କୋଲକାତା: ପଶ୍ଚିମବଙ୍ଗର ରାଜନୈତିକ ମଞ୍ଚରେ ୧୯୯୮ ମସିହାରୁ ଏକ ପ୍ରମୁଖ ଶକ୍ତି ଭାବେ ଉଭା ହୋଇଥିବା ତୃଣମୂଳ କଂଗ୍ରେସ (ଟିଏମସି) ବର୍ତ୍ତମାନ ଏହାର ଗଠନ ପରଠାରୁ ସବୁଠାରୁ ବଡ଼ ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ଠାରୁ ଶୋଚନୀୟ ପରାଜୟ ହେବ ପରେ ଟିଏମ୍ସି ଭିତରେ ତେଜିଛି ବିଦ୍ରୋହ। ପାର୍ଟି ଭିତରେ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ହୋଇଥିବା ବିଦ୍ରୋହ ଟିଏମସି ପାଇଁ ବଡ଼ ଚିନ୍ତାର ବିଷୟ ପାଲଟିଛି। ତେବେ ଏହି ସଙ୍କଟ ସମୟରେ ସବୁଠାରୁ ଚର୍ଚ୍ଚାର ବିଷୟ ହୋଇଛି ମମତା ବାନାର୍ଜୀଙ୍କକ ସେହି ‘ଟଲିଉଡ ବ୍ରିଗେଡ୍’, ଯେଉଁମାନେ ଗତ ଦୁଇ ଦଶନ୍ଧି ଧରି ତାଙ୍କ ପାଇଁ ପ୍ରଚାରର ମୁଖ୍ୟ ଚେହେରା ସାଜିଥିଲେ, ସେମାନେ ଆଜି ଗଲେ କୁଆଡ଼େ ? ସାୟୋନି ଘୋଷ, ଦେବ, ସୋୟମ ଚାଟାର୍ଜୀ, ମିମି ଚକ୍ରବର୍ତ୍ତୀ, ରଚନା ବାନାର୍ଜୀ, ବାବୁଲ ସୁପ୍ରିୟୋ ସଂକଟ ସମୟରେ ଏମାନେ ଯେମିତି ଗାୟବ ହୋଇଯାଇଛନ୍ତି।
ଗ୍ଲାମର ଦୁନିଆରୁ ରାଜନୀତିର ମଇଦାନ
ଦୀର୍ଘ ଦୁଇ ଦଶନ୍ଧି ଧରି ଟିଏମସି ସିନେମା, ଟେଲିଭିଜନ ଏବଂ କ୍ରୀଡ଼ା ଜଗତର ତାରକାମାନଙ୍କୁ ଦଳର ମୁଖ୍ୟ ପ୍ରଚାରକ ଭାବେ ବ୍ୟବହାର କରିଆସିଛି। ୨୦୦୧ ମସିହାରୁ ମାଧବୀ ମୁଖାର୍ଜୀଙ୍କୁ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ବିରୋଧରେ ପ୍ରାର୍ଥୀ କରି ମମତା ବାନାର୍ଜୀ ଏହି ପରମ୍ପରା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଦେବ (ଦୀପକ ଅଧିକାରୀ), ମିମି ଚକ୍ରବର୍ତ୍ତୀ, ନୁସରତ ଜାହାନ, ରଚନା ବାନାର୍ଜୀ, ସାୟନ୍ତନୀ ବାନାର୍ଜୀ, ସାୟୋନୀ ଘୋଷ ଏବଂ ନିର୍ଦ୍ଦେଶକ ରାଜ ଚକ୍ରବର୍ତ୍ତୀଙ୍କ ଭଳି ଅନେକ ତାରକା ଦଳରେ ସାମିଲ ହୋଇଥିଲେ। କେବଳ ସେତିକି ନୁହେଁ, ସତ୍ୟବତୀ ରାୟ, ମୁନ୍ ମୁନ୍ ସେନ୍, ଏବଂ ବାବୁଲ ସୁପ୍ରିୟୋଙ୍କ ଭଳି ବ୍ୟକ୍ତିତ୍ୱ ମଧ୍ୟ ଦଳର ଶୋଭା ବଢ଼ାଇଥିଲେ।
ଏହି ତାରକାମାନେ କେବଳ ଭୋଟ୍ ଆଣିବାରେ ସଫଳ ହେଉନଥିଲେ, ବରଂ ଜାତୀୟ ଟେଲିଭିଜନରେ ଦଳର ନେତୃତ୍ୱକୁ ବଞ୍ଚାଇବା ପାଇଁ ସବୁଠାରୁ ଆଗୁଆ ରହୁଥିଲେ। ମମତା ବାନାର୍ଜୀଙ୍କ ମଞ୍ଚ ସବୁବେଳେ ଏହି ତାରକାମାନଙ୍କ ଦ୍ୱାରା ପରିପୂର୍ଣ୍ଣ ରହୁଥିଲା। ଏପରିକି ଦଳର ବରିଷ୍ଠ ବିଧାୟକମାନେ ଅନେକ ସମୟରେ ଅସନ୍ତୋଷ ପ୍ରକାଶ କରୁଥିଲେ ଯେ, ଏହି ତାରକାମାନଙ୍କ ପାଇଁ ସେମାନେ ମଞ୍ଚରେ ପଛେଇ ଯାଉଛନ୍ତି।
ମେ’ ୪ ତାରିଖର ପରାଜୟ ଏବଂ ପରିବର୍ତ୍ତିତ ପରିସ୍ଥିତି ମେ’ ୪ ତାରିଖର ନିର୍ବାଚନ ଫଳାଫଳ ଟିଏମସି ପାଇଁ ଏକ ବଡ଼ ଝଟକା ଆଣିଛି। ବିଜେପିର ପ୍ରବଳ ଲହରୀରେ ରାଜ ଚକ୍ରବର୍ତ୍ତୀ, ସୋହମ୍ ଚକ୍ରବର୍ତ୍ତୀଙ୍କ ଭଳି ବହୁ ପ୍ରତିଷ୍ଠିତ ତାରକା ପରାଜିତ ହୋଇଛନ୍ତି। କେବଳ ସେତିକି ନୁହେଁ, ଇନ୍ଦ୍ରନୀଲ ସେନ୍ ଏବଂ ଅଦିତି ମୁନ୍ସିଙ୍କ ଭଳି ବରିଷ୍ଠ କଳାକାର ମଧ୍ୟ ନିଜ ସିଟ୍ ବଞ୍ଚାଇ ପାରିନାହାନ୍ତି। ଏହି ପରାଜୟ ପରେ ଦଳର ସେହି ଉଜ୍ଜ୍ୱଳ ତାରକା ବାହିନୀ ଏବେ ସମ୍ପୂର୍ଣ୍ଣ ନିରବ।
କାହିଁକି ଦୂରେଇ ଯାଉଛନ୍ତି ତାରକାମାନେ ?
ରାଜନୈତିକ ବିଶ୍ଳେଷକଙ୍କ ମତରେ, ଏହାର ମୁଖ୍ୟ କାରଣ ହେଉଛି ଏହି ତାରକାମାନଙ୍କର ଦଳ ପ୍ରତି କୌଣସି ଆଦର୍ଶଗତ ସମ୍ପର୍କ ନଥିଲା। ସେମାନେ କେବଳ ମମତା ବାନାର୍ଜୀଙ୍କ ଆଶ୍ରୟରେ ରାଜନୀତିରେ ଆସିଥିଲେ। ବର୍ତ୍ତମାନ ଯେତେବେଳେ ଦଳ ଦୁର୍ନୀତି ଏବଂ ଅତ୍ୟାଚାରର ଅଭିଯୋଗରେ ଘେରି ରହିଛି, ସେତେବେଳେ ନିଜର ଭାବମୂର୍ତ୍ତି ବଞ୍ଚାଇବାକୁ ସେମାନେ ଦଳରୁ ଦୂରେଇ ଯାଉଛନ୍ତି।
ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ପୂର୍ବତନ କ୍ରିକେଟର ମନୋଜ ତିୱାରୀ, ଯିଏକି ନିର୍ବାଚନରେ ପରାଜିତ ହେବା ପରେ ଦଳ ଛାଡ଼ିଛନ୍ତି ଏବଂ ଦଳର ନେତା ଅରୂପ ବିଶ୍ୱାସଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେହିପରି ଅଭିନେତା ଦେବ ମଧ୍ୟ ବିଜେପିର ବିଜୟକୁ ଅଭିନନ୍ଦନ ଜଣାଇବା ଏକ ବଡ଼ ସଙ୍କେତ ଦେଇଛି। ଏପରିକି ସାୟୋନୀ ଘୋଷ, ଯିଏ ନିର୍ବାଚନ ପ୍ରଚାରରେ ଆରେ ରହୁଥିଲେ, ତାଙ୍କ ଡାଇଲଗ ଖୁବ୍ ଭାଇରାଲ ହେଉଥିଲା, ହେଲେ ବି ଦଳର ସଂକଟ ସମୟରେ ସମ୍ପୂର୍ଣ୍ଣ ଚୁପ୍।
ଭବିଷ୍ୟତ କ’ଣ? ଟିଏମସିରେ ଆଭ୍ୟନ୍ତରୀଣ ବିଦ୍ରୋହ ଏବଂ ମମତା ବାନାର୍ଜୀଙ୍କ ଏକାକୀ ସଂଘର୍ଷ ଦର୍ଶାଉଛି ଯେ ଦଳ ଏକ ଘୋର ସଙ୍କଟ ଦେଇ ଗତି କରୁଛି। ଯେଉଁ ତାରକାମାନଙ୍କୁ ଦଳ ପାଇଁ ବ୍ୟବହାର କରାଯାଇଥିଲା, ସେମାନେ ଏବେ ସମୟ ଦେଖି ଦଳକୁ ଛାଡ଼ୁଛନ୍ତି କିମ୍ବା ନିରବ ରହୁଛନ୍ତି। ମମତା ବାନାର୍ଜୀଙ୍କ ସେହି ଗ୍ଲାମର ସେହି ଦିନଗୁଡ଼ିକ ଏବେ ଗତକାଲିର କଥା ପାଲଟିଛି। ଏହି ପରିସ୍ଥିତିରେ ଟିଏମସି ପୁଣିଥରେ ନିଜର ହାରିଥିବା ସମ୍ମାନ ଏବଂ ସମର୍ଥନକୁ କିପରି ଫେରାଇ ଆଣିବ, ତାହା ସମୟ ହିଁ କହିବ।
ଏହି ଘଟଣାକ୍ରମ ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ, କେବଳ ତାରକାଙ୍କ ଚେହେରା ଦେଖାଇ ଲମ୍ବା ସମୟ ପର୍ଯ୍ୟନ୍ତ ରାଜନୀତି କରାଯାଇପାରିବ ନାହିଁ। ବେଳ ଆସିଛି ଯେତେବେଳେ ଦଳକୁ ନିଜର ମୌଳିକ ଆଦର୍ଶ ଏବଂ ସଂଗଠନ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ।




