ନାମଯଜ୍ଞ ଦେଖିବାକୁ ଯାଇ ନାବାଳିକା ଦୁଷ୍କର୍ମର ଶିକାର, ପୋଲିସ ହେପାଜତରେ ଅଭିଯୁକ୍ତ
ସବୁ ପ୍ରୟାସ ସତ୍ତ୍ବେ ଥମୁନି ନାବାଳିକା ନିର୍ଯାତନା ଘଟଣା ।ମଣିଷ ଭୁଲୁଛି ହିତାହିତ ଜ୍ଞାନ, ପାଲଟୁଛି ରାକ୍ଷସ ।ଦେବଗଡ ବାରକୋଟ ଥାନା ଅଞ୍ଚଳରୁ ଆସିଛି ପୁଣି ଲଜ୍ଜାଜନକ ଘଟଣା
Published By: Suvra – Prameya-News7 Bureau | January 26, 2026 04:07 PM
NEWS7
ଦେବଗଡ୨୬/୧:ସବୁ ପ୍ରୟାସ ସତ୍ତ୍ବେ ଥମୁନି ନାବାଳିକା ନିର୍ଯାତନା ଘଟଣା ।ମଣିଷ ଭୁଲୁଛି ହିତାହିତ ଜ୍ଞାନ, ପାଲଟୁଛି ରାକ୍ଷସ ।ଦେବଗଡ ବାରକୋଟ ଥାନା ଅଞ୍ଚଳରୁ ଆସିଛି ପୁଣି ଲଜ୍ଜାଜନକ ଘଟଣା । ଜଣେ ୫ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ନେଇ ଆସିଛି ଅଭିଯୋଗ । ରବିବାର ରାତିରେ ନାମଯଜ୍ଞ ଦେଖିବାକୁ ଯାଇଥିଲା ନାବାଳିକା ।ସେଠାରେ ଏକୁଟିଆର ସୁଯୋଗ ନେଇ ଉଦିତ ପାତ୍ର ନାମକ ଯୁବକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା ।ତେବେ ନାବାଳିକାର ଚିତ୍କାର ଶୁଣି ଦୌଡି ଆସିଥିଲେ ଆଖପାଖରେ ଥିବା ଲୋକମାନେ । ନାବାଳିକାକୁ ଅଭିଯୁକ୍ତଠାରୁ ମୁକୁଳାଇଥିଲେ । ତା ପରେ ସମସ୍ତଙ୍କ ରାଗ ପଞ୍ଚମକୁ ପଳାଇଥିଲା । ଯିଏ ଯେମିତି ପାରିଲେ ଦୁଷ୍କର୍ମକାରୀକୁ ନିର୍ଧୁମ ଛେଚିଥିଲେ ।
ଲୋକଙ୍କ ମାଡରେ ଅଭିଯୁକ୍ତର ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଜୋରରେ ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାକୁ ପୋଲିସ ହେପାଜତରେ ରଖାଯାଇଛି । ପୀଡିତାର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ଅଭିଯୁକ୍ତ ପୀଡିତାର ସଂପର୍କୀୟ ବୋଲି କହିଛି ପୋଲିସ । ପୋଲିସ ଘଟଣାସ୍ଥଳ ପରିଦର୍ଶନ କରିଥିବାବେଳେ ଅଧିକ ତଦନ୍ତ ପାଇଁ ସାଇଣ୍ଟଫିକ୍ ଟିମ ସହାୟତା ନିଆଯାଇଛି । ଚିକିତ୍ସା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ।




