ଟ୍ରାଭେଲ ବ୍ଲଗର ତଥା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ସର୍ବୋଚ୍ଚ ନ୍ୟାୟାଳୟ ଶୁକ୍ରବାର ତାଙ୍କ ଜାମିନ ନିବେଦନ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏହି ମାମଲା ଜାତୀୟ ସୁରକ୍ଷା ସମ୍ପର୍କିତ ଓ ଦେଶର ସୁରକ୍ଷା ସହ କୌଣସି ପ୍ରକାରର ବୁଝାମଣା କରାଯାଇ ପାରିବ ନାହିଁ।
Published By: Biswanath – Prameya-News7 Bureau | June 05, 2026 10:30 PM
NEWS7
ନୂଆଦିଲ୍ଲୀ: ପାକିସ୍ତାନକୁ ଗୋଇନ୍ଦା ସୂଚନା ଦେଉଥିବା ଅଭିଯୋଗରେ ଗିରଫ ଟ୍ରାଭେଲ ବ୍ଲଗର ତଥା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ସୁପ୍ରିମକୋର୍ଟରୁ ଝଟକା ଲାଗିଛି। ସର୍ବୋଚ୍ଚ ନ୍ୟାୟାଳୟ ଶୁକ୍ରବାର ତାଙ୍କ ଜାମିନ ନିବେଦନ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏହି ମାମଲା ଜାତୀୟ ସୁରକ୍ଷା ସମ୍ପର୍କିତ ଓ ଦେଶର ସୁରକ୍ଷା ସହ କୌଣସି ପ୍ରକାରର ବୁଝାମଣା କରାଯାଇ ପାରିବ ନାହିଁ। ଶୁଣାଣି କାଳରେ କୋର୍ଟ କହିଛନ୍ତି ଯେ ଜ୍ୟୋତି ମଲହୋତ୍ରାଙ୍କ ଉପରେ ପଡୋଶୀ ଦେଶକୁ ସମ୍ବେଦନଶୀଳ ସୂଚନା ଦେଉଥିବାର ଗୁରୁତର ଅଭିଯୋଗ ରହିଛି।
କୋର୍ଟ ମଲହୋତ୍ରାଙ୍କ ମାମଲାକୁ ଗୁରୁତର ଓ ତାଙ୍କୁ ଜାମିନ ମଞ୍ଜୁର କରିବାକୁ କୌଣସି ଆଧାର ନଥିବା କହିଛନ୍ତି। ଶୀର୍ଷ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ ଆମେ ଭାବିପାରୁନୁ ଏହି ମାମଲାରେ ଜାମିନ ଦିଆଯାଇ ପାରିବ, ତାଙ୍କୁ ମୋକଦ୍ଦମାର ସମ୍ମୁଖୀନ ହେବାକୁ ପଡିବ। ଜ୍ୟୋତି ମଲହୋତ୍ରା ହରିୟାଣା ହିସାରର ବାସିନ୍ଦା ଓ ସେ ୟୁଟ୍ୟୁବରେ ‘ଟ୍ରାଭେଲ ୱିଥ୍ ଜୋ’ ନାମରେ ଏକ ଲୋକପ୍ରିୟ ଟ୍ରାଭେଲ ଚ୍ୟାନେଲ ଚଳାଉଥିଲେ। ଏହି ଚ୍ୟାନେଲ ତାଙ୍କୁ ବେସ୍ ଲୋକପ୍ରିୟତା ଦେଇଥିଲା ତାଙ୍କର ବହୁ ସଂଖ୍ୟାରେ ଦର୍ଶକ ଓ ଫଲୋଅର୍ସ ଥିଲେ। ତେବେ ତାଙ୍କ ବିରୋଧରେ ପାକିସ୍ତାନ ନିମନ୍ତେ ଗୁଇନ୍ଦାଗିରିର ଗୁରୁତର ଆରୋପ ଲାଗିଛି।
ହରିୟାଣା ପୋଲିସ ଓ ଗୁଇନ୍ଦା ଏଜେନ୍ସୀ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କ ଉପରେ ନଜର ରଖିଥିଲେ ଓ ୧୬ ମେ ୨୦୨୫ରେ ତାଙ୍କୁ ହିସାରସ୍ଥିତ ତାଙ୍କ ଘରୁ ଗିରଫ କରାଯାଇଥିଲା। ଯାଞ୍ଚ ଏଜେନ୍ସୀଙ୍କ ଦାବି ଜ୍ୟୋତି ଲଗାତାର ପାକିସ୍ତାନ ଗୁଇନ୍ଦା ଏଜେନ୍ସୀ ଆଇଏସଆଇର ଅଧିକାରୀ ଓ ହ୍ୟାଣ୍ଡଲର୍ସଙ୍କ ସମ୍ପର୍କରେ ଥିଲେ। ଏଥିରେ ସେ ଭାରତ ସମ୍ପର୍କିତ ଅନେକ ସମ୍ବେଦନଶୀଳ ତଥା ନିଷିଦ୍ଧ ସୂଚନା ପାକିସ୍ତାନୀ ଏଜେଣ୍ଟଙ୍କୁ ଦେଇଥିଲେ। ତେବେ ସୁପ୍ରିମକୋର୍ଟ ଜାମିନ ଦେବାକୁ ମନା କରିବା ପରେ ଏବ ଜ୍ୟୋତିଙ୍କୁ ଟ୍ରାୟଲ କୋର୍ଟରେ ଆଇନଗତ ପ୍ରକ୍ରିୟାର ସମ୍ମୁଖୀନ ହେବାକୁ ପଡିବ।




