CJI ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକ୍ରମରେ ହଙ୍ଗାମା, ନିନ୍ଦା କଲେ ଭାରତୀୟ ଉଚ୍ଚାୟୋଗ 

cji-ସୂର୍ଯ୍ୟକାନ୍ତଙ୍କ-କାର୍ଯ୍ୟକ୍ରମରେ-ହଙ୍ଗାମା,-ନିନ୍ଦା-କଲେ-ଭାରତୀୟ-ଉଚ୍ଚାୟୋଗ 

ଏହି ସେମିନାରରେ ସିଜେଆଇ ସୂର୍ଯ୍ୟକାନ୍ତ କହିଥିଲେ ଯେ, ପ୍ରଯୁକ୍ତିବିଦ୍ୟା ନିଜେ କେବେ ମନ୍ଦ କିମ୍ବା ଭଲ ହୋଇନଥାଏ। ଏହାର ପ୍ରଭାବ ସମାଜର ଆଇନଗତ, ରାଜନୈତିକ ଏବଂ ନୈତିକ ଢାଞ୍ଚା ଉପରେ ନିର୍ଭର କରେ।

Published By: Tapas – Prameya-News7 Bureau | June 06, 2026 06:51 PM

NEWS7

Chief Justice of India Surya Kant
Image: thehindu

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି CJI ସୂର୍ଯ୍ୟକାନ୍ତଙ୍କ ଲଣ୍ଡନ ଗସ୍ତ ସମୟରେ ଏକ ସଭାରେ ହୋଇଥିବା ହଟ୍ଟଗୋଳ ଓ ବିଶୃଙ୍ଖଳାକୁ ବ୍ରିଟେନସ୍ଥିତ ଭାରତୀୟ ଉଚ୍ଚାୟୋଗ(High Commission of India) ଦୃଢ଼ ନିନ୍ଦା କରିଛି। ଜୁନ୍ ୫, ୨୦୨୬ (ଶୁକ୍ରବାର) ଦିନ ଭାରତୀୟ ମିଶନ ପକ୍ଷରୁ ଏକ ବିବୃତି ଜାରି କରାଯାଇ ଏହି ଘଟଣାକୁ ଅଗ୍ରହଣୀୟ ବୋଲି କୁହାଯାଇଛି। ଜୁନ୍ ୪, ୨୦୨୬ (ଗୁରୁବାର) ଦିନ ଲଣ୍ଡନ ୟୁନିଭର୍ସିଟିର ‘ବିର୍କବେକ’ (Birkbeck) ଠାରେ ଏକ ସ୍ୱତନ୍ତ୍ର ବକ୍ତୃତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହାର ବିଷୟବସ୍ତୁ ଥିଲା ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଏବଂ ଅନ୍ତର୍ଜାତୀୟ ଆଇନ’।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏହି ବିଷୟ ଉପରେ ନିଜର ବକ୍ତବ୍ୟ ରଖିବା ପରେ ଉପସ୍ଥିତ ଶ୍ରୋତାମାନଙ୍କ ସହ ଆଲୋଚନା ଚାଲିଥିଲା। ଏହି ସମୟରେ ଜଣେ ବ୍ୟକ୍ତି ସଭାରେ ଗଣ୍ଡଗୋଳ କରିବାକୁ ଚେଷ୍ଟା କରିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଅନୁଯାୟୀ, ଜଣେ ମହିଳା “ଭାରତରେ ଭିନ୍ନମତ ପ୍ରତି ବଢ଼ୁଥିବା ଶତ୍ରୁତା” କୁ ନେଇ ପ୍ରଶ୍ନ କରିବାକୁ ଚେଷ୍ଟା କରିଥିଲେ

ଏହି ପ୍ରଶ୍ନ ବିଷୟବସ୍ତୁ ଉପରେ ଆଧାରିତ ହୋଇନଥିବାରୁ​  କାର୍ଯ୍ୟକ୍ରମର ପରିଚାଳକ ମହିଳାଙ୍କୁ ଅଧାରୁ ଅଟକାଇ ଦେଇଥିଲେ । ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣା ପରେ ଲଣ୍ଡନରେ ଥିବା ଭାରତୀୟ ହାଇକମିଶନ ସୋସିଆଲ ମିଡିଆରେ ଏକ ବୟାନ ଜାରି କରି କହିଛନ୍ତି, ଶ୍ରୋତାମାନଙ୍କର ଏଭଳି ଅଶୋଭନୀୟ ଆଚରଣ ସମ୍ପୂର୍ଣ୍ଣ ଅଗ୍ରହଣୀୟ। ଗଣତାନ୍ତ୍ରିକ ସମାଜରେ ମତଭେଦ ରହିବା ସ୍ୱାଭାବିକ, କିନ୍ତୁ ତାହାକୁ ଏକ ସଭ୍ୟ ଢଙ୍ଗରେ ପ୍ରକାଶ କରାଯିବା ଉଚିତ।

AI ଏବଂ ଆଇନ ଉପରେ କ’ଣ କହିଲେ ମୁଖ୍ୟ ବିଚାରପତି ?
ଏହି ସେମିନାରରେ ସିଜେଆଇ ସୂର୍ଯ୍ୟକାନ୍ତ କହିଥିଲେ ଯେ, ପ୍ରଯୁକ୍ତିବିଦ୍ୟା ନିଜେ କେବେ ମନ୍ଦ କିମ୍ବା ଭଲ ହୋଇନଥାଏ। ଏହାର ପ୍ରଭାବ ସମାଜର ଆଇନଗତ, ରାଜନୈତିକ ଏବଂ ନୈତିକ ଢାଞ୍ଚା ଉପରେ ନିର୍ଭର କରେ।ଆଇନର ଦାୟିତ୍ୱ ପ୍ରଯୁକ୍ତିବିଦ୍ୟାର ପ୍ରଗତିକୁ ରୋକିବା ନୁହେଁ କିମ୍ବା ଏହା ଆଗରେ ଆତ୍ମସମର୍ପଣ କରିବା ନୁହେଁ। ଆଇନର ପ୍ରକୃତ କାର୍ଯ୍ୟ ହେଉଛି ଏହା ନିଶ୍ଚିତ କରିବ ଯେ, ଟେକ୍ନୋଲୋଜିର ଶକ୍ତି ଯେପରି ସାମ୍ବିଧାନିକ ମୂଲ୍ୟବୋଧ, ଗଣତାନ୍ତ୍ରିକ ବୈଧତା ଏବଂ ମାନବୀୟ ମର୍ଯ୍ୟାଦା ରକ୍ଷା କରିବା ପାଇଁ ବ୍ୟବହୃତ ହେବ।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ୬ ଦିନିଆ  ବ୍ରିଟେନ ଗସ୍ତରେ ଅଛନ୍ତି । ଯେଉଁଠାରେ ସେ ଆଇନ କ୍ଷେତ୍ରରେ ଟେକ୍ନୋଲୋଜିର ଭୂମିକା ଉପରେ ଆହୁରି ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ। ଜୁନ୍ ୫ (ଶୁକ୍ରବାର) ଦିନ ସେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ଆର୍ବିଟ୍ରେସନ୍ (ICA) ର ଏକ ଆନ୍ତର୍ଜାତୀୟ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ ଦୁଇ ଦେଶ ମଧ୍ୟରେ ତୁଳନା ପରିବର୍ତ୍ତେ ମିଳିତ ସହଯୋଗ (Co-creation) ଉପରେ ଗୁରୁତ୍ୱ ଦେଇଥିଲେ।

Scroll to Top