ନୂଆଦିଲ୍ଲୀ: ଭାରତରେ କର୍ପୋରେଟ୍ ଅଫିସ ଗୁଡ଼ିକରେ କାମର ଚାପ ଏବଂ ଦୀର୍ଘ ସମୟ ଧରି ଓଭରଟାଇମ୍ କରିବା ଏକ ସାଧାରଣ କଥା। କିନ୍ତୁ ବିଦେଶରେ କାମର ଶୈଳୀ ଓ ସମୟାନୁବର୍ତ୍ତିତା ସମ୍ପୂର୍ଣ୍ଣ ଭିନ୍ନ। ନିକଟରେ ଇଟାଲୀରେ ରହୁଥିବା ଜଣେ ଭାରତୀୟ ମହିଳା ସେଠାକାର ଅଫିସ୍ ସମୟ ଏବଂ ‘ୱର୍କ-ଲାଇଫ୍ ବାଲାନ୍ସ’ କୁ ନେଇ ଏକ ଭିଡିଓ ସେୟାର କରିଛନ୍ତି, ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।
ବୀଣା ନାମକ ଏହି ମହିଳା ଜଣକ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ @chai_and_croissant_europe ରେ ଏକ କ୍ଲିପ୍ ସେୟାର କରିଛନ୍ତି। ଭିଡିଓରେ ସେ ସନ୍ଧ୍ୟା ୫ଟା ୧୫ ସମୟରେ ନିଜ ଅଫିସ୍ର ଏକ ଦୃଶ୍ୟ ଦେଖାଇଛନ୍ତି, ଯେଉଁଥିରେ ପୂରା ଅଫିସ୍ ସମ୍ପୂର୍ଣ୍ଣ ଶୂନଶାନ ଓ ଖାଲି ପଡ଼ିଥିବା ଦେଖିବାକୁ ମିଳୁଛି।
“ୟୁରୋପରେ କାମ କରିବାର ଏହା ହିଁ ସବୁଠାରୁ ବଡ଼ ଲାଭ”
ଭିଡିଓରେ ବୀଣା କହୁଛନ୍ତି, “ବର୍ତ୍ତମାନ ଏଠାରେ ସନ୍ଧ୍ୟା ସାଢ଼େ ୫ଟା ମଧ୍ୟ ହୋଇନାହିଁ, ମାତ୍ର ୫ଟା୧୫ ବାଜିଛି। ଆଉ ଏହି ସମୟ ମଧ୍ୟରେ ପୂରା ଅଫିସ୍ ଏକଦମ ଖାଲି ହୋଇଗଲାଣି। ଯଦି ଏହି ସମୟରେ ଭାରତ କଥା ଚିନ୍ତା କରିବା, ତେବେ ସେଠାରେ ପ୍ରାୟ ସମସ୍ତେ ଅଫିସ୍ରେ କାମ କରୁଥିବେ କିମ୍ବା ବସିଥିବେ। କିନ୍ତୁ ଏଠାରେ ସମସ୍ତେ ନିଜ ନିଜ ଘରକୁ ବାହାରି ସାରିଲେଣି। ୟୁରୋପରେ ଚାକିରି କରିବାର ଏହା ହିଁ ବଡ଼ ଫାଇଦା ଯେ, ଆପଣ ଠିକ୍ ସମୟରେ କାମ ସାରି ଘରକୁ ଫେରିପାରିବେ।”
ସେ ଏହି ଭିଡିଓକୁ “Worklife in Europe” କ୍ୟାପସନ ସହ ପୋଷ୍ଟ କରିଛନ୍ତି। ନିରବ ଏବଂ ଶାନ୍ତ ଅଫିସ୍ର ଏହି ଚିତ୍ର ଅନେକ ଭାରତୀୟ ଚାକିରିଆଙ୍କ ମନକୁ ଛୁଇଁଛି, ଯେଉଁମାନେ ପ୍ରତିଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଫିସ୍ କାମ କରିବା ସହ ଘରକୁ ଆସିବା ପରେ ମଧ୍ୟ ଅଫିସ୍ କଲ୍ ଓ ମେଲ୍ର ଜବାବ ଦେବାର ଚାପରେ ରୁହନ୍ତି।
ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା
ଏହି ଭିଡିଓ ସାମ୍ନାକୁ ଆସିବା ପରେ ୟୁଜର୍ସମାନେ ବିଭିନ୍ନ ପ୍ରକାର ମତ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, “ଏହା ସତରେ ବହୁତ ଭଲ ବ୍ୟବସ୍ଥା।” ଅନ୍ୟ ଜଣେ ଆଶା ପ୍ରକାଶ କରି ଲେଖିଛନ୍ତି, “କାଶ୍! ମୋ ଅଫିସ୍ରେ ମଧ୍ୟ ଏଭଳି ନିୟମ ଥାନ୍ତା, ଯେଉଁଠି ମୁଁ ଠିକ୍ ସମୟରେ ଘରକୁ ଯାଇପାରନ୍ତି।
ତେବେ ଏହା ମଧ୍ୟରେ ଜଣେ ୟୁଜର ଏହାର ଅସଲ କାରଣ ବୁଝାଇ ଏକ ଭିନ୍ନ ଯୁକ୍ତି ବାଢ଼ିଛନ୍ତି। ସେ କହିଛନ୍ତି, “ୟୁରୋପୀୟ ଦେଶଗୁଡ଼ିକ ସେମାନଙ୍କର ଅଧିକାଂଶ ପ୍ରୋଜେକ୍ଟ ଭାରତୀୟ ଆଇଟି (IT) କମ୍ପାନୀଗୁଡ଼ିକୁ ଆଉଟସୋର୍ସ (Outsource) କରନ୍ତି। ସେଥିପାଇଁ ଭାରତରେ ସର୍ଭିସ-ବେସଡ୍ କମ୍ପାନୀଗୁଡ଼ିକର କର୍ମଚାରୀମାନଙ୍କୁ ଅଧିକ ସମୟ କାମ କରିବାକୁ ପଡ଼ିଥାଏ।
ଏହା ବହୁତ ସହଜ କଥା। ୟୁରୋପୀୟ ଦେଶଗୁଡ଼ିକ ନିଜର ମାନୁଫ୍ୟାକ୍ଚରିଂ କାମ ମଧ୍ୟ ଚୀନ୍ ଏବଂ ଭିଏତନାମକୁ ଦେଇ ଦେଇଛନ୍ତି। ଯଦି ୟୁରୋପ ନିଜର ସବୁ କାମ ନିଜେ କରନ୍ତା, ତେବେ ସେଠାକାର ଲୋକଙ୍କୁ ମଧ୍ୟ କଠିନ ପରିଶ୍ରମ ଓ ଅଧିକ ସମୟ କାମ କରିବାକୁ ପଡ଼ନ୍ତା।




