
ଜମ୍ମୁ-କଶ୍ମୀରର କିଷ୍ଟୱାର ଜିଲ୍ଲାର ଚାସୋଟି ଗାଁ ଏବେ ବହୁତ ଦୁଃଖରେ ଅଛି। ବୁଧବାର ଦିନ ବାଦଲଫଟା ବର୍ଷା କାରଣରୁ ହଠାତ୍ ଆସିଥିବା ବନ୍ୟାରେ ଅନେକ ଲୋକ କାଦୁଅରେ ପୋତି ହୋଇଯାଇଛନ୍ତି। ଅନେକ ବନ୍ୟାରେ ଭାସି ଯାଇଛନ୍ତି। ଏପର୍ଯ୍ୟନ୍ତ ୬୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅନେକ ଲୋକ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜା ଚାଲିଛି। ଅନେକଙ୍କ ଶବ ଏପର୍ଯ୍ୟନ୍ତ ମିଳି ନାହିଁ। କାନ୍ଦୁଥିବା ପରିବାରମାନେ ନିଜ ଲୋକଙ୍କ ଶବର ଅପେକ୍ଷାରେ ଅଛନ୍ତି। ଗତ ତିନି ଦିନ ଧରି ଏହି ଲୋକମାନେ ଗାଁରେ ପଡି ରହିଛନ୍ତି। ଏମାନେ ବହୁତ ହତାଶ ଓ ନିରାଶ ହୋଇ ପଡ଼ିଛନ୍ତି । କାରଣ ଉଦ୍ଧାର କାର୍ଯ୍ୟ ଚାଲୁ ଥିଲେ ମଧ୍ୟ ସେମାନଙ୍କ ଲୋକଙ୍କ ଶବ ମିଳି ନାହିଁ। କାରଣ ହେଉଛି ବାରମ୍ବାର ଉଦ୍ଧାର କାର୍ଯ୍ୟ ଅଟକାଇ ଦିଆଯାଉଛି। ଏମାନଙ୍କର ରାଗ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସାମ୍ନାରେ ମଧ୍ୟ ପ୍ରତିଫଳିତ ହୋଇଛି ।
ପୀଡ଼ିତ ପରିବାରମାନଙ୍କର ଧୈର୍ଯ୍ୟ ଏବେ ଭାଙ୍ଗିବାରେ ଲାଗିଛି। ସେମାନଙ୍କର ଦୁଃଖ ରାଗରେ ପରିଣତ ହେଉଛି। ଜମ୍ମୁର ଜଣେ ବ୍ୟକ୍ତି ତାଙ୍କର ଏକ ଡଜନରୁ ଅଧିକ ଆତ୍ମୀୟଙ୍କ ଶବ ର ଅପେକ୍ଷାରେ ଅଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଉଦ୍ଧାର ସ୍ଥଳ ନେତାମାନଙ୍କ ପାଇଁ ଫଟୋ ଉଠାଇବାର ସ୍ଥାନ ହୋଇଗଲାଣି । ଯାହା ଦ୍ୱାରା ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ନେତା ଫଟୋ ଉଠାଇବା ପାଇଁ କାମ ଅଟକାଉଛନ୍ତି । ସେ ନିଜର ଦୁଃଖ ଜଣାଇଛନ୍ତି । ସେ କହିଛନ୍ତି, ଏଠାରେ ୨୦ଟି ଜେସିବି ଅଛି, କିନ୍ତୁ ମାତ୍ର ଦୁଇଟି କାମ କରୁଛି । ବାକିଗୁଡ଼ିକ କାମ କରୁନାହିଁ । ମନ୍ତ୍ରୀ ଓ ବିଧାୟକମାନେ ଏଠାକୁ ଆସୁଛନ୍ତି । ପୋଲିସ ଓ ସେନାଙ୍କୁ ସେମାନଙ୍କ କାମ କରିବାକୁ ଦେଉ ନାହାନ୍ତି। ତିନି ଦିନ ହେଲାଣି, ମାତ୍ର ଦୁଇଟି ପଥର ହଟାଯାଇଛି। ସେ କ୍ଷୋଭର ସହ କହିଛନ୍ତି, ଏହା କ’ଣ କାମ ? ଯେତେବେଳେ ମନ୍ତ୍ରୀ ଆସୁଛନ୍ତି, ଜେସିବି ବନ୍ଦ କରାଇ ଦେଉଛନ୍ତି। ଆମର ପରିବାର ନାହିଁ କି? ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି, ଆମର ଛୋଟ ଛୋଟ ପିଲାମାନେ ନିଖୋଜ ଅଛନ୍ତି।
Also Read
ଜମ୍ମୁର ଜଣେ ବ୍ୟକ୍ତି କହିଛନ୍ତି, ଯଦି ଜୀବିତ ନାହାନ୍ତି, ତେବେ ଆମକୁ ଲାସ୍ ଦିଅନ୍ତୁ। ବିଧାୟକମାନେ ନିଜ ସାଙ୍ଗରେ ୧୦ ଜଣଙ୍କୁ ଆଣୁଛନ୍ତି। ସେମାନେ ଫଟୋ ଉଠାଇବା ପାଇଁ ଉଦ୍ଧାର କାର୍ଯ୍ୟ ଅଟକାଉଛନ୍ତି। ଦୟାକରି ଆମ ପରିଜନଙ୍କ ଶବ ଦିଅନ୍ତୁ । ଏହି ଲୋକମାନଙ୍କ ପାଖରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା । ସେ ଲୋକଙ୍କୁ କହିଥିଲେ, କ’ଣ ହୋଇଛି, ମୋତେ କୁହ। ଏହି ସମୟରେ ଜଣେ ପୀଡ଼ିତ ବ୍ୟକ୍ତି କହିଲେ, ଆମେ ତିନି ଦିନ ଧରି ଅପେକ୍ଷା କରୁଛୁ। ଦୟାକରି ଆମ ପରିଜନଙ୍କ ଶବ ଆମକୁ ଦିଅନ୍ତୁ। ପ୍ରତ୍ୟେକ ନେତା ଏଠାକୁ ଆସି ଫଟୋ ଉଠାଇବା ପାଇଁ କାମ ଅଟକାଇ ଦେଉଛନ୍ତି।
ଏହାର ଜବାବରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆମେ ସବୁକିଛି କରୁଛୁ। ଆମେ ଏହି କାରଣପାଇଁ ଏଠାକୁ ଆସିଛୁ ଯେ ଉଦ୍ଧାର କାର୍ଯ୍ୟ ଭଲ ଭାବେ ହେଉ। ମୁଖ୍ୟମନ୍ତ୍ରୀ ଅବଦୁଲ୍ଲା ତାଙ୍କୁ ଭରସା ଦେବାକୁ ଚେଷ୍ଟା କଲେ। ଏହି ସମୟରେ ସେ କହିଲେ, “ସାର୍, ମୋ କଥା ଶୁଣ। ପୋଲିସ ଓ ସେନା କାମ କରୁଛନ୍ତି, କିନ୍ତୁ ଏଠାକୁ ଆସୁଥିବା ପ୍ରତ୍ୟେକ ବିଧାୟକ ଓ ମନ୍ତ୍ରୀ ଦଶ ଥର ଡାକୁଛନ୍ତି ଓ କହୁଛନ୍ତି, ‘ଜେସିବି ଅଟକାଅ ଓ ଆମ ଫଟୋ ଉଠାଅ।’ କ’ଣ ସବୁ ଜାଗାରେ ଫଟୋର ଆବଶ୍ୟକତା ଅଛି? ଆମେ ଅସହାୟ ଓ ଚିନ୍ତିତ।
ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ କହିଲେ ଯେ ତାଙ୍କ ପରିବାରର ୧୩ ଜଣ ସଦସ୍ୟ ନିଖୋଜ ଅଛନ୍ତି, ଯେଉଁମାନଙ୍କ ମଧ୍ୟରେ ତାଙ୍କ ମା’ ଓ ମାଉସୀ ମଧ୍ୟ ଅଛନ୍ତି। ଅନ୍ୟ ଜଣେ ବ୍ୟକ୍ତି କହିଲେ ଯେ ଗୁରୁବାର ଦିନ ବାଦଲ ଫାଟିବା ପରେ ତାଙ୍କ ପତ୍ନୀ, ଦୁଇ ପିଲା ଓ ଅନ୍ୟ ଦୁଇ ଆତ୍ମୀୟ ମଧ୍ୟ ନିଖୋଜ ଅଛନ୍ତି। ସେ କହିଲେ, କିଛି ସେକେଣ୍ଡରେ ସବୁକିଛି ଧ୍ୱଂସ ହୋଇଗଲା। ସେ କହିଲେ, “ଆପଣଙ୍କ ଆସିବା ପରେ ଗୋଟିଏ ଜେସିବି କାମ ଆରମ୍ଭ କରିଛି। ଗତକାଲିଠାରୁ ମାତ୍ର ଦୁଇଟି ଜେସିବି କାମ କରୁଛି। ଆମକୁ କିଛି ଦରକାର ନାହିଁ, କେବଳ ଶବ ଦିଅନ୍ତୁ।” ମୁଖ୍ୟମନ୍ତ୍ରୀ ଅବଦୁଲ୍ଲା କହିଛନ୍ତି, ଅତି କମରେ ୮୦ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି।




