ନୂଆଦିଲ୍ଲୀ ୧୫।୮: ଯଦି କୁହାଯାଏ ଇଭିଏମ ମେସିନରେ ହୋଇଥିବା ନିର୍ବାଚନର ଅଢେଇ ବର୍ଷ ପରେ ଦ୍ୱିତୀୟବାର ଭୋଟ ଗଣନା କରାଯିବାରୁ ପରାଜିତ ପ୍ରାର୍ଥୀ ଜିତି ଯାଇଛନ୍ତି, ତେବେ ବିଶ୍ୱାସ ହୋଇ ନପାରେ। ହେଲେ ଇଭିଏମରେ ହୋଇଥିବା ଏହି ନିର୍ବାଚନରେ ଏହା ହୋଇଛି ଓ ସୁପ୍ରିମକୋର୍ଟରେ ହିଁ ହୋଇଛି। ଏଣୁ ବିଜୟୀ ପ୍ରାର୍ଥୀଙ୍କୁ ତୁରନ୍ତ ଦାୟିତ୍ୱ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି।
ହରିୟାଣା ପାନିପତ ଜିଲ୍ଲାର ବୁଆନା ଲାଖୁ ଗ୍ରାମପଞ୍ଚାୟତର ସରପଞ୍ଚ ନିର୍ବାଚନର ଭୋଟ ଗଣନା ସୁପ୍ରିମକୋର୍ଟ ନିଜ ପରିସରରେ ଇଲେକ୍ଟ୍ରୋନିକ ଭୋଟିଂ ମେସିନ ମଗାଇ କରିଛନ୍ତି। ରିକାଉଣ୍ଟିଂରେ ଭୋଟିଂ ଫଳାଫଳ ବଦଳି ଯାଇଛି ଓ ମୋହିତ କୁମାରଙ୍କୁ ନିର୍ବାଚିତ ସରପଞ୍ଚ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଏହି ନିର୍ବାଚନର ଫଳାଫଳ ୨ ନଭେମ୍ବର ୨୦୨୨ରେ ଘୋଷଣା ହୋଇଥିଲା। ଏଥିରେ କୂଲଦୀପ ସିଂହ ନାମକ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଥିଲା।
ତେବେ ପରାଜିତ ପ୍ରାର୍ଥୀ ମୋହିତ କୁମାର ନିର୍ବାଚନ ଫଳାଫଳକୁ ଗ୍ରହଣ କରିନଥିଲେ ଓ ଅତିରିକ୍ତ ସିଭିଲ ଜଜ୍ (ବରିଷ୍ଠ) ତଥା ନିର୍ବାଚନ ନ୍ୟାୟାଧୀକରଣ ପାନିପତରେ ଚ୍ୟାଲେଞ୍ଜ କରିଥିଲେ। ୨୨ ଏପ୍ରିଲ ୨୦୨୫ରେ ନ୍ୟାୟାଧିକରଣ ବୁଥ ସଂଖ୍ୟା ୬୯ର ରିକାଉଣ୍ଟିଂ ନିର୍ଦ୍ଦେଶ ଦେଇଥିଲେ। ତେବେ ୧ ଜୁଲାଇ ୨୦୨୫ରେ ପଞ୍ଜାବ ଏବଂ ହରିୟାଣା ଉଚ୍ଚନ୍ୟାୟାଳୟ ନ୍ୟାୟାଧୀକରଣଙ୍କ ଆଦେଶକୁ ରଦ୍ଦ କରିଦେଇଥିଲେ। ଏଣୁ ମୋହିତ କୁମାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
୩୧ ଜୁଲାଇ ୨୦୨୫ରେ ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଦୀପାଙ୍କର ଦତ୍ତ ଓ ଜଷ୍ଟିସ୍ ଏନ.କୋଟିଶ୍ୱର ସିଂହଙ୍କ ପୀଠ ସମସ୍ତ ମତଦାନ କେନ୍ଦ୍ରର ଭୋଟ ଗଣନା ଲାଗି ନିର୍ଦ୍ଦେଶ ଦେଇଥିଲେ। ଆଦେଶରେ କୁହାଯାଇଥିଲା ପାନିପତ ଉପାୟୁକ୍ତ ଓ ଜିଲ୍ଲା ନିର୍ବାଚନ ଅଧିକାରୀ ୬ ଅଗଷ୍ଟ ସକାଳ ୧୦ବେଳେ ସବୁ ଇଭିଏମ ସୁପ୍ରିମକୋର୍ଟକୁ ଆଣି କୋର୍ଟଙ୍କ ରେଜିଷ୍ଟ୍ରାରଙ୍କ ଦ୍ୱାରା ପୁନର୍ମତଗଣନା କରାଯାଉ। ସେହି ଅନୁସାରେ ପୁରା ଭୋଟଗଣନା ପ୍ରକ୍ରିୟାର ବିଡିଓଗ୍ରାଫି ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଅବସରରେ ଉଭୟପକ୍ଷର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ।
୬ ଅଗଷ୍ଟ ୨୦୨୫ରେ ପୁନର୍ମତଗଣନା ହୋଇଥିଲା ଓ ଏଥିରେ ୩,୭୬୭ଟି ଭୋଟର ଗଣନା କରାଯାଇଥିଲା। ଏଥିରୁ ମୋହିତ କୁମାରଙ୍କୁ ୧୦୫୧ଟି ଭୋଟ ମିଳିଥିବା ବେଳେ କୂଲଦୀପ ସିଂହଙ୍କୁ ୧୦୦୦ଟି ଭୋଟ ମିଳିଥିଲା। ବଳକା ଭୋଟ ଅନ୍ୟ ପ୍ରାର୍ଥୀଙ୍କୁ ମିଳିଥିଲା। ଏହି ଭୋଟ ଗଣନା ସୁପ୍ରିମକୋର୍ଟଙ୍କ ଓଏସଡି (ରେଜିଷ୍ଟ୍ରାର) କାବେରୀଙ୍କ ତତ୍ୱାବଧାନରେ ହୋଇଥିଲା ଓ ଫଳାଫଳରେ ଉଭୟ ପକ୍ଷ ଦସ୍ତଖତ କରିଥିଲେ।
୧୧ ଅଗଷ୍ଟ ୨୦୨୫ରେ ସର୍ବୋଚ୍ଚନ୍ୟାୟାଳୟ ରିପୋର୍ଟ ସ୍ୱୀକାର କରିଥିବା ବେଳେ ଓଏସଡିଙ୍କ ଏହି ରିପୋର୍ଟ ଉପରେ ଏବେ ସନ୍ଦେହ କରିବାର କୌଣସି କାରଣ ନାହିଁ। କାରଣ ପୁରା ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି ଓ ପ୍ରତିନିଧିଙ୍କ ହସ୍ତାକ୍ଷର ଦ୍ୱାରା ପ୍ରମାଣିତ ମଧ୍ୟ ହେଉଛି। ଏଣୁ ସୁପ୍ରିମକୋର୍ଟ ମାମଲାରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିଦେଇଥିବା ବେଳେ ଉପାୟୁକ୍ତଙ୍କୁ ୨ ଦିନ ମଧ୍ୟରେ ମୋହିତ କୁମାରଙ୍କୁ ନିର୍ବାଚିତ ଘୋଷଣା କରିବା ପାଇଁ ଅଧିସୂଚନୀ ଜାରି ନିମନ୍ତେ ଆଦେଶ ଦେଇଛନ୍ତି। ଏଥିରେ ମୋହିତ କୁମାରଙ୍କୁ ତୁରନ୍ତ କାର୍ଯ୍ୟଭାର ଗ୍ରହଣ କରିବାକୁ ଅନୁମତି ଦିଆଯାଇଛି। ଏହା ବାଦେ ଯଦି କୌଣସି ବିବାଦ ଥାଏ ତେବେ ଏହାକୁ ନିର୍ବାଚନ ନ୍ୟାୟାଧିକରଣରେ ଉଠାଇବା ଲାଗି ସୁପ୍ରିମକୋର୍ଟ କହିଛନ୍ତି।




