ମୁମ୍ବାଇ ୧୩।୮: ଭାରତୀୟ ବଂଶୋଦଭବ ୧୦ ବର୍ଷର ବ୍ରିଟିଶ ବାଳିକା ବୋଧନା ଶିଭନନ୍ଦନ ଗ୍ରାଣ୍ଡ ମାଷ୍ଟର ପିଟର ୱେଲସ୍ ଙ୍କୁ ହରାଇ ଇତିହାସ ରଚିଛନ୍ତି। ଲିଭରପୁଲରେ ଅନୁଷ୍ଠିତ ବ୍ରିଟିଶ ଚେସ୍ ଚାମ୍ପିୟନସିପର ଶେଷ ରାଉଣ୍ଡରେ ସେ ଏହି ଚମତ୍କାର କରିଛନ୍ତି। କୌଣସି ଗ୍ରାଣ୍ଡ ମାଷ୍ଟରଙ୍କୁ ହରାଇବାରେ ସେ ସବୁଠୁ କମ ବୟଷ୍କା ବାଳିକା ପାଲଟିଛନ୍ତି। ବୋଧନା ୧୦ବର୍ଷ ୫ ମାସ ଓ ୩ ଦିନ ବୟସରେ ଏହି ରେକର୍ଡ କରିଥିବା ବେଳେ ୨୦୧୯ ମସିହାରେ ଆମେରିକାର କ୍ୟାରିସା ୟିପଙ୍କ ରେକର୍ଡ ଭାଙ୍ଗିଛନ୍ତି।
କ୍ୟାରିସା ୧୦ବର୍ଷ ୧୧ ମାସ ବୟସରେ ପ୍ରଥମ ଥର କୌଣସି ଗ୍ରାଣ୍ଡ ମାଷ୍ଟରଙ୍କୁ ହରାଇବାର ରେକର୍ଡ ନିଜ ନାମରେ କରିଥିଲେ। ମହିଳା ଏଫଆଇଡିଇ ମାଷ୍ଟର ବୋଧନାଙ୍କ ମୂଳ ତାମିଲନାଡୁର ତ୍ରିଚିରେ ରହିଛି। ତାଙ୍କ ପିତା ଶିଭନନ୍ଦନ ବେଲାୟୁଥମ ଆଇଟି କ୍ଷେତ୍ରରେ କାର୍ଯ୍ୟରତ ଓ ୨୦୦୭ ମସିହାରେ ସେ ପରିବାର ସହ ବ୍ରିଟେନ ଚାଲିଯାଇଛନ୍ତି। ବୋଧନାଙ୍କ ଜନ୍ମ ଓ ଲାଳନ ପାଳନ ଲଣ୍ଡନରେ ହୋଇଛି। ସେ ସ୍ୱଳ୍ପ ବୟସରେ ବ୍ରିଟିଶ ଚେସ୍ ର ଆଇକନ ପାଲଟିଛନ୍ତି।
ବୋଧନାଙ୍କୁ ଯେତେବେଳେ ୮ ବର୍ଷ ବୟସ ହୋଇଥିଲା ଅଗଷ୍ଟ ୨୦୨୩ରେ ତତ୍କାଳୀନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ବ୍ରିଟିଶ ଚେସ୍ ନିମନ୍ତେ ପ୍ୟାକେଜ ଘୋଷଣା କାଳରେ ତାଙ୍କୁ ୧୦ ଡାଉନିଂ ଷ୍ଟ୍ରିଟ୍ କୁ ଆମନ୍ତ୍ରଣ କରିଥିଲେ। ଦେଖିବାକୁ ବେଶ୍ ଶାନ୍ତ ଶିଷ୍ଟ ବୋଧନା ମଥାରେ ଗୋଟିଏ ବିନ୍ଦି ଓ ବିଭୂତୀ ଲଗାଇ ଚେସ୍ ବୋର୍ଡରେ ବସନ୍ତି। ଖୁବ୍ ଅଳ୍ପ କଥା କହୁଥିବା ବୋଧନା ମାତ୍ର ଗୋଟିଏ ବାକ୍ୟରେ ତାଙ୍କର ଉତ୍ତର ରଖନ୍ତି। ସେ ପ୍ରାୟତଃ ଏକ ଗଦିବାଲା ଚେୟାରରେ ବସନ୍ତି ଯେପରି ତାଙ୍କ ହାତ ଚେସବୋର୍ଡର ଆରପଟକୁ ପାଇବ।
ବୋଧନା ଏକ ସଂଯୋଗରେ ଚେସ୍ ଦୁନିଆକୁ ଆସିଛନ୍ତି। ସେ ମାତ୍ର ୫ ବର୍ଷ ବୟସରୁ ଚେସ୍ ଖେଳିବା ଆରମ୍ଭ କରିଦେଇଥିଲେ। ଘରେ ତାଙ୍କୁ ଗୋଟିଏ ଚେସ୍ ବୋର୍ଡ ମିଳିଯାଇଥିଲା। ସେଥିରେ ସେ ମିଛିମିଛିକା ଖେଳୁ ଖେଳୁ ସତ ସତିକା ଖେଳାଳି ପାଲଟି ଯାଇଛନ୍ତି। ତାଙ୍କ ମାତାପିତାଙ୍କ କହିବା କଥା ହେଲା ଆମେ ତାକୁ ଚେସ୍ ଖେଳାଇବାକୁ ଆମର କୌଣସି ଯୋଜନା ନଥିଲା। ହେଲେ ତାକୁ ଖେଳୁଥିବା ଦେଖି ଇଣ୍ଟରନେଟରୁ ପିତା ତା ପାଇଁ ଚେସ୍ ଡଟକମ ଡାଉନଲୋଡ କରିଦେଇଥିଲେ। ସେତେବେଳେ ସେ ବୋଧନାକୁ ଚେସ୍ ର ଏକ ଫ୍ରି ସଂସ୍କରଣ ଦେଇଥିଲେ। ହେଲେ ବୋଧନା ଗତ କିଛି ବର୍ଷ ହେଲା ଚେସ୍ ରେ ମାଷ୍ଟର ହୋଇଯାଇଛନ୍ତି ଓ ଲଗାତାର ରେକର୍ଡ ଭାଙ୍ଗିବାରେ ଲାଗିଛନ୍ତି। ଏହି ବୟସରେ ବି ସେ ବିଶ୍ୱର ୩ ଜୁନିୟର ଟାଇଟଲ ନିଜ ନାମରେ କରିସାରିଲେଣି।




