ପଶ୍ଚିମବଙ୍ଗରେ ହେବ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ, ଅଧିସୂଚନା ଜାରି କଲେ ECI

ପଶ୍ଚିମବଙ୍ଗରେ-ହେବ-ଦୁଇଟି-ପର୍ଯ୍ୟାୟରେ-ନିର୍ବାଚନ,-ଅଧିସୂଚନା-ଜାରି-କଲେ-eci

କୋଲକାତା: ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ସୋମବାର ପଶ୍ଚିମବଙ୍ଗରେ ୨୩ ଓ ୨୯ ଏପ୍ରିଲରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଭୋଟ ଗ୍ରହଣ ପାଇଁ ଅଧିସୂଚନା ଜାରି କରିଛନ୍ତି। ଅଧିସୂଚନାରେ କୁହାଯାଇଛି ଯେ ଉଭୟ ଦିନ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହେବ। ଏଥିରେ ପ୍ରଥମ ପର୍ଯ୍ୟାୟରେ ୧୫୨ ବିଧାନସଭା ଆସନ ନିମନ୍ତେ ମତଦାନ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୧୪୨ ବିଧାନସଭା ଆସନ ଲାଗି ଭୋଟ ପଡିବ। ଏହା ପୂର୍ବରୁ ମାର୍ଚ୍ଚ ୧୫ ତାରିଖ ଦିନ ନିର୍ବାଚନ କମିଶନର ପାଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟକ୍ରମ ଘୋଷଣା କରିଥିଲେ।

କେବଳ ପଶ୍ଚିମବଙ୍ଗରେ ୨ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ତେବେ ଅନ୍ୟ ୩ ରାଜ୍ୟ ଆସାମ, କେରଳ ଓ ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। କେନ୍ଦ୍ରଶାସିତ ପ୍ରଦେଶ ପୁଡୁଚେରୀରେ ମଧ୍ୟ ଗୋଟିଏ ପର୍ଯ୍ଯାୟରେ ମତଦାନ ହେବ। ଇସିଆଇଙ୍କ ଏହି ଅଧିସୂଚନା ପରେ ପଶ୍ଚିମବଙ୍ଗ ଅର୍ଥବିଭାଗ ସୋମବାର ଉଭୟ ଦିନକୁ ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି। ଏ ନେଇ ରାଜ୍ୟ ଅର୍ଥ ବିଭାଗର ଅଧିସୂଚନା ଅନୁସାରେ ଯେହେତୁ ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ହେବ ଏଣୁ ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୨୩ ତାରିଖ ଓ ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୯ ତାରିଖରେ ସମ୍ପର୍କିତ ବିଧାନସଭା କ୍ଷେତ୍ରରେ ସମସ୍ତ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନ ଓ ଉଦ୍ୟୋଗର କର୍ମଚାରୀଙ୍କୁ ଛୁଟି ଦିଆଯିବ। ଏହି ଆଦେଶ ଲୋକପ୍ରତିନିଧି ଅଧିନିୟମ ୧୯୫୧ ଅନୁସାରେ କାର୍ଯ୍ୟକାରୀ ହେବ।

ଅର୍ଥ ବିଭାଗ ସ୍ପଷ୍ଟ ରୂପେ କହିଛନ୍ତି ଯେ କୌଣସି ନିଯୁକ୍ତିଦାତା ଅଥବା ସଙ୍ଗଠନ କର୍ମଚାରୀଙ୍କୁ ସେମାନଙ୍କ ମତଦାନର ଅଧିକାରରୁ ବଞ୍ଚି କରିପାରିବେ ନାହିଁ। ଏପରିକି ଯେଉଁମାନେ ଅନ୍ୟ ସ୍ଥାନରେ କାମ କରୁଛନ୍ତି ଓ ସମ୍ପର୍କିତ କ୍ଷେତ୍ରର ଭୋଟର ସେମାନଙ୍କୁ ମଧ୍ୟ ଭୋଟ ଦେବାକୁ ଅନୁମତି ଦିଆଯିବ। ଏହା ସ୍ପଷ୍ଟ ରୂପେ କୁହାଯାଇଛି ଯେ ନିର୍ଦ୍ଦେଶ ପାଳନ ନ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ। ଏହା ଛଡା ଭୋଟ ଗ୍ରହଣ ଦିନକୁ ‘ଡ୍ରାଏ ଡେ’ ଘୋଷଣା କରାଯାଇଛି। ଏହାର ଅର୍ଥ ହେଉଛି ମତଦାନ ଦିନ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ରହିବ। ଏହା ଦ୍ୱାରା ନିର୍ବାଚନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ସମ୍ପନ୍ନ ହୋଇ ପାରିବ। ପ୍ରଶାସନ ଅନୁସାରେ ଏହି ପଦକ୍ଷେପ ଯୋଗୁ ଭୋଟରଙ୍କ ଭାଗିଦାରୀ ବଢିବା ସହ ସ୍ୱତନ୍ତ୍ର ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବାରେ ସହାୟତା ମିଳିବ।

Scroll to Top