ବିଜେଡିରୁ ନିଲମ୍ବିତ ୨ ବିଧାୟକଙ୍କୁ ହ୍ବିପ୍ ଜାରି: ସନା ଓ ଅରବିନ୍ଦଙ୍କୁ ଦଳୀୟ ନିଷ୍ପତ୍ତି ଅନୁସାରେ ଭୋଟ ଦେବାକୁ ନିର୍ଦ୍ଦେଶ
Published By: Chikun – Prameya-News7 Bureau | March 15, 2026 10:41 PM
NEWS7
ଭୁବନେଶ୍ବର: ରାତି ପାହିଲେ ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ । ଏଥିପାଇଁ ତିନି ପ୍ରମୁଖ ଦଳ ବିଜେଡି- ବିଜେପି ଏବଂ କଂଗ୍ରେସ ଶିବିର ଚଳଚଞ୍ଚଳ। ସୋମବାର ରାଜ୍ୟସଭା ଭୋଟ ପୂର୍ବରୁ ବିଜେପି ବିଧାୟକ ମାନେ ଦ୍ଵିତୀୟ ଥର ପ୍ରଶିକ୍ଷଣ ନେଇଛନ୍ତି । ଗୋଟିଏ ବି ଭୋଟ ଯେମିତି ନାକଚ ନ ହୁଏ ସେଥିପାଇଁ ଗୁରୁତ୍ବ ଦେଉଛି ଦଳ। କଂଗ୍ରେସ ବି ପଛରେ ପଡ଼ିନାହିଁ। ହେଲେ ସେପଟେ ନବୀନ ନିବାସରେ କିନ୍ତୁ ଲାଗିଛି ବିଜେଡି ବିଧାୟକଙ୍କ ଭିଡ଼। ଲଗାତାର ଦୁଇ ଦିନ ହେବ ନବୀନ ନିବାସରେ ବିଜେଡି ବିଧାୟକଙ୍କୁ ଡକାଯାଉଛି ଏବଂ ବୈଠକ ବସୁଛି ।କେମିତି ଦୁଇ ପ୍ରାର୍ଥୀ ଜିତିବେ ସେନେଇ ମନ୍ତ୍ର ଦେଉଛନ୍ତି ନବୀନ ।
ଆଉ ଏହାରି ମଧ୍ୟରେ ରବିବାର ବିଜେଡିରୁ ନିଲମ୍ବିତ ୨ ବିଧାୟକଙ୍କୁ ନୋଟିସ ଜାରି କରାଯାଇଛି। ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ନୋଟିସ ଜାରି କରି ଦଳର ନିଷ୍ପତ୍ତି ଅନୁସାରେ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦଳ ସୁପ୍ରିମୋ। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି।
ସୂଚନାଥାଉକି, ଗତ ଜାନୁଆରୀ ୧୫ ତାରିଖରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା । ଦଳ ସଭାପତି ନବୀନ ପଟ୍ଟନାୟକ ସନାତନ ମହାକୁଡ଼ଙ୍କୁ ସସ୍ପେଣ୍ଡ କରିଥିଲେ । ଦଳ ବିରୋଧୀ କାର୍ଯ୍ୟ ପାଇଁ ସନାତନ ମହାକୁଡ଼ଙ୍କ ସହ ଅରବିନ୍ଦ ମହାପାତ୍ରଙ୍କୁ ସସ୍ପେଣ୍ଡ କରାଯାଇଥିଲା।




