ନୂଆଦିଲ୍ଲୀ ୧୧।୮: ଶିବସେନା(ୟୁବିଟି) ସାଂସଦ ସଞ୍ଜୟ ରାଉତ ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏକ ପତ୍ର ଲେଖିଛନ୍ତି। ଏଥିରେ ସେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଠିକଣା ଜାଣିବାକୁ ଚାହିଁଛନ୍ତି। ଧନଖଡ଼ ଗତ ମାସରେ ତାଙ୍କ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅଚାନକ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ। ପତ୍ରରେ ରାଉତ ଲେଖିଛନ୍ତି ଯେ ଧନଖଡଙ୍କ ସହ ସମ୍ପର୍କ କରିବା ପାଇଁ ଉଦ୍ୟମ ବିଫଳ ହୋଇଛି ଓ ତାଙ୍କ ନୂଆ ଠିକଣା ନେଇ କୌଣସି ସୂଚନା ନାହିଁ।
ରାଉତ ଅମିତ ଶାହଙ୍କୁ ପତ୍ରରେ ଲେଖିଛନ୍ତି ଯେ ୨୧ ଜୁଲାଇରୁ ଏ ପର୍ଯ୍ୟନ୍ତ ଆମର ପୂର୍ବତନ ଉପରାଷ୍ଟ୍ରପତିଙ୍କ ଠିକଣା ସମ୍ପର୍କରେ କୌଣସି ସୂଚନା ମିଳୁ ନାହିଁ। ସେ ବର୍ତ୍ତମାନ କେଉଁଠି? ତାଙ୍କ ସ୍ୱାସ୍ଥ୍ୟ କିପରି ଅଛି? ଏ ନେଇ କୌଣସି ସ୍ପଷ୍ଟତା ମିଳି ପାରୁ ନାହିଁ। ରାଉତ ଲେଖିଛନ୍ତି ଯେ ରାଜ୍ୟସଭାର କିଛି ସଦସ୍ୟ ତାଙ୍କ ସହ ସମ୍ପର୍କ କରିବାକୁ ଉଦ୍ୟମ କରିଥିଲେ, ହେଲେ ବିଫଳ ହୋଇଛନ୍ତି। ତାଙ୍କ ସହ କି ତାଙ୍କ କର୍ମଚାରୀଙ୍କ ସହ କୌଣସି ସମ୍ପର୍କ କରାଯାଇ ପାରୁ ନାହିଁ, ଯାହା ଏବେ ଗୁରୁତର ଚିନ୍ତାର ବିଷୟ ପାଲଟିଛି।
ଧନଖଡ଼ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ଦିନ ଅର୍ଥାତ ଜୁଲାଇ ୨୧ ତାରିଖ ଦିନ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ। ତାଙ୍କର ଏହି ପଦକ୍ଷେପ ଉଭୟ ଶାସକ ଓ ବିରୋଧୀ ଦଳଙ୍କୁ ଆଚମ୍ଭିତ କରିଥିଲା। ଶିବସେନା(ୟୁବିଟି) ସାଂସଦ ପୂର୍ବତନ ଉପରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଥିବା ବେଳେ ତାଙ୍କ ସମ୍ପର୍କରେ ଦେଶ ଜାଣିବାକୁ ଚାହୁଁଥିବା ସେ ଉଲ୍ଲେଖ କରିଛନ୍ତି। ରାଉତ ପଚାରିଛନ୍ତି ଆମ ଉପରାଷ୍ଟ୍ରପତିଙ୍କ ସହ ହୋଇଛି କ’ଣ? ସେ କେଉଁଠି ଅଛନ୍ତି? ତାଙ୍କ ସ୍ୱାସ୍ଥ୍ୟ କିପରି ଅଛି? ସେ ସୁରକ୍ଷିତ ତ? ଦେଶକୁ ଏହି ସବୁ ପ୍ରଶ୍ନର ସତ୍ୟତା ଜାଣିବାର ହକ୍ ରହିଛି।
Hon.Home Minister
Shri @AmitShah ji
Jay hind! pic.twitter.com/uxAgRKPUKk— Sanjay Raut (@rautsanjay61) August 11, 2025
ସଞ୍ଜୟ ରାଉତ ସେହି ଗୁଜବର ମଧ୍ୟ ଦାବି କରିଛନ୍ତି ଯେଉଁଥିରେ ‘ଧନଖଡ଼ଙ୍କୁ ତାଙ୍କ ବାସଭବନ ମଧ୍ୟରେ ସୀମିତ କରିଦିଆଯାଇଛି ଓ କଥିତ ରୂପେ ସେ ସୁରକ୍ଷିତ ନୁହନ୍ତି’ ବୋଲି ପ୍ରଚାରିତ ହେଉଛି। ଏଥିରେ ରାଉତ କହିଛନ୍ତି ଯେ ଏ ନେଇ ସେ ସୁପ୍ରିମକୋର୍ଟରେ ଏକ ରିଟ୍ ପିଟିସନ ଦାଖଲ କରିବାକୁ ବିଚାର କରୁଛନ୍ତି। କାରଣ ଧନଖଡଙ୍କୁ ନେଇ ତାଙ୍କୁ ଚିନ୍ତା ହେଉଛି। ଧନଖଡଙ୍କ ଇସ୍ତଫା ପରେ ପରେ ବିରୋଧୀ ଦଳର ୩ ବରିଷ୍ଠ ନେତାମାନେ କହିଥିଲେ ଯେ ଉପରାଷ୍ଟ୍ରପତି ସେହି ରାଜନୈତିକ ନେତାଙ୍କୁ ଭେଟିବାକୁ ସମୟ ଦେଲେନି ଯେଉଁମାନେ ତାଙ୍କୁ ଭେଟିବାକୁ ଇଛୁକ ଥିଲେ।
ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ, ଏନସିପି (ଶରଦ) ନେତା ଶରଦ ପାୱାର ଓ ଆମ ଆଦମୀ ପାର୍ଟିର କେତେକ ସାଂସଦ ଯେଉଁମାନେ ଧନଖଡଙ୍କୁ ଭେଟିବାକୁ ଚାହୁଁଥିଲେ। ଇସ୍ତଫା ଦେବାର ତୁରନ୍ତ ପରେ ପରେ ଧନଖଡ ଉପରାଷ୍ଟ୍ରପତି ବାସଭବନକୁ ମଧ୍ୟ ତୁରନ୍ତ ଖାଲି କରିଦେଇଥିଲେ।




