ଭଦ୍ରକ ୪।୧୧: ଏଟିଏମ୍ରୁ ଟଙ୍କା ଉଠାଇବା ବେଳେ ଲୁଟ୍ ଉଦ୍ୟମ ପଣ୍ଡ । ଲୁଟ୍ ଉଦ୍ୟମ ବେଳେ ଧରାପଡିଗଲେ ଯୁବକ । ଜଣେ ବୃଦ୍ଧ ବ୍ୟକ୍ତି ଏଟିଏମ୍ରୁ ଟଙ୍କା ଉଠାଇ ଫେରାର ହେଉଥିବା ବେଳେ ମାଡ଼ି ବସିଲେ ସ୍ଥାନୀୟ ଲୋକ । ଭଦ୍ରକ ସହରାଞ୍ଚଳ ଥାନା ଅନ୍ତର୍ଗତ ଭଦ୍ରକ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ ଯେ, ଜନୈକ ବୃଦ୍ଧ ବ୍ୟକ୍ତି ଭଦ୍ରକ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ନିକଟରେ ଥିବା ଏକ ଏଟିଏମ୍ରୁ ଟଙ୍କା ଉଠାଉଥିଲେ । ବୃଦ୍ଧ ବ୍ୟକ୍ତି ଜଣଙ୍କ ଏଟିଏମ୍ରୁ ବାହାରିବା ମାତ୍ରକେ ଯୁବକ ଜଣକ ଟଙ୍କା ଛଡାଇ ନେଇଥିଲେ । ଆଖି ପିଛୁଳାକେ ସେହି ସ୍ଥାନ ଛାଡ଼ି ଦୌଡ଼ି ପଳାଇଥିଲେ । ଏହି ସମୟରେ ବୃଦ୍ଧ ଜଣକ ପାଟି କରିବାକୁ ଲାଗିଥିଲେ । ବୃଦ୍ଧଙ୍କ ପାଟି ଶୁଣି ରାସ୍ତାରେ ଯାଉଥିବା ଲୋକେ ସଂପୃକ୍ତ ଲୁଟେରା ଯୁବକକୁ ମାଡ଼ି ବସିଥିଲେ ।
ଏହାଦେଖି ପୋଲିସ କାର୍ଯ୍ୟାଳୟରେ ମୁତୟନ ପୋଲିସ ଯୁବକଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରିଥିଲେ । ଯୁବକକୁ ପୋଲିସ ଅଟକ ରଖିଛି । ଭଦ୍ରକ ଏସ୍ପିଙ୍କ କାର୍ଯ୍ୟାଳୟରେ ଯୁବକକୁ ପଚରାଉଚରା କରୁଛି ପୋଲିସ ।




