ଗ୍ୱାଲିୟର : ମଧ୍ୟପ୍ରଦେଶର ଗ୍ୱାଲିୟର ରେଲୱେ ଷ୍ଟେସନରେ ସୋମବାର ଏକ ଅଜବ ଘଟଣା ଘଟିଥିଲା। ଏଥିରେ ଯାତ୍ରୀ ଓ ରେଳ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଗଲେ। ଜଣେ ବ୍ୟକ୍ତି ଟ୍ରେନ୍ର ଇଞ୍ଜିନରେ ପଶି ଲୋକୋ ପାଇଲଟଙ୍କ ସିଟ୍କୁ କବଜା କରି ନେଇ ଥିଲେ ଏବଂ କହିଥିଲେ , ଆଜି ମୁଁ ଟ୍ରେନ୍ ଚଲାଇବି। ଉକ୍ତ ଘଟଣା କେବଳ ଟ୍ରେନ୍କୁ ଅଧ ଘଣ୍ଟା ବିଳମ୍ୱ କରାଇ ନଥିଲା ,ବରଂ ଯାତ୍ରୀଙ୍କୁ ଭୟଭୀତ କରାଇ ଦେଇଥିଲା।
ଲାଇଭ୍ ହିନ୍ଦୁସ୍ତାନରେ ପ୍ରକାଶିତ ସୂଚନା ଆଧାରରେ, ଗ୍ୱାଲିୟରରୁ ମୁରେନାର ସୁମାଭଲି-ସବଲଗଡ ଅଭିମୁଖେ ଯାଉଥିବା ମେମୁ ଟ୍ରେନ୍, ପ୍ଲାଟଫର୍ମ ନମ୍ୱର-୩ରୁ ପ୍ରସ୍ଥାନ କରିବାକୁ ପ୍ରସ୍ତୁତ ହେଉ ଥିଲା। ହଠାତ୍ ଜଣେ ଯୁବକ ଇଞ୍ଜିନର କେବିନରେ ପଶିଗଲେ ଏବଂ ଲୋକୋ ପାଇଲଟଙ୍କ ସିଟ୍ରେ ବସି ପଡ଼ିଲେ। ସେ ସିଟ୍କୁ କବଜା କରିବା ସହ ଲୋକୋ ପାଇଲଟ୍ଙ୍କୁ କହିଲେ- ଆଜି ଟ୍ରେନ୍ ମୁଁ ଚଲାଇବି। ଲୋକୋ ପାଇଲଟ ତାଙ୍କୁ ବୁଝାଇବାକୁ ଚେଷ୍ଟା କଲେ, କିନ୍ତୁ ବ୍ୟକ୍ତି ଜଣଙ୍କ ନିଜ ଜିଦିରେ ଅଟଳ ଥିଲେ। ଏହି ସମୟରେ ତାଙ୍କର ଏପରି କାଣ୍ଡ କାରନାମାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
ଯେମିତି ହିଁ ଯାତ୍ରୀଙ୍କୁ ଜଣାପଡ଼ିଲା ଯେ, ଇଞ୍ଜିନରେ ଜଣେ ଅଜଣା ବ୍ୟକ୍ତି ବସିଛନ୍ତି , ଟ୍ରେନ୍ରେ ବସିଥିବା ହଜାର ହଜାର ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଗଲା। କିଛି ଯାତ୍ରୀ ଭୟଭୀତ ହୋଇ ଟ୍ରେନ୍ରୁ ଓହ୍ଲାଇ ପଡ଼ିଲେ। ଲୋକେ ପାଇଲଟ ତୁରନ୍ତ କଣ୍ଟ୍ରୋଲ ରୁମ୍କୁ ସୂଚନା ଦେଲେ। ରେଲୱେର ବରିଷ୍ଠ ଅଧିକାରୀ ଓ ରେଲୱେ ସୁରକ୍ଷା ବାହିନୀ (ଆରପିଏଫ)ର ଟିମ୍ ଘଟଣା ସ୍ଥଳରେ ପହଞ୍ଚିଲେ। ପାଖାପାଖି ୧୦ ମିନିଟ୍ର କସରତ ପରେ ସେହି ବ୍ୟକ୍ତିଙ୍କୁ ବୁଝାଇ ସୁଝାଇ ଇଞ୍ଜିନ ଭିତରୁ ବାହାର କରାଗଲା। ଏହି ସମୟରେ ଟ୍ରେନ୍କୁ ଅଟକ ରଖାଯାଇ ଥିଲା। ଟ୍ରେନଟି ଅଧ ଘଣ୍ଟା ବିଳମ୍ୱରେ ପ୍ରସ୍ଥାନ କରିଥିଲା। ଆରପିଏଫ୍ ସଂପୃକ୍ତ ବ୍ୟକ୍ତିଙ୍କୁ ହେପାଜତକୁ ନେବା ସହ ତାଙ୍କର ମାନସିକ ସ୍ଥିତିର ଯାଞ୍ଚ ଆରମ୍ଭ କରି ଦେଇଛି।
ଉକ୍ତ ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି, ଯେଉଁଥିରେ ବ୍ୟକ୍ତିଙ୍କୁ ଲୋକୋ ପାଇଲଟଙ୍କ ସହ ଯୁକ୍ତି କରିବା ଓ ସିଟ୍ରେ ଜବରଦସ୍ତି ବସିବାର ଦେଖା ଯାଉଛି। ଭିଡ଼ିଓରେ ଲୋକୋ ପାଇଲଟ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିବାର ଦେଖିବାକୁ ମିଳୁଛି। ଏହି ଭିଡିଓ ଲୋକଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟି ନାହିଁ , ଏହାସହ ରେଲୱେର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି।




