ସାମ୍ନାକୁ ଆସିଲେ ରାହୁଲଙ୍କ ସାଙ୍ଗ ଶିବା, ମୋତେ ନିର୍ଘାତ ପିଟିଲେ, ମୁଁ ବେହୋସ ଥିଲି…
Published By: Kirti – Prameya-News7 Bureau | March 03, 2026 01:25 PM
NEWS7
ଭୁବନେଶ୍ୱର ୦୩।୦୩ : ୟ୍ୟୁଟୁବର ରାହୁଲ ମହାରଣା ହତ୍ୟା ଘଟଣା । ଦୁଇ ଦିନ ପରେ ଗଣମାଧ୍ୟମ ସାମ୍ନାକୁ ଆସିଲେ ରାହୁଲଙ୍କ ସାଙ୍ଗ ଶିବା ଚମ୍ପତି । ଗଣମାଧ୍ୟମ ଆଗରେ ବଖାଣିଛନ୍ତି ଶନିବାର କାଳ ରାତିର ଘଟଣା । କେମିତି ହତ୍ୟାକାଣ୍ଡ ହେଲା, କେମିତି ଯୁକ୍ତିତର୍କ ହେଲା, କେମିତି ଯୁକ୍ତିତର୍କ ଗଣ୍ଡଗୋଳର ରୂପ ନେଲା । ସମସ୍ତ ଘଟଣା ଗଣମାଧ୍ୟମ ଆଗରେ କହିଛନ୍ତି ଶିବା ।
ଫେବୃଆରୀ ୨୮ ତାରିଖ ରାତି । ଜିଜିପି କଲୋନୀ ହାଇସ୍କୁଲ ପଡ଼ିରେ ରାହୁଲ ଓ ତାଙ୍କ ସାଙ୍ଗମାନେ ବସି ଖଟି କରୁଥିଲେ । ଆଉ କିଛି ଦୂରରେ ବସି ଅନ୍ୟ ୩ ଜଣ ନିଶା ସେବନ କରୁଥିଲେ । ଏହି ସମୟରେ ରାହୁଲଙ୍କ ସାଙ୍ଗ ଫୋନ୍ରେ କଥା ହୋଇ କାହାକୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟିରୁ ପାଟିତୁଣ୍ଡ ହୋଇଥିଲା। ଆଉ ହଠାତ୍ ଆର ଗୋଷ୍ଠୀର ଜଣେ ଯୁବକ ରାହୁଲଙ୍କୁ ଛୁରୀ ଭୁଶି ଦେଇଥିଲେ। ଗୁରୁତର ଅବସ୍ଥାରେ ରାହୁଲଙ୍କୁ ମେଡିକାଲ ନେଇଥିଲେ ହେଁ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ହତ୍ୟାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି।




