ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ଜେନା ୪୮ ଲକ୍ଷ ଟଙ୍କା ବକେୟା ପୈଠ କରିନଥିବା ଅଭିଯୋଗ ଆଣିଛନ୍ତି SSB ଇଲେକ୍ଟ୍ରିକାଲ୍ସ ମାଲିକ ଅରବିନ୍ଦ ତ୍ରିପାଠୀ।
ମାହାଙ୍ଗା ବିଜେଡି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ଜେନାଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିଛି। କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ୪୮ ଲକ୍ଷ ଟଙ୍କାର ଠକେଇ ହୋଇଥିବା ମାମଲା ରୁଜୁ ହୋଇଛି। ପ୍ରତାପ ଜେନାଙ୍କ ପୁଅ ଅଙ୍କିତଙ୍କ କମ୍ପାନି ଏମ୍ଫୋରିଆ ୱାକ ୱାର୍କସ ପ୍ରାଇଭେଟ୍ ଲିମିଟେଡ୍ ବିରୋଧରେ ଅଭିଯୋଗ କରିଛନ୍ତି କଟକ SSB ଇଲେକ୍ଟ୍ରିକାଲ୍ସ ମାଲିକ ଅରବିନ୍ଦ ତ୍ରିପାଠୀ।
ଅଭିଯୋଗ ଅନୁସାରେ, କେନ୍ଦ୍ରାପଡ଼ାରେ ବିଦ୍ୟୁତ୍ ସରଞ୍ଜାମ କାର୍ଯ୍ୟ କରିବା ପାଇଁ ଏହି କମ୍ପାନୀରୁ ସେମାନେ ୱାର୍କ ଅର୍ଡର ପାଇଥିଲେ। ସେହି ଅନୁଯାୟୀ କାର୍ଯ୍ୟ ମଧ୍ୟ କରିଥିଲେ। ହେଲେ ସେମାନଙ୍କ ୪୮ ଲକ୍ଷ ଟଙ୍କା ବକେୟା ଥିବା ବେଳେ ଅଙ୍କିତ ଜେନା ଟଙ୍କା ଦେଉ ନାହାନ୍ତି। ବାରମ୍ବାର ଦିନ ଗଡ଼ାଇ ଚାଲିବା ଯୋଗୁ ସେ ଥାନାରେ ଏତଲା ଦେଇଛନ୍ତି।
ଅପରପକ୍ଷରେ ଅଙ୍କିତଙ୍କ କମ୍ପାନୀ ଏମ୍ପୋରିଆ ୱାର୍କ୍ସର ମ୍ୟାନେଜର ଦେବାଶିଷ ଦାସ ପାଲଟା ଅଭିଯୋଗ କରିଛନ୍ତି। ଅରବିନ୍ଦ ତ୍ରିପାଠୀ ଓ ଗଣେଶ ସ୍ବାଇଁଙ୍କ କମ୍ପାନୀ କେନ୍ଦ୍ରାପଡ଼ା କାମରେ ବାଧା ସୃଷ୍ଟି କରିବାରୁ କମ୍ପାନୀର କ୍ଷତି ଘଟିଛି। ତେଣୁ ଉଭୟଙ୍କ ନାଁରେ ଏତଲା ଦେଇଛନ୍ତି। ଉଭୟ ପଟୁ ଅଭିଯୋଗ ରଖା ଯାଇ ତଦନ୍ତ ଚାଲିଥିବା ପୋଲିସ୍ କହିଛି।
Also Read
ସେପଟେ ତାଙ୍କ ଉପରେ ଲାଗିଥିବା ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଙ୍କିତ ଜେନା। କାମ ବେଳେ କିଛି ସାମଗ୍ରୀ ଚୋରି କରିଛି SSB ଇଲେକ୍ଟ୍ରିକାଲ୍ସ କମ୍ପାନି। ତେଣୁ ଏ ନେଇ ସେ ଥାନାରେ ଏତଲା ଦେଇଥିଲେ। ଏବେ SSB ଇଲେକ୍ଟ୍ରିକାଲ୍ସ ପାଲଟା ଅଭିଯୋଗ କରିଛି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ SSB ଇଲେକ୍ଟ୍ରିକାଲ୍ସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ସୂଚନାଯୋଗ୍ୟ, ଗଲା ନିର୍ବାଚନରେ ମାହାଙ୍ଗାରୁ ବିଜେଡି ପ୍ରାର୍ଥୀ ଥିଲେ ଅଙ୍କିତ।




