ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଜୁନ ୭ ତାରିଖରୁ ପାନୀୟ ଜଳ ସଂକଟ ଦେଖାଦେଇପାରେ। କାରଣ ମୁମ୍ବାଇ ୱାଟର ଟ୍ୟାଙ୍କର ଆସୋସିଏସନ (ଏମଡବ୍ଲୁଟିଏ) ଅନିଶ୍ଚିତ କାଳୀନ ହରତାଳ ଘୋଷଣା କରିଛି। ଫଳରେ ସାରା ସହରକୁ ପାନୀୟ ଜଳ ପରିବହନ ଠପ ହୋଇଯିବ। ଏହି ନିଷ୍ପତ୍ତି ମଧ୍ୟରାତ୍ରରୁ ଲାଗୁ ହେବ। ଏଣୁ ସହରର ଲକ୍ଷଲକ୍ଷ ବାସିନ୍ଦା, ହାଉସିଂ ସୋସାଇଟି, ହସ୍ପିଟାଲ, ବାଣିଜ୍ୟିକ ପ୍ରତିଷ୍ଠାନ ଓ ଉଦ୍ୟୋଗଙ୍କ ଉପରେ ଏହାର ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି।
ଆସୋସିଏସନ ଅନୁସାରେ ଏହି ହରତାଳ ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ଅଥରିଟି (ସିଜିଡବ୍ଲୁଏ)ଙ୍କ ଦ୍ୱାରା ନିୟମଗୁଡିକୁ କଡ଼ାକଡ଼ି ଭାବେ ଲାଗୁ କରାଯିବା ବିରୋଧରେ ଆହ୍ୱାନ କରାଯାଇଛି। ଏମଡବ୍ଲୁଟିଏର ଅଭିଯୋଗ ହେଉଛି ଯେ ଏହି ନିୟମ ମୁଖ୍ୟତଃ ମୁମ୍ବାଇ ଡିଭିଜନରେ ଲାଗୁ କରାଯାଉଛି। ଏଥିରେ ଟ୍ୟାଙ୍କର ଅପରେଟର, ବୋରୱେଲ ମାଲିକ, ରିଙ୍ଗୱେଲ ଅପରେଟର, ଆରଓ ପ୍ଲାଣ୍ଟ ଅପରେଟର ଓ ପାଣି ସପ୍ଲାଇ କରୁଥିବା ଲୋକଙ୍କ ଲାଗି ସମସ୍ୟା ସୃଷ୍ଟି ହୋଇଛି। ଟ୍ୟାଙ୍କର ଇଣ୍ଡଷ୍ଟ୍ରି ଦୀର୍ଘ ୮ ଦଶନ୍ଧୀରୁ ଅଧିକ କାଳ ହେଲା ମୁମ୍ବାଇ ଜଳ ଯୋଗାଣ ନେଟୱାର୍କରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ଖାସ କରି ସେହି ସବୁ ଅଞ୍ଚଳକୁ ଟ୍ୟାଙ୍କର ଜଳ ଯୋଗାଇ ଆସୁଛନ୍ତି ଯେଉଁ ସବୁ ଅଞ୍ଚଳକୁ ମ୍ୟୁନସିପାଲଟିର ପାଣି ସପ୍ଲାଇ ଅନିୟମିତ ରହିଛି।
ଏଥିରେ ଶହଶହ ଆବାସିକ କମ୍ପ୍ଲେକ୍ସ, କନଷ୍ଟ୍ରକ୍ସନ ସାଇଟ୍, ହୋଟେଲ, ରେଷ୍ଟୁରାଣ୍ଟ, ହେଲଥ୍ କେୟାର ଫାସେଲିଟି ଓ ଇଣ୍ଡଷ୍ଟ୍ରିଆଲ ୟୁନିଟି ନିଜନିଜର ଦୈନନ୍ଦିନ ଜଳ ଆବଶ୍ୟକତା ପୂରଣ ପାଇଁ ଟ୍ୟାଙ୍କରରେ ଯୋଗାଇ ଦିଆଯାଉଥିବା ପାଣି ଉପରେ ନିର୍ଭର ରହନ୍ତି। ଆସୋସିଏସନ ନିଜ ବୟାନରେ ଅଭିଯୋଗ କରିଛି ଯେ ନିକଟରେ ରେଗୁଲେଟରୀ ଉପାୟ ଏହି ସେକ୍ଟର ଉପରେ ବହୁତ ଅଧିକ ଚାପ ସୃଷ୍ଟି କରିଛି। ଏଣୁ ବ୍ୟବସାୟୀଙ୍କ ଲାଗି ନିଜ ଧନ୍ଦା ଜାରି ରଖିବା କଷ୍ଟକର ହୋଇପଡିଛି। ଏଣୁ ଟ୍ୟାଙ୍କର ଅପରେଟର ସେ ପର୍ଯ୍ୟନ୍ତ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଯେଉଁ ପର୍ଯ୍ୟନ୍ତ ଅଧିକାରୀ କୌଣସି ବ୍ୟବହାରିକ ଓ ଉଚିତ ସମାଧାନ ବାହାର ନ କରିଛନ୍ତି।
ଟ୍ୟାଙ୍କର ଅପରେଟରଙ୍କ ଏହି ହରତାଳ ଏପରି ସମୟରେ ହେଉଛି ଯେତେବେଳେ ଆର୍ଥିକ ରାଜଧାନୀକୁ ମୌସୁମୀ ଆସି ସାରିଥିବା ସତ୍ତ୍ୱେ ମୁମ୍ବାଇର ଅନେକ ଅଞ୍ଚଳକୁ ଜଳ ଯୋଗାଣ ନେଇ ଉଦବେଗ ଜାରି ରହିଛି। ଏଥିରେ ଟ୍ୟାଙ୍କର ସେବା ଯଦି ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ ରହେ ତେବେ ଆଂଶିକ ଓ ସମ୍ପୂର୍ଣ୍ଣ ଟ୍ୟାଙ୍କର ପାଣି ଉପରେ ନିର୍ଭର କରୁଥିବା ଅଞ୍ଚଳର ଲୋକେ ଅସୁବିଧାର ସମ୍ମୁଖୀନ ହେବେ।
ମୁମ୍ବାଇ ଟ୍ୟାଙ୍କର ଆସୋସିଏସନ ହରତାଳ ଯୋଗୁ ଉପୁଜିବାକୁ ଥିବା ସମସ୍ୟା ଲାଗି ଦୁଃଖ ବ୍ୟକ୍ତ କରିଛି ଓ ସରକାରଙ୍କୁ ତୁରନ୍ତ ମାମଲାରେ ହସ୍ତକ୍ଷେପ କରିବାକୁ ଦାବି କରିଛି। ଆସୋସିଏସନ ସମ୍ପର୍କିତ ଅଧିକାରୀମାନେ କହିଛନ୍ତି ଯେ ସମ୍ବଦ୍ଧିତ ଅଧିକାରୀ ତୁରନ୍ତ ଆଲୋଚନା ଆରମ୍ଭ କରନ୍ତୁ ଓ ସହରରେ ଜଳ ସଂକଟ ଗୁରୁତର ହେବା ପୂର୍ବରୁ ପ୍ରସଙ୍ଗର ସମାଧାନ କରନ୍ତୁ। ତେବେ ପ୍ରସଙ୍ଗରେ ଅଧିକାରୀମାନେ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଏଥିରେ ଯଦି ହରତାଳ ଯୋଜନା ଅନୁସାରେ ଆଗକୁ ବଢେ ତେବେ ମୁମ୍ବାଇରେ ଜଳ ଯୋଗାଣ ସମସ୍ୟା ଉପୁଜିବା ନିଶ୍ଚିତ।




