ନୂଆଦିଲ୍ଲୀ ୧୬।୦୮; ସମସ୍ତେ ଦିନେ ନା ଦିନେ ବୃଦ୍ଧ ହେବେ । ତେବେ ଏହି ବାର୍ଦ୍ଧକ୍ୟ କେବେ ଆରମ୍ଭ ହୁଏ ? ଅଧିକାଂଶ ଲୋକଙ୍କୁ ଲାଗେ ଯେ, ଏହା ୬୦-୭୦- ବର୍ଷ ବୟସରୁ ଆରମ୍ଭ ହୁଏ । ମାତ୍ର ବାର୍ଦ୍ଧକ୍ୟ ୬୦ କିମ୍ବା ୭୦ ବର୍ଷ ବୟସରେ ଆରମ୍ଭ ହୁଏ ନାହିଁ । ଏହା ଏକ ନିରନ୍ତନ ପ୍ରକ୍ରିୟ। ଯାହା ଜୀବନର ଅଲଗା ଅଲଗା ସମୟରେ ବିଭିନ୍ନ ଲୋକଙ୍କ ଠାରେ ଭିନ୍ନ ଭିନ୍ନ ଗତିରେ ଆରମ୍ଭ ହୁଏ । ଏକ ନୂଆ ଆଧ୍ୟୟନରେ ବାର୍ଦ୍ଧକ୍ୟକୁ ନେଇ କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଏକ ରିସର୍ଚ୍ଚରେ ଜଣାପଡ଼ିଛି ଯେ, ବାର୍ଦ୍ଧକ୍ୟ ୩୪ ବର୍ଷ ବୟସରୁ ବି ଆରମ୍ଭ ହୋଇପାରେ ।
ଏହି ରିସର୍ଚ୍ଚରେ, ବୈଜ୍ଞାନିକମାନେ ଚୀନରେ ୧୪ରୁ ୬୮ ବର୍ଷ ବୟସର ପ୍ରାୟ ୭୦ ଜଣଙ୍କ ଟିସୁ ବିଶ୍ଲେଷଣ କରିଥିଲେ । ଯେଉଥିରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ବାର୍ଦ୍ଧକ୍ୟ କ୍ରମିକ ପ୍ରକ୍ରିୟା (Gradual Process) । ଯାହା ବିଭିନ୍ନ ଅଙ୍ଗ ଓ ସିଷ୍ଟମରେ ଅଲଗା ଅଲଗା ସମୟରେ ଆରମ୍ଭ ହୁଏ । କିଛି ଲୋକଙ୍କଠାରେ ବାର୍ଦ୍ଧକ୍ୟ ୩୪ ବର୍ଷ ବୟସରୁ ଆରମ୍ଭ ହୋଇପାରେ । ସେହିପରି ଆଉ କିଛି ଲୋକଙ୍କ ଠାରେ ଏହା ପରେ ଆରମ୍ଭ ହୋଇପାରେ ।
ରିସର୍ଚ୍ଚ ଅନୁଯାୟୀ, ୪୫ ରୁ ୫୫ ବର୍ଷ ବୟସ ମଧ୍ୟରେ ବାର୍ଦ୍ଧକ୍ୟ ପ୍ରକ୍ରିୟା ତ୍ବରାନ୍ବିତ ହୁଏ । ଏହାର ସବୁଠାରୁ ଅଧିକ ପ୍ରଭାବ ରକ୍ତବାହୀ ନଳୀ ବା ବ୍ଲଡ ଭେସେଲ୍ ଉପରେ ପକାଏ । ବୟସ ବିଢ଼ାବ ସହ କୋଷଗୁଡ଼ିକରେ mRNA ନିର୍ଦ୍ଦେଶ ଦ୍ବାରା ପ୍ରସ୍ତୁତ ପ୍ରୋଟିନ କମ୍ ହୋଇଯାଏ । ଏହା ବାର୍ଦ୍ଧକ୍ୟ ଆରମ୍ଭ ହେବାର ଏକ ପ୍ରାରମ୍ଭିକ ସଂକେତ । ବୈଜ୍ଞାନିକମାନେ ହାର୍ଟ, ଲିଭର, ପାନକ୍ରିଆଜ, ଫୁସ୍ଫୁସ୍ , ଚର୍ମ ଓ ମାଂସପେଶୀ ସମେତ ଶରୀରର ଅନେକ ଅର୍ଗାନ ପରୀକ୍ଷା କରିଥିଲେ, ଯେଉଁଥିରେ ସେମାନେ ଜାଣିବାକୁ ପାଇଛନ୍ତି ଯେ, ପ୍ରତ୍ୟେକ ଅଙ୍ଗର ବୟସ ଭିନ୍ନ ଭିନ୍ନ ସମୟରେ ବଢିଥାଏ । ପ୍ଲୀହା, ଆଡ୍ରେନାଲ ଗ୍ଲାଣ୍ଡ (Adrenal Glands) ଓ ମହାଧମନୀ (Aorta) ଭଳି ଅଙ୍ଗରେ ୩୦ ବର୍ଷ ବୟସରୁ ବାର୍ଦ୍ଧକ୍ୟ ହେବାର ସଂକେତ ଦେଖାଯିବା ଆରମ୍ଭ ହୋଇଥାଏ । ବିଶେଷ କରି ୪୫ ରୁ ୫୫ ବର୍ଷ ବୟସରେ ମହାଧମନୀରେ ପ୍ରୋଟିନ୍ ସ୍ତରରେ ପ୍ରମୁଖ ପରିବର୍ତ୍ତନ ହୋଇଥିବା ବୈଜ୍ଞାନିକମାନେ ଦେଖିବାକୁ ପାଇଥିଲେ ।




