ନୂଆଦିଲ୍ଲୀ ୦୨।୦୨; ଆଜିକାଲିକା ପିଲାମାନେ ମୋମୋ ପାଗଳ। ମୋମୋ ନାଁ ଶୁଣିଲେ ଖାଇବା ଭୁଲି ଯାଉଛନ୍ତି । ଏବେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲା ପରେ ଆପଣି ବି ଆଶ୍ଚର୍ଯ୍ୟ ହୋଇଯିବେ । ମୋମୋ ନିଶା କରିଦେଲା ଚୋର । ମୋମୋ ଖାଇବା ପାଇଁ ଘରୁ ଗହଣା ଚୋରି କରି ଦୋକାନୀକୁ ଦେଇ ଦେଲା ନାବାଳକ। ଉତ୍ତର ପ୍ରଦେଶରେ ଏଭଳି ଘଟଣା ଘଟିଛି। ଜଣେ ୧୪ ବର୍ଷୀୟ ନାବାଳକଙ୍କୁ ଏମିତି ମୋମୋ ନିଶା ଘାରିଲା ଯେ ସେ ତାଙ୍କ ଘରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି କରି ଜଣେ ଠେଲା ବାଲାଙ୍କୁ ଦେଇ ଦେଇଥିଲେ।
ସୂଚନାନୁଯାୟୀ, ଦେବରିଆ ଜିଲ୍ଲାର ରାମପୁର କାରଖାନା ଥାନା ଅଞ୍ଚଳର ଜଣେ ନାବାଳକ ମୋମୋ ଖାଇବା ପାଇଁ ଘରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରି କରି ମୋମୋ ବାଲାକୁ ଦେଇ ଦେଇଥିଲେ। ନାବାଳକଙ୍କ ପିଉସୀ ଦିନେ ଗହଣା ଥିବା ଆଲମାରୀ ଖୋଲିବାରୁ ଗହଣା ଚୋରି ହୋଇଥିବା ଦେଇଖିଥିଲେ। ଏନେଇ ସେ ପରିବାର ଲୋକଙ୍କୁ କହିଥିଲେ। ଘରେ ପଚରାଉଚରା ପରେ ନାବାଳକ ଜଣଙ୍କ ସତ ମାନି ଯାଇଥିଲେ। ମୋମୋ ଖାଇବା ପାଇଁ ସେ ମୋମୋ ବାଲାକୁ ନେଇ ଗହଣା ଦେଇ ଦେଇଥିବା କହିଥିଲେ। ମୋମୋ ବାଲା ମଧ୍ୟ ନାବାଳକର ଫାଇଦା ଉଠାଇ ସୁନା ଗହଣା ସବୁ ନେଉଥିଲା।
ଏ ସମ୍ପର୍କରେ ଜାଣିବା ପରେ ନାବାଳକଙ୍କ ବାପା ଥାନାର ଦ୍ଵାରସ୍ଥ ହୋଇଥିଲେ। ବାପା କହିଥିଲେ ଯେ ଚୋରି ହୋଇଥିବା ଅଳଙ୍କାରର ମୂଲ୍ୟ ପ୍ରାୟ ୮୬ ଲକ୍ଷ ଟଙ୍କା ହେବ। ସେ ବୁଝାଇଥିଲେ ଯେ ଅଳଙ୍କାର ଗୁଡ଼ିକ ତାଙ୍କ ଭଉଣୀ ଏବଂ ତାଙ୍କ ପତ୍ନୀଙ୍କର ଥିଲା । ଏହାକୁ ଏକ ଆଲମାରୀରେ ସୁରକ୍ଷିତ ଭାବରେ ରଖାଯାଇଥିଲା। ଥାନା ଅଧିକାରୀ ଦେବେନ୍ଦ୍ର କୁମାର ସିଂ ଏହି ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି। ଏବେ ମୋମୋ ବାଲାକୁ ଥାନାକୁ ଅଣାଯାଇ ପଚରାଉଚରା କରାଯାଉଛି। ଏନେଇ ପୋଲିସ୍ କହିଛି ଖୁବ ଶୀଘ୍ର ଦୋଷୀକୁ ଗିରଫ କରାଯିବ ।




