ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କ ନିର୍ବନ୍ଧ ସଂପନ୍ନ, ଏହି ବଡ଼ ଘରର ଝିଅ ହେବେ ବୋହୂ

ସଚିନ-ତେନ୍ଦୁଲକରଙ୍କ-ପୁଅ-ଅର୍ଜୁନଙ୍କ-ନିର୍ବନ୍ଧ-ସଂପନ୍ନ,-ଏହି-ବଡ଼-ଘରର-ଝିଅ-ହେବେ-ବୋହୂ

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ର ମହାନ ବ୍ୟାଟର ତଥା କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ପୁଆ ଅର୍ଜୁନ ତେନ୍ଦୁଲକରଙ୍କ ନିର୍ବନ୍ଧ ସଂପନ୍ନ ହୋଇଛି। ଅର୍ଜୁନଙ୍କ ନିର୍ବନ୍ଧ ସାନିଆ ଚଣ୍ଡୋକଙ୍କ ସହ ହୋଇଛି। ସାନିଆ ରବି ଘାଇଙ୍କ ନାତୁଣୀ। ଘାଇଙ୍କ ପରିବାର ମୁମ୍ବାଇର ଏକ ବଡ଼ ତଥା ପ୍ରସିଦ୍ଧ ବ୍ୟବସାୟୀ ପରିବାର। ତାଙ୍କ ପରିବାର ଇଣ୍ଟରକଣ୍ଟିନେଣ୍ଟାଲ ମେରାଇନ ଡ୍ରାଇଭ ହୋଟେଲ୍ ଓ ବ୍ରୁକଲିନ କ୍ରିମରୀ ଆଇସକ୍ରିମ ବ୍ରାଣ୍ଡର ମାଲିକ। ତେବେ ଏହାକୁ ନେଇ ସଚିନଙ୍କ ପରିବାର ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ। 

ଆଇପିଏଲ୍ ୨୦୨୫ ଅର୍ଜୁନ ତେନ୍ଦୁଲକରଙ୍କ ପାଇଁ ନିରାଶଜନକ ରହିଥିଲା। କାରଣ ପୂରା ଟୁର୍ଣ୍ଣାମେଣ୍ଟରେ ତାଙ୍କୁ ଗୋଟିଏ ହେଲେ ମ୍ୟାଚ୍‌ରେ ଖେଳିବାର ସୁଯୋଗ ମିଳି ନ ଥିଲା। ମୁମ୍ବାଇ ଇଣ୍ଡିଆନ୍ସ ମେଗା ନିଲାମରେ ତାଙ୍କୁ ୩୦ ଲକ୍ଷ ଟଙ୍କାରେ ନିଜ ଦଳରେ ସାମିଲ୍ କରିଥିଲା। ମାତ୍ର ଦଳ ପ୍ରବନ୍ଧକ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଇ ନ ଥିଲେ। ଏହି କାରଣରୁ ପୂରା ସିଜିନରେ ତାଙ୍କୁ ବେଞ୍ଚରେ ବସିବାକୁ ପଡ଼ିଥିଲା। 

ଅର୍ଜୁନ ତେନ୍ଦୁଲକର ଏ ପର୍ଯ୍ୟନ୍ତ ୧୭ଟି ପ୍ରଥମ ଶ୍ରେଣୀ, ୧୮ ଲିଷ୍ଟ-ଏ ଏବଂ ୨୪ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଅର୍ଜୁନ ୩୩.୫୧ ହାରରେ ୩୭ ଓ୍ଵିକେଟ୍ ହାସଲ କରିଛନ୍ତି ଏବଂ ୨୩.୧୩ ହାରରେ ୫୩୨ ରନ ରହିଛି। ସେହିପରି ଲିଷ୍ଟ ଏ କ୍ରିକେଟ୍‌ରେ ଅର୍ଜୁନଙ୍କ ନାମରେ ୨୫ ଓ୍ଵିକେଟ୍ ଏବଂ ୧୦୨ ରନ କରିଛନ୍ତି। 

ଟି-୨୦ରେ ୨୫ ବର୍ଷୀୟ ଅର୍ଜୁନ ତେନ୍ଦୁଲକର ୨୫.୦୭ ହାରରେ ୨୭ ଓ୍ଵିକେଟ୍ ନେଇଛନ୍ତି। ଏହା ସହିତ ୧୩.୨୨ ହାରରେ ୧୧୯ ରନ କରିଛନ୍ତି। ଅର୍ଜୁନ ଘରୋଇ କ୍ରିକେଟ୍‌ରେ ଗୋଆ ପକ୍ଷରୁ ଖେଳୁଛନ୍ତି। ଏହା ପୂର୍ବରୁ ସେ ମୁମ୍ବାଇ ପକ୍ଷରୁ ଖେଳୁଥିଲେ। ଅର୍ଜୁନ ଆଇପିଏଲ୍‌ରେ ମୁମ୍ବାଇ ପାଇଁ ଏ ପର୍ଯ୍ୟନ୍ତ ୫ଟି ଖେଳି ୩ ଓ୍ଵିକେଟ୍ ନେଇଛନ୍ତି। 

ସଚିନ ୧୯୯୫ ମେ ୨୪ରେ ଅଞ୍ଜଳି ତେନ୍ଦୁଲକରଙ୍କୁ ବିବାହ କରିଥିଲେ। ଅଞ୍ଜଳି ଜଣେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଭାବେ କାମ କରି ସାରିଛନ୍ତି। ସଚିନ-ଅଞ୍ଜଳିଙ୍କ ଔରସରୁ ୧୯୯୭ ଅକ୍ଟୋବର ୧୨ରେ ଜନ୍ମଗ୍ରହଣ କରିଥିଲେ ସାରା ତେନ୍ଦୁଲକର। ପୁଣି ୧୯୯୯ ସେପ୍ଟେମ୍ବର ୨୪ରେ ଅର୍ଜୁନ ଜନ୍ମ ନେଇଥିଲେ। 

Scroll to Top