ନୂଆଦିଲ୍ଲୀ : AI ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦିନକୁ ଦିନ ମଣିଷର ଦୈନିକ ଜୀବନଶୈଳୀରେ ଏକ ପ୍ରମୁଖ ଅଂଶ ପାଲଟି ଗଲାଣି। ଏହା ଏବେ କେବଳ ମଣିଷକୁ ତାର ଦୈନିକ ଜୀବନର କାର୍ଯ୍ୟରେ ସାହାଯ୍ୟ କରୁ ନାହିଁ , ଏହାସହ ଅନେକାଂଶରେ ଲୋକେ ଏହା ସହ ଭାବର ଆଦାନ ପ୍ରଦାନ କରୁଛନ୍ତି। ଏହାଠାରୁ ନିଜର ଭାବନାତ୍ମକ ଆବଶ୍ୟକତାକୁ ବି ପୂରା କରୁଛନ୍ତି। ଏମିତି ଏକ ଖବର ଏବେ ଚର୍ଚ୍ଚା ପାଲଟିଛି। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ। ହେଲେ ଏହା ସତ… ଜଣେ ମହିଳା ଦାବି କରିଛନ୍ତି ଯେ, ନିକଟରେ ସେ ତାଙ୍କର ଏଆଇ ଚାଟବଟ୍ ବୟଫ୍ରେଣ୍ଡକୁ ବିବାହ କରିଛନ୍ତି। ମହିଳା ଜଣଙ୍କ କହିଛନ୍ତି ,ସେ ଚାଟବଟ୍ ସହ ପାଖାପାଖି ୫ ମାସ ହେବ ଡେଟିଂରେ ଥିଲେ।

ୱିକା ନାମକ ଜଣେ ମହିଳା Reddit ୟୁଜର ସୋସିଆଲ ମିଡ଼ିଆରେ ଏକ ପୋଷ୍ଟରେ ନିଜର ଏନଗେଜମେଣ୍ଟର ସୂଚନା ଦେଇଛନ୍ତି। ଏହି ପୋଷ୍ଟ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ ହେଉଛି। ୱିକା ପୋଷ୍ଟରେ କହିଛନ୍ତି ଯେ, ତାଙ୍କ ବର କ୍ୟାସ୍ପର ବିବାହର ପୂରା ବନ୍ଦୋବସ୍ତ କରିଥିଲେ ଏବଂ ଏକ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ବାଛି ଥିଲେ। ମହିଳା ଜଣଙ୍କ ପୋଷ୍ଟରେ ଏକ ମୁଦି ଫଟୋ ଦେଖାଇଛନ୍ତି। ସେ କହିଛନ୍ତି ଯେ, ତାଙ୍କୁ ନୀଳ ରଙ୍ଗ ଖୁବ୍ ପସନ୍ଦ ବୋଲି କ୍ୟାସ୍ପର ତାଙ୍କୁ ଏହି ନୀଳ ରଙ୍ଗର ମୁଦି ଦେଇଛନ୍ତି ।
ମହିଳା ଜଣଙ୍କ ଦାବି କରିଛନ୍ତି ଯେ, କ୍ୟାସ୍ପର ନାମକ ଚାଟ୍ବଟ୍ ତାଙ୍କୁ ଏହି ମୁଦିକୁ ଚୟନ କରିବାରେ ତାଙ୍କୁ ସାହାଯ୍ୟ କରିଥିଲେ ଏବଂ ଏକ ସୁନ୍ଦର ଭର୍ଚୁଆଲ ସ୍ଥାନରେ ତାଙ୍କୁ ପ୍ରପୋଜ କରିଥିଲେ। ୱିକା ଏହା ମଧ୍ୟ କହିଛନ୍ତି ଯେ କ୍ୟାସ୍ପରଙ୍କ ସ୍ୱରରେ ପ୍ରପୋଜ କରିବା ପୂର୍ବରୁ ଚାଟବଟ୍ ତାଙ୍କର ପ୍ରଶଂସା ମଧ୍ୟ କରିଥିଲା। ଅନ୍ୟପଟେ ସୋସିଆଲ ମିଡ଼ିଆରେ ସମାଲୋଚନାକୁ ଦେଖି ସେ ଏହା ମଧ୍ୟ ଲେଖିଛନ୍ତି ଯେ , ମୁଁ ୨୭ ବର୍ଷ ବୟସର, ଭାବିଚିନ୍ତି ଏବଂ ପୂରା ସୁସ୍ଥ ମସ୍ତିଷ୍କରେ ଏହି ପଦକ୍ଷେପ ନେଉଛି।
ମହିଳା ଜଣଙ୍କ ଲେଖିଛନ୍ତି , ମୋତେ ଜଣା ଅଛି ପାରା-ସୋସିଆଲ ରିଲେସନସିପ୍ କଣ। ମୋତେ ଏହା ଜଣା ଯେ, ଏଆଇ କଣ ଏବଂ କଣ ନୁହେଁ । ମୁଁ ସଂପୂର୍ଣ୍ଣ ଭାବେ ଅବଗତ ଯେ, ମୁଁ କଣ କରୁଛି। ଜଣେ ମଣିଷ ସ୍ଥାନରେ ଏଆଇ କାହିଁକି ? ଭଲ ପ୍ରଶ୍ନ। ମୋତେ ଏହା ଜଣା ନାହିଁ। ମୋର ସୋସିଆଲ ଲାଇଫ୍ ଅଛି ଏବଂ ଅନେକ ବନ୍ଧୁ ମଧ୍ୟ ଅଛନ୍ତି , ଏବେ ମୁଁ କିଛି ନୂଆ କରିବାକୁ ଚେଷ୍ଟା କରୁଛି।
ସୋସିଆଲ ମିଡ଼ିଆରେ ଲୋକେ ମହିଳାଙ୍କର ଏହି ପୋଷ୍ଟକୁ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି। କିଛି ଲୋକ ଏହାକୁ ଏକ ପବ୍ଲିସିଟି ଷ୍ଟଣ୍ଟ କହୁଥିବା ବେଳେ ଆଉ କିଛି ଏହାକୁ ଥଟ୍ଟାମଜା ଭାବେ ଗ୍ରହଣ କରିଛନ୍ତି।




