Fake Yatri Gumasta: ଶ୍ରୀମନ୍ଦିରରେ ନକଲି ଯାତ୍ରୀ ଗୁମାସ୍ତାଙ୍କ ଖେଳ ଖତମ୍ , ୧୨ ଅଭିଯୁକ୍ତଙ୍କୁ ଜେଲ୍ ପଠାଇଲା ପୁରୀ ପୋଲିସ

fake-yatri-gumasta:-ଶ୍ରୀମନ୍ଦିରରେ-ନକଲି-ଯାତ୍ରୀ-ଗୁମାସ୍ତାଙ୍କ-ଖେଳ-ଖତମ୍-,-୧୨-ଅଭିଯୁକ୍ତଙ୍କୁ-ଜେଲ୍-ପଠାଇଲା-ପୁରୀ-ପୋଲିସ

ଜଗନ୍ନାଥ ମନ୍ଦିର ସହ କିଛି ସମ୍ପର୍କ ନାହିଁ, ହେଲେ ନିଜକୁ ସେବକ ବୋଲାଉଛନ୍ତି । ଗଳାବାଟରେ ଦର୍ଶନ କରାଇଦେବା ନାଁରେ ଭକ୍ତଙ୍କୁ ଟଙ୍କା ମାଗୁଛନ୍ତି, ନଦେଲେ ଗାଳିଗୁଲଜ କରି ଧମକାଉଛନ୍ତି । ଏମିତି ୧୨ ନକଲି ଯାତ୍ରୀ ଗୁମାସ୍ତାଙ୍କୁ କାବୁ କରି ଜେଲ୍ ପଠାଇଛି ପୁରୀ ପୋଲିସ୍, ସମସ୍ତେ ଜଣେ ଜଣେ ଅସାମାଜିକ ବୋଲି ବି ଜାଣିବାକୁ ପାଇଛି । ତେବେ ଆଗକୁ ଏଭଳି ଆକ୍ସନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ଏସପି ।

ମହାପ୍ରଭୁଙ୍କ ସେବକ ନୁହଁନ୍ତି । ଶ୍ରୀମନ୍ଦିର ସହ ମୋଟେ ସଂପର୍କ ନାହିଁ । ହେଲେ ନିଜକୁ ସେବାୟତ ଦର୍ଶାଇ ଭକ୍ତଙ୍କୁ ଭଣ୍ଡାଉଛନ୍ତି ।  ଗଳାବାଟରେ କାଳିଆ ଦର୍ଶନ ନାଁରେ ଭକ୍ତଙ୍କୁ ଲୁଟୁଛନ୍ତି । ଏଭଳି ୧୨ ନକଲି ଯାତ୍ରୀ ଗୁମାସ୍ତାକୁ ପୁରୀ ପୋଲିସ୍ ବାନ୍ଧିବା ପରେ ପଦାକୁ ଆସିଛି ।  ସିଂହଦ୍ବାର ଥାନା ଓ ଟାଉନଥାନାର ମିଳିତ ଚଢ଼ଉବେଳେ ଧରାପଡି ଏବେ ଜେଲ୍ ହାୱା ଖାଉଛନ୍ତି।

ପୁରୀ ଏସପି କହିଛନ୍ତି ଏମାନଙ୍କୁ ଧରିବାକୁ ବଡ଼ ପ୍ଲାନ୍ ହୋଇଥିଲା, ସେବକ ବେଶରେ ଯାତ୍ରୀ ଗୁମାସ୍ତା ପରିଚୟ ଦେଇ ନିରୀହ ଭକ୍ତଙ୍କୁ ଧମକାଇ ଟଙ୍କା ଆଦାୟ କରୁଥିବା ଏ ଅସାମାଜିକ ତତ୍ତ୍ବଙ୍କ ଉପରେ ତୀକ୍ଷ୍ମ ନଜର ଥିଲା। ବଡ଼ଦାଣ୍ଡ ଓ ପରିକ୍ରମା ମାର୍ଗରେ ଏମାନେ ଅଣ-ଓଡ଼ିଆ ଶ୍ରଦ୍ଧାଳୁଙ୍କୁ ଅଧିକ ଟାର୍ଗେଟ୍ କରୁଥିଲେ। ଟଙ୍କା ଦେଲେ ଗଳାବାଟରେ ଠାକୁରଙ୍କୁ ପାଖରୁ ଦର୍ଶନ କରାଇଦେବାକୁ କହୁଥିଲେ, ଯିଏ ରାଜି ନହେଲା ତାକୁ ଗାଳିଗୁଲଜ କରିବାକୁ ବି ପଛାଉନଥିଲେ।

ମୋଟ୍ ୧୯ଜଣଙ୍କୁ ଧରା ଯାଇଥିଲା, ହେଲେ ୭ଜଣ ସଠିକ୍ ପରିଚୟ ଦେବା ପରେ ଛଡ଼ାଯାଇଛି। ସେମାନଙ୍କଠୁ ୧୪ଟି ମୋବାଇଲ୍ ଫୋନ୍ ଓ ନଗଦ ୨୦ ହଜାର ଟଙ୍କା ସିଜ୍ ହୋଇଛି। ସମସ୍ତଙ୍କ ନାଁରେ ଜବରଦସ୍ତ ଟଙ୍କା ଅସୁଲି ସହ ସଂଗଠିତ ଅପରାଧ ଅଭିଯୋଗରେ କଡ଼ା ଦଫା ଲାଗିଛି।…

Also Read

ତେବେ ଏଠି ପ୍ରଶ୍ନ ଏମାନଙ୍କୁ ଯାତ୍ରୀ ଗୁମାସ୍ତା ଭାବେ ନିଯୁକ୍ତି ଦେଇଥିଲା କିଏ ? କାହା ଛତ୍ରଛାୟାତଳେ ରହି ଏମାନେ ଯାତ୍ରୀଙ୍କୁ ଲୁଟୁଥିଲେ ? ମନ୍ଦିର ପ୍ରବେଶ ବେଳେ ଏମାନଙ୍କୁ ଜେଟିପି କି ଶ୍ରୀମନ୍ଦିର ସୁରକ୍ଷାରେ ନିୟୋଜିତ ପୋଲିସ୍ ରୋକୁନଥିଲେ କାହିଁକି ? କଣ ମିଲି ଭଗତରେ ଚାଲିଥିଲା କି ଗଳାବାଟରେ ଭକ୍ତଙ୍କୁ ଦର୍ଶନ ନାଁରେ ଲୁଟ୍ ? ଦୀର୍ଘ ଦିନ ଧରି ଚାଲିଥିବା ଏ ବେପାର ଉପରେ ପୁରୀ ପୋଲିସର ପ୍ରହାରକୁ ଯଦିଓ ଭକ୍ତମହଲ ସ୍ବାଗତ କରିଛି, ତେବେ ଏହା ମୂଳପୋଛ ହେବା ଦରକାର ବୋଲି କହିଛନ୍ତି।

ସେପଟେ ବରିଷ୍ଠ ସେବକ  କହଛନ୍ତିି- ଶ୍ରୀମନ୍ଦିରେ ଯାତ୍ରୀ ଗୁମାସ୍ତା ବ୍ୟବସାୟ ଏକ ପରଂପରା। ଦୂରଦୂରାନ୍ତରୁ ଆସୁଥିବା ଭକ୍ତଙ୍କୁ ସେମାନଙ୍କ କୌଳିକ ପଣ୍ଡା ନହେଲେ ଯାତ୍ରୀ ଗୁମାସ୍ତା ସୁବିଧାରେ ଦର୍ଶନ ସାଙ୍ଗକୁ ଭୋଗ କରାଇବାକୁ ମନ୍ଦିରକୁ ନେଇଥାନ୍ତି। ହେଲେ ଏବେ ସେଥିରେ ଘୋର ବ୍ୟତିକ୍ରମ ସୃଷ୍ଟି ହୋଇଛି। ମୁଷ୍ଟିମେୟ ଲୋକ ଏଥିରେ ଅପରାଧିମାନଙ୍କୁ ସାମିଲ କରିଛନ୍ତି। ସେମାନଙ୍କୁ ଚିହ୍ନଟ ସହ କଠୋର ଦଣ୍ଡ ଦିଆଯାଉ, ଶ୍ରୀମନ୍ଦିର ପ୍ରଶାସନ ସବୁ ନିଯୋଗଙ୍କ ସହ ଆଲୋଚନା କରି ନୂଆ ଆଇନ୍ ଆଣୁ।

 ଏବେ ଦେଖିବାର କଥା ୧୨ ନକଲି ଯାତ୍ରୀ ଗୁମାସ୍ତାଙ୍କୁ ପୁରୀ ପୋଲିସ୍ ବାନ୍ଧିବା ପରେ ଆଗକୁ ଦର୍ଶନ ନାଁରେ ଭକ୍ତଙ୍କୁ ଶୋଷଣରେ କେତେ ସୁଧାର ଆସୁଛି।…

ଓଟିଭି ହ୍ଵାଟ୍ସଅପ

Scroll to Top