Published By: Tapas – Prameya-News7 Bureau | June 06, 2026 10:08 PM
NEWS7

ନୂଆଦିଲ୍ଲୀ: ଋଷର ତାରକା ଟେନିସ ଖେଳାଳି ମୀରା ଆନ୍ଦ୍ରିଭା (Mirra Andreeva) ମହିଳା ଟେନିସ ଜଗତରେ ଏକ ନୂଆ ଇତିହାସ ରଚିଛନ୍ତି। ଶନିବାର ଅନୁଷ୍ଠିତ ରୋଲାଣ୍ଡ ଗାରୋସ (ଫ୍ରେଞ୍ଚ ଓପନ୍) ମହିଳା ସିଙ୍ଗଲ୍ସ ଫାଇନାଲ୍ ମ୍ୟାଚ୍ରେ ସେ ପୋଲାଣ୍ଡର ମାଜା ଚ୍ୱାଲିନସ୍କାଙ୍କୁ ପରାସ୍ତ କରି ଚଳିତ ବର୍ଷର ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ନିଜ ନାମରେ କରିଛନ୍ତି।
ବିଶ୍ୱ ମାନ୍ୟତାର ଅଷ୍ଟମ ସ୍ଥାନରେ ଥିବା ମୀରା ଆନ୍ଦ୍ରିଭା ଫାଇନାଲ୍ ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରିଛନ୍ତି। ସେ କ୍ୱାଲିଫାୟର୍ ଖେଳି ଫାଇନାଲ୍ରେ ପହଞ୍ଚିଥିବା ପୋଲାଣ୍ଡର ୧୧୪ ତମ ମାନ୍ୟତା ପ୍ରାପ୍ତ ଖେଳାଳି ମାଜା ଚ୍ୱାଲିନସ୍କା (Maja Chwalinska)ଙ୍କୁ ସହଜରେ ପରାସ୍ତ କରିଛନ୍ତି।
ଆନ୍ଦ୍ରିଭା ଏହି ମ୍ୟାଚ୍କୁ ୬-୩, ୬-୨ ସେଟ୍ରେ ଜିତି ନେଇଛନ୍ତି। ପ୍ରଥମ ମ୍ୟାଚ୍ ପଏଣ୍ଟରେ ଏକ ଚମତ୍କାର ବ୍ୟାକହ୍ୟାଣ୍ଡ କ୍ରସ୍-କୋର୍ଟ ୱିନର୍ ମାରିବା ମାତ୍ରେ ଆନ୍ଦ୍ରିଭା ମାଟିର କୋର୍ଟ (Clay Court) ଉପରେ ଆଣ୍ଠୁ ମାଡ଼ି ବସି ନିଜର ଏହି ଐତିହାସିକ ବିଜୟର ଉତ୍ସବ ପାଳନ କରିଛନ୍ତି।
ଭାଙ୍ଗିଲା ମୋନିକା ସେଲେସଙ୍କ ୩୪ ବର୍ଷର ପୁରୁଣା ରେକର୍ଡଏହି ଟାଇଟଲ୍ ଜିତିବା ସହ ମୀରା ଆନ୍ଦ୍ରିଭା ଟେନିସ ଇତିହାସରେ ସବୁଠାରୁ କମ୍ ବୟସ୍କ ଚାମ୍ପିଅନ୍ମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ୧୯୯୨ ମସିହାରେ ମୋନିକା ସେଲେସ (Monica Seles) ୧୮ ବର୍ଷ ବୟସରେ ନିଜର ଲଗାତାର ତୃତୀୟ ଫ୍ରେଞ୍ଚ ଓପନ୍ ଟାଇଟଲ୍ ଜିତିଥିଲେ। ତାଙ୍କ ପରେ ଆନ୍ଦ୍ରିଭା ଏହି ଟୁର୍ଣ୍ଣାମେଣ୍ଟ ଜିତିବାରେ ସବୁଠାରୁ କନିଷ୍ଠ ମହିଳା ଖେଳାଳି ବନିଛନ୍ତି।ଏହି ଐତିହାସିକ ଟାଇଟଲ ବିଜୟ ପାଇଁ, ମୀରା ଆନ୍ଦ୍ରିଭାଙ୍କୁ ଚମତ୍କାର ଟ୍ରଫି ସହିତ ୩୦ କୋଟିରୁ ଅଧିକ ଟଙ୍କାର ପୁରସ୍କାର ରାଶି ମିଳିଛି।
ପୁରୁଷ ସିଙ୍ଗଲ୍ସ ଫାଇନାଲ୍ ଉପରେ ସମସ୍ତଙ୍କ ନଜରମହିଳା ବିଭାଗର ଏହି ରୋମାଞ୍ଚକର ଫାଇନାଲ ଶେଷ ହେବା ପରେ ଏବେ ସମସ୍ତଙ୍କ ନଜର ରବିବାର ହେବାକୁ ଥିବା ପୁରୁଷ ସିଙ୍ଗଲ୍ସ ଫାଇନାଲ୍ ମ୍ୟାଚ୍ ଉପରେ ରହିଛି। ଏହି ମେଗା ଫାଇନାଲ୍ରେ ଆଲେକ୍ସଜାଣ୍ଡାର୍ ଜ୍ୱେରେଭ୍ (Alexander Zverev) ଏବଂ ଫ୍ଲାଭିଓ କୋବୋଲି (Flavio Cobolli) ମୁହାଁମୁହିଁ ହେବେ । ଏହା ପରେ ଚଳିତ ବର୍ଷର ସବୁଠାରୁ ରୋମାଞ୍ଚକର ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟର ସମାପ୍ତି ହେବ ।




