ନୂଆଦିଲ୍ଲୀ: ୫ଜି, ଏଆଇ/ମେସିନ୍ ଲର୍ଣ୍ଣିଂ (AI/ML) ଏବଂ ଡିଜିଟାଲ୍ ନେଟୱାର୍କିଂ ଭଳି ଉନ୍ନତ ଟେକ୍ନୋଲୀ ବିଷୟରେ ଭାରତୀୟ ଯୁବପିଢ଼ିଙ୍କୁ ତାଲିମ ଦେବାକୁ ବିଶ୍ୱର ବଡ଼ ବଡ଼ ଟେକ୍ ଜାଏଣ୍ଟଙ୍କ ସହ ଚୁକ୍ତି କଲା ବିଏସଏନଏଲ୍। ସୋମବାର ଦିନ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଉପସ୍ଥିତିରେ ବିଏସଏନ୍ଏଲ ପ୍ରମୁଖ ବିଶ୍ୱ ଟେଲିକମ୍ କମ୍ପାନୀ- ଏରିକ୍ସନ୍, କ୍ୱାଲକମ୍, ସିସ୍କୋ ଏବଂ ନୋକିଆ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଆତ୍ମନିର୍ଭର ଭାରତ ଭିଜନରେ ଏହି ଟ୍ରନିଂ ଦିଆଯିବ।
ବିଏସଏନଏଲର ଜବଲପୁରରେ ଥିବା ଭାରତ ରତ୍ନ ଭୀମ ରାଓ ଆମ୍ବେଦକର ଇନଷ୍ଟିଚ୍ୟୁଟ୍ ଅଫ୍ ଟେଲିକମ୍ ଟ୍ରେନିଂ (BRBRAITT) ରେ ଟ୍ରେନିଂ ଦିଆଯିବ। ଭାରତକୁ ଏକ ଟେକ୍ନୋଲୋଜୀ ଚାଳିତ ଭବିଷ୍ୟତ ଆଡ଼କୁ ନେଇଯିବା ଉଦ୍ଦେଶ୍ୟରେ ବିଶ୍ୱସ୍ତରୀୟ ପ୍ରେଫେସନାଲ ତିଆରି କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। BRBRAITT ରେ ପ୍ରତିବର୍ଷ ପ୍ରାୟ ୨,୦୦୦ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯିବାର ଟାର୍ଗେଟ୍ ରାଖାଯାଇଛି। ଯାହା ଏହି ପ୍ରତିଷ୍ଠାନକୁ ଦେଶରେ ଟେଲିକମ୍ ତାଲିମର କେନ୍ଦ୍ରସ୍ଥଳ ଭାବରେ ପରିଚୟ ଦେବ।
ଏହି ଚୁକ୍ତି ପରେ ଟେଲିକମ କେନ୍ଦ୍ରମନ୍ତ୍ରୀ ଖୁସୀ ବ୍ୟକ୍ତ କରିଛନ୍ତି। ଜବଲପୁର ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦିନ ବୋଲି ମନ୍ତ୍ରୀ କହିଛନ୍ତି। ଆମ ଦେଶର ଯୁବକ କେବଳ ଯେ ଗବେଷଣା ଓ ନବସୃଜନରେ ଭାଗ ନେବେ ତାହା ନୁହେଁ,ସେମାନେ ଏ କ୍ଷେତ୍ରର ନେତୃତ୍ୱ ମଧ୍ୟ ନେବେ। ଆମ ୱାର୍କଫୋର୍ସ ଏହି ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକ ଠାରୁ ଟ୍ରେନିଂ ନେବେ। ଏକ ଉଜ୍ଜ୍ୱଳ, ଟେକ୍ନୋଲୋଜୀ-ଚାଳିତ ଭବିଷ୍ୟତ ପାଇଁ ଆଜି ବୀଜ ବୁଣାଗଲା ବୋଲି ମନ୍ତ୍ରୀ କହିଛନ୍ତି।




