ଗ୍ରାହକଙ୍କ ଆଗରେ ନଇଁଲେ ICICI ବ୍ୟାଙ୍କ, ୫୦,୦୦୦ ନୁହେଁ ଏବେ ଖାତାରେ ସର୍ବନିମ୍ନ ଜମା ରାଶି ରହିବ ଏତିକି

ଗ୍ରାହକଙ୍କ-ଆଗରେ-ନଇଁଲେ-icici-ବ୍ୟାଙ୍କ,-୫୦,୦୦୦-ନୁହେଁ-ଏବେ-ଖାତାରେ-ସର୍ବନିମ୍ନ-ଜମା-ରାଶି-ରହିବ-ଏତିକି

ନୂଆଦିଲ୍ଲୀ ୧୪।୮:  ଦେଶର ପ୍ରମୁଖ ଘରୋଇ ବ୍ୟାଙ୍କ ମଧ୍ୟରେ ଅନ୍ୟତମ ଆଇସିଆଇସିଆଇ ବ୍ୟାଙ୍କ ନିକଟରେ ନିଜର ସଞ୍ଚୟ ଜମା ଖାତା ନିୟମରେ ବଡ଼ ପରିବର୍ତ୍ତନ କରିଛି। ଏଥିରେ ବ୍ୟାଙ୍କ ସହରାଞ୍ଚଳରେ ନୂଆ ଗ୍ରାହକଙ୍କ ନିମନ୍ତେ ସର୍ବନିମ୍ନ ହାରାହାରି ବାଲାନ୍ସ ସୀମା ୫୦,୦୦୦ରୁ ହ୍ରାସ କରି ୧୫,୦୦୦ କରିଦେଇଛି। ବ୍ୟାଙ୍କ ଦ୍ୱାରା ନିକଟରେ ଲାଗୁ କରାଯାଇଥିବା ନୀତି ବିରୋଧରେ ଉପଭୋକ୍ତାଙ୍କ କଡ଼ା ପ୍ରତିକ୍ରିୟା ମିଳିବା ପରେ ଏହି ପଦକ୍ଷେପ ନିଆଯାଇଛି। 

ଆଇସିଆଇସିଆଇ ବ୍ୟାଙ୍କ ୧ ଅଗଷ୍ଟ ୨୦୨୫ରେ ନୂଆ ସଞ୍ଚୟ ଜମା ଖାତା ଖୋଲିବା ପାଇଁ ମିନିମମ ବାଲାନ୍ସ ସୀମା ୧୦,୦୦୦ରୁ ବଢାଇ ୫୦,୦୦୦ କରିଦେଇଥିଲା, ଯାହା ପାଖାପାଖି ୫ ଗୁଣା ଅଧିକ ଥିଲା। ଏହି ନିଷ୍ପତ୍ତିକୁ ନେଇ ସୋସିଆଲ ମିଡିଆରେ ବ୍ୟାଙ୍କର ଖୁବ୍ ସମାଲୋଚନା ହୋଇଥିଲା ଓ ଗ୍ରାହକଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏବେ ଗ୍ରାହକଙ୍କ ଫିଡବ୍ୟାକକୁ ଧ୍ୟାନରେ ରଖି ବ୍ୟାଙ୍କ ନିୟମ କୋହଳ କରିଛି। ଏଥିରେ ସହରାଞ୍ଚଳରେ ସର୍ବନିମ୍ନ ବାଲାନ୍ସ ୧୫,୦୦୦ ଧାର୍ଯ୍ୟ କରାଯାଇଥିବା ବେଳେ ପୂର୍ବାପେକ୍ଷା ୫୦୦୦ ଟଙ୍କା ଅଧିକ ହୋଇଛି। 

ହେଲେ ୫୦,୦୦୦ ଟଙ୍କା ତୁଳନାରେ ଗ୍ରାହକଙ୍କୁ ଆଶ୍ୱସ୍ତ କରାଯାଇଛି। ସହରାଞ୍ଚଳ, ଅର୍ଦ୍ଧସହରାଞ୍ଚଳ ଓ ଗ୍ରାମାଞ୍ଚଳ ଲାଗି ନୂଆ ବାଲାନ୍ସ ଷ୍ଟ୍ରକ୍ଚର ଲାଗୁ ହୋଇଥିଲା। ପ୍ରଥମେ ସହରାଞ୍ଚଳ (ଅର୍ବାନ) ବ୍ୟାଙ୍କ ପାଇଁ ସର୍ବନିମ୍ନ ବାଲାନ୍ସ ୧୫,୦୦୦ରୁ ୫୦,୦୦୦ କରାଯାଇଥିଲା। ଅର୍ଦ୍ଧ ସହରାଞ୍ଚଳ ପାଇଁ ୭,୫୦୦ରୁ ୨୫,୦୦୦ ଓ ଗ୍ରାମାଞ୍ଚଳ ପାଇଁ ୫,୦୦୦ ଟଙ୍କା ଧାର୍ଯ୍ୟ ଥିଲା। ତେବେ ଏହି ନୂଆ ବ୍ୟବସ୍ଥା କେବଳ ନୂଆ ଖାତାଧାରୀଙ୍କ ପାଇଁ ଲାଗୁ ହେବ ଓ ପୂରୁଣା ଖାତାଧାରୀଙ୍କ ପାଇଁ ଆଗ ଭଳି ମିନିମମ ବାଲାନ୍ସ ୫,୦୦୦ ଟଙ୍କା ରହିବ। 

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି ଯେ ସାଲାରୀ ଆକାଉଣ୍ଟ, ବରିଷ୍ଠ ନାଗରିକ, ପେନସନଭୋଗୀ ଏହି ଯୋଜନାରୁ ବାହାରେ ରହିବେ। ଏହା ଛଡା ଯେଉଁ ଗ୍ରାହକ ୩୧ ଜୁଲାଇ ୨୦୨୫ରୁ ପୂର୍ବରୁ ବ୍ୟାଙ୍କରେ ଖାତା ଖୋଲିଛନ୍ତି ସେମାନଙ୍କ ଲାଗି ମଧ୍ୟ ପୁରୁଣା ମିନିମମ ବାଲାନ୍ସ ରାଶି ଲାଗୁ ହେବ। 

କାହିଁକି ଲାଗୁ ହୁଏ ମିନିମମ ବାଲାନ୍ସ ଚାର୍ଜ?

 ବ୍ୟାଙ୍କ ମାନଙ୍କ ପାଇଁ ସେଭିଂ ବ୍ୟାଙ୍କ ଆକାଉଣ୍ଟ ସଞ୍ଚାଳନ କେବଳ ପଇସା ଜମା ରଖିବାରେ ସୀମିତ ନୁହଁ। ଏଟିଏମ, ମୋବାଇଲ ବ୍ୟାଙ୍କିଙ୍ଗ, ଏସଏମଏସ ଆଲର୍ଟ ଓ ନେଟ୍ ବ୍ୟାଙ୍କିଙ୍ଗ ଭଳି ସୁବିଧା ଗ୍ରାହକଙ୍କ ନିମନ୍ତେ ଉପଲବ୍ଧ କରାଯାଏ। ଏ ବାବଦ ଖର୍ଚ୍ଚ ବ୍ୟାଙ୍କମାନେ ନିଜେ ବହନ କରନ୍ତି। ଏହା ଛଡା କର୍ମଚାରୀଙ୍କୁ ବେତନ, ବ୍ରାଞ୍ଚର ମେଣ୍ଟେନାନ୍ସ ଓ ଡିଜିଟାଲ ଏକ୍ସପାନ୍ସେସ ଭଳି ଖର୍ଚ୍ଚ କଭର କରିବା ଲାଗି ବ୍ୟାଙ୍କ ମିନିମମ ବାଲାନ୍ସ ମେଣ୍ଟେନ ନ କଲେ ଚାର୍ଜ ଲଗାଇଥାଏ।   

Scroll to Top