ସଚିବସ୍ତରୀୟ ବୈଠକକୁ ନେଇ ସରକାରଙ୍କୁ ବିଜେଡିର ଟାର୍ଗେଟ, ବିଭାଗୀୟ ଦାୟିତ୍ୱ ସମ୍ପାଦନରେ ମନ୍ତ୍ରୀଙ୍କ ଭୂମିକାକୁ ନେଇ ଉଠାଇଲା ପ୍ରଶ୍ନ

ସଚିବସ୍ତରୀୟ-ବୈଠକକୁ-ନେଇ-ସରକାରଙ୍କୁ-ବିଜେଡିର-ଟାର୍ଗେଟ,-ବିଭାଗୀୟ-ଦାୟିତ୍ୱ-ସମ୍ପାଦନରେ-ମନ୍ତ୍ରୀଙ୍କ-ଭୂମିକାକୁ-ନେଇ-ଉଠାଇଲା-ପ୍ରଶ୍ନ

ଭୁବନେଶ୍ୱର: ଗତକାଲି ଲୋକସେବା ଭବନରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ଯେଉଁ ୧୦ଟି ଦିଗ ଉପରେ ଫୋକସ କରିଛନ୍ତି ତାହା ରାଜ୍ୟ ସରକାରଙ୍କ ୧୪ ମାସର ବ୍ୟବସ୍ଥାଗତ ବିଫଳତାର ବୋଲି କହିଛି ବିଜେଡି । ବୁଧବାର ଏକ ପ୍ରେସ ବିଜ୍ଞପ୍ତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ୍ ମହାନ୍ତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ୟୁଆଇ ନୋଟର ତୁରନ୍ତ ଉତ୍ତର ଓ ନିଆଯାଇଥିବା ପଦକ୍ଷେପ ସଂପର୍କିତ ତଥ୍ୟ ରଖିବାକୁ ମୁଖ୍ୟ ଶାସନ ସଚିବଙ୍କ ନିଦେ୍ର୍ଦଶ ଦେଇଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଏହି ସରକାରରେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ମଧ୍ୟ ସଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ । ଜିଲ୍ଲାସ୍ତରୀୟ ସମସ୍ତ କାର୍ଯ୍ୟାଳୟରେ ଏଆଇ କ୍ୟାମେରା ଲଗାଇବା ପାଇଁ ନିଷ୍ପତ୍ତିକୁ ନେଇ ଡ. ମହାନ୍ତି କହିଛନ୍ତି ଯେ, ପୁରୀ ରଥଯାତ୍ରାରେ ମଧ୍ୟ ସରକାର ୨୪୩ଟି ଏଆଇ କ୍ୟାମେରା ଲଗାଇଥିଲେ । କିନ୍ତୁ ଫଳ କ’ଣ ହେଲା ରାଜ୍ୟବାସୀ ଦେଖିଛନ୍ତି । 

ସେ ଆହୁରି କହିଛନ୍ତି ଲୋକଙ୍କୁ ସେବା ପ୍ରଦାନରେ ବିଳମ୍ବର ଅନୁଧ୍ୟାନ କରାଯିବ ବୋଲି ସରକାର କହିବାର ଅର୍ଥ, ସେବା ବିଳମ୍ବିତ ହୋଇଛି ବୋଲି ସରକାର ସ୍ୱୀକାର କରୁଛନ୍ତି । ୨୦୨୩ ମେ’ ମାସରୁ ମୁଖ୍ୟମନ୍ତ୍ରୀ ଡ୍ୟାସବୋର୍ଡ କାର୍ଯ୍ୟକ୍ଷମ ହୋଇସାରିଥିଲେ ମଧ୍ୟ ବର୍ତ୍ତମାନ ସରକାର କହୁଛନ୍ତି ଆଗାମୀ ଅକ୍ଟୋବର ମାସରୁ ଏହା ଆରମ୍ଭ କରାଯିବ । ବିଜେପି ସରକାରକୁ ଆସିବାର ୧୪ ମାସ ପରେ ମନେପଡ଼ିଲା କେନ୍ଦ୍ରୀୟ ସ୍କିମ୍ ସଠିକ ଭାବେ କାର୍ଯ୍ୟ କରୁନାହିଁ । ସେଥିପାଇଁ ପ୍ରତିମାସର ୭ ତାରିଖରେ ଜିଲ୍ଲାପାଳ ଏହାର ସମୀକ୍ଷା କରିବେ ବୋଲି ସରକାର ନିଦେ୍ର୍ଦଶ ଦେଇଛନ୍ତି । 

ପୂର୍ବରୁ ବିଜେଡି କରିଥିବା ଅଭିଯୋଗକୁ ଆଜି ସରକାର ସ୍ୱୀକାର କରିଛନ୍ତି ଯେ, ସବୁ ବିଭାଗରେ ଆବଣ୍ଟିତ ଅର୍ଥ ଖର୍ଚ୍ଚ ହୋଇପାରୁ ନାହିଁ । ସେଥିପାଇଁ ବିଭାଗୀୟ ଖର୍ଚ୍ଚ ବୃଦ୍ଧି ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ସେହିଭଳି କ୍ଷେତ୍ର ପରିଦର୍ଶନ ସଂପର୍କରେ ମୁଖ୍ୟ ଶାସନ ସଚିବ ଯେଉଁ ଗୁରୁତ୍ୱ ଦେଇଛନ୍ତି, ଏଥିରୁ ଜଣାପଡୁଛି ବନ୍ଦ କରିଦେଥିବା ବିଜେଡି ସରକାରଙ୍କ 5-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ରିୟଲ ଟାଇମ ମନିଟରିଂକୁ ବର୍ତ୍ତମାନ ପୁଣି ସରକାର ଆରମ୍ଭ କରିବାକୁ ଯାଉଛନ୍ତି ।  ଅନ୍ୟପକ୍ଷରେ ଏନ୍ଫୋର୍ସମେଣ୍ଟକୁ ଗୁରୁତ୍ୱ ଦେଇ ସରକାର ମାନିଛନ୍ତି, ରାଜ୍ୟରେ କୌଣସି କାମ ହେଉନାହିଁ । ନିର୍ଦ୍ଧାରିତ ସମୟରେ ସରକାରୀ କର୍ମଚାରୀମାନେ ଅଫିସ ଆସିବାକୁ ଗୁରୁତ୍ୱ ଦେଇ ସରକାର ସ୍ୱୀକାର କରିଛନ୍ତି ଯେ, ବିଜେଡି ସରକାର ସମୟରୁ କାର୍ଯ୍ୟକ୍ଷମ ଥିବା ବାୟୋ-ମେଟି୍ରକ ବ୍ୟବସ୍ଥାକୁ ଆଜି ଯାଏଁ ସରକାର ଗୁରୁତ୍ୱ ଦେଉନଥିଲେ । ଭଲ ପ୍ରଦର୍ଶନ କରୁନଥିବା ଅଧିକାରୀଙ୍କ ଉପରେ ସରକାରଙ୍କ ନଜର ଅଛି ବୋଲି କହି ପରୋକ୍ଷରେ ସରକାର ସ୍ୱୀକାର କରୁଛନ୍ତି ଯେ, ପ୍ରଶାସନିକ କଳର ପାରଦର୍ଶିତା ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ । ନବୀନ ବାବୁଙ୍କ ନେତୃତ୍ୱରେ ବିଜେଡି ସରକାର ଦେଖାଇଥିବା ରାସ୍ତାରେ ଅଗ୍ରସର ହେବା ପାଇଁ ବାଧ୍ୟ ହେଉଛନ୍ତି ବିଜେପି ସରକାର । ଏହା ନବୀନଙ୍କ ବହିରେ ବିଜେପିର ମଲାଟ ନୁହେଁ କି ବୋଲି ଡ. ମହାନ୍ତି ପ୍ରଶ୍ନ କରିଛନ୍ତି ।

Scroll to Top