C

c

ଆଜି ବଲାଙ୍ଗୀର ଟାଉନ ଥାନାରେ ହ୍ୟୁମାନଙ୍କ ଦୁଇ ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଏତଲା ଦେଇଛନ୍ତି ଏକ ନିର୍ଦ୍ଦିଷ୍ଟ ସଂଗଠନର କର୍ମକର୍ତ୍ତା। ଉଭୟଙ୍କ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ।

author-image

HUMAN

HUMAN Photograph: (OTV)

ସାଂଘାତିକ ଅଭିଯୋଗ, ସଂଗୀନ ଆରୋପ । ବିବାଦରେ ହ୍ୟୁମାନ ସାଗରଙ୍କ ମୃତ୍ୟୁ । ଅସୁସ୍ଥ ହ୍ୟୁମାନଙ୍କୁ ଷ୍ଟେଜ୍ ସୋ’ ପାଇଁ କିଏ କରୁଥିଲା ବାଧ୍ୟ ? ହ୍ୟୁମାନଙ୍କ ମ୍ୟାନେଜରଙ୍କ ଆଡ଼କୁ ଉଠିଲା ଆଙ୍ଗୁଠି । କାଠଗଡ଼ାରେ ମ୍ୟାନେଜର ଦୀନେଶ ଓରଫ୍ ପପୁ । ସ୍ବରର ସେହେଜାଦା ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗକୁ ୫ ଦିନ ବିତିଲାଣି। ହେଲେ ବିବାଦ ନିଆଁ ହୁତୁହୁତୁ ହୋଇ ଜଳୁଛି। ନିଇତି ନୂଆ ଖୁଲାସା, ନୂଆ ଅଭିଯୋଗ।

ୟା ଭିତରେ ଆଜି ବଲାଙ୍ଗୀର ଟାଉନ ଥାନାରେ ହ୍ୟୁମାନଙ୍କ ଦୁଇ ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଏତଲା ଦେଇଛନ୍ତି ଏକ ନିର୍ଦ୍ଦିଷ୍ଟ ସଂଗଠନର କର୍ମକର୍ତ୍ତା। ଉଭୟଙ୍କ ବିରୋଧରେ ଆଣିଛନ୍ତି ସଂଗୀନ ଅଭିଯୋଗ। ଏତଲାରେ ଦର୍ଶାଇଛନ୍ତି- ହ୍ୟୁମାନଙ୍କୁ ବିପଦ ମୁହଁକୁ ଠେଲିଦେଇଥିଲେ ତାଙ୍କରି ମ୍ୟାନେଜର୍। ଅସୁସ୍ଥ ଥିବା ସତ୍ତ୍ବେ ଷ୍ଟେଜ୍ ସୋ’ କରିବାକୁ ବାଧ୍ୟ କରାଯାଉଥିଲା। ଟଙ୍କା ପାଇଁ ଜାଣିଶୁଣି ତାଙ୍କ ଜୀବନକୁ ବିପଦରେ ପକାଯାଇଥିଲା। ହ୍ୟୁମାନ ଅସୁସ୍ଥ ଅବସ୍ଥାରେ ଷ୍ଟେଜ୍ ସୋ’ କରୁଥିବା ନେଇ ବିଭିନ୍ନ ଭିଡିଓ ଭାଇରାଲ୍ ହେଉଛି। ମେଡିକାଲରେ ହ୍ୟୁମାନ ଆଡମିଟ୍ ହେବା ଦିନ ମଧ୍ୟ ପ୍ରୋଗ୍ରାମ୍ ରଖାଯାଇଥିଲା । ମେଡିକାଲରେ ଚିକିତ୍ସା କଥା ବୁଝିବା ପରିବର୍ତ୍ତେ ଦୁଇ ମ୍ୟାନେଜର ସାଇଡ୍ ହୋଇଯାଇଥିଲେ। ଅନ୍ୟପଟେ ହ୍ୟୁମାନଙ୍କ ମୃତ୍ୟୁ ପରେ ତାଙ୍କ ମାଆଙ୍କୁ ମ୍ୟାନେଜର ଦୀନେଶ ଯେଉଁଭଳି ଅପଶବ୍ଦ କହି ଦୁର୍ବବ୍ୟହାର କଲେ, ତାହା ତାଙ୍କ ଷଡ଼ଯନ୍ତ୍ରର ଚେହେରା ବୋଲି ଅଭିଯୋଗ ହୋଇଛି। 

ସେପଟେ ମ୍ୟାନେଜର ଦୀନେଶଙ୍କ ନାଁରେ ସଂଗୀନ ଅଭିଯୋଗ ଆଣିଛନ୍ତି ହ୍ୟୁମାନଙ୍କ ଟିମରେ ପୂର୍ବରୁ କାମ କରୁଥିବା ଲିଜା। କହିଛନ୍ତି, ହ୍ୟୁମାନଙ୍କ ଟିମରେ ଦୀନେଶ ଚଳାଇଥିଲେ ମନମାନି। ହ୍ୟୁମାନଙ୍କ ସହିତ କାହାକୁ କଥା ହେବାକୁ ମଧ୍ୟ ଦେଉନଥିଲେ। ମନଇଚ୍ଛା ପ୍ରୋଗ୍ରାମ ସିଡ୍ୟୁଲ୍ କରି ଟିମର ଅନ୍ୟ ସଦସ୍ୟଙ୍କୁ ହଇରାଣ କରୁଥିଲେ। ଏପରିକି ହ୍ୟୁମାନଙ୍କ ଅଜାଣତରେ ତାଙ୍କୁ ମଧ୍ୟ ବାହାର କରିଦେଇଥିଲେ ବୋଲି ଲିଜା ଅଭିଯୋଗ କରିଛନ୍ତି।  

ହ୍ୟୁମାନଙ୍କ ଦେହାନ୍ତ ସଂଗୀତ ଜଗତକୁ ଯେତିକି ସ୍ତବ୍ଧ କରିଦେଇଛି ସେତିକି ଆଶ୍ଚର୍ଯ୍ୟ କରୁଛି ମୃତ୍ୟୁ ବିବାଦ। ସତରେ କଣ ଅସୁସ୍ଥ ଅବସ୍ଥାରେ ହ୍ୟୁମାନଙ୍କୁ ଷ୍ଟେଜ୍ ସୋ ପାଇଁ ବାଧ୍ୟ କରାଯାଉଥିଲା ? ହ୍ୟୁମାନଙ୍କ ଆଢୁଆଳରେ ରହି କେହି ତାଙ୍କୁ ୟୁଜ୍ କରୁଥିଲେ କି ? କଣ ଥିଲା ଦୁଇ ମ୍ୟାନେଜର ଦୀନେଶ ଓ ପ୍ରଶାନ୍ତଙ୍କ ଭୂମିକା ? ହ୍ୟୁମାନ ଅସୁସ୍ଥ ହେବା ପଛରେ ହୋଇନଥିଲା ତ ଷଡ଼ଯନ୍ତ୍ର ? କାହିଁକି ହ୍ୟୁମାନଙ୍କ ମାଆଙ୍କୁ ଦୁର୍ବ୍ୟବହାର କରିଥିଲେ ଦୀନେଶ ?  ଘଟଣାର ଉଚିତ ତଦନ୍ତ କରିବାକୁ ହ୍ୟୁମାନ ପ୍ରଶଂସକ ଦାବି କରୁଥିବାବେଳେ ଏନେଇ ସଂପୃକ୍ତ ମ୍ୟାନେଜରଙ୍କର ପ୍ରତିକ୍ରିୟା ମିଳିପାରିନି । 

Scroll to Top