ଚୀନରେ ଆଇଫୋନ୍-୧୭ର ଚାହିଦା ବୃଦ୍ଧି, ୨୨ ପ୍ରତିଶତ ବଢ଼ିଲା ବିକ୍ରି

ଚୀନରେ-ଆଇଫୋନ୍-୧୭ର-ଚାହିଦା-ବୃଦ୍ଧି,-୨୨-ପ୍ରତିଶତ-ବଢ଼ିଲା-ବିକ୍ରି

ନୂଆଦିଲ୍ଲୀ: ଆପଲର ନୂତନ ଫ୍ଲାଗସିପ୍ ସିରିଜ୍ ଚୀନରେ କମ୍ପାନର ଭାଗ୍ୟକୁ ବଦଳାଇ ଦେଇଥିବା ପରି ମନେ ହେଉଛି। କାଉଣ୍ଟର ପଏଣ୍ଟ ରିସର୍ଚ୍ଚର ଏକ ନୂତନ ରିପୋର୍ଟ ଦର୍ଶାଉଛି ଯେ, ଆଇଫୋନ୍ ୧୭ର ବିକ୍ରୟ ୨୨ ପ୍ରତିଶତ ବୃଦ୍ଧି ପାଇଛି । ସେପ୍ଟେମ୍ବର ୧୯ ପରେ ଚୀନ୍ ଗ୍ରାହକମାନଙ୍କୁ ବିକ୍ରି ହୋଇଥିବା ସମସ୍ତ ଆଇଫୋନ୍ର ପ୍ରାୟ ଚାରି-ପଞ୍ଚମାଂଶ ଆଇଫୋନ୍ ୧୭ ଥିଲା। ଏହା ପୂର୍ବରୁ ଟିମ୍ କୁକ୍ କହିଥିଲେ ଯେ, ଚୀନ୍ରେ ଆଇଫୋନ୍ ବିକ୍ରିକୁ ନେଇ “ବହୁତ ଖୁସି”। ଚୀନରେ ଆଇଫୋନ୍ର କ୍ରେଜ୍ କମିଆସୁଥିବା ସମୟରେ ଆପଲ୍ର ୧୭ ସିରିଜ୍ ପୁଣି ଥରେ ଲୋକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି ।

ଟିମ୍ କୁକ କହିଛନ୍ତି, ‘ଗତ ତ୍ରୈମାସିକରେ ରପ୍ତାନି ପ୍ରତିବନ୍ଧକ ଥିବାରୁ ଚାହିଦା କମିଥିଲା । ସରକାରୀ ଡିସକାଉଣ୍ଟ ଉପରେ ନିର୍ଭର ନକରି ଗ୍ରାହକ ଅଧିକ ଆଇଫୋନ୍ କ୍ରୟ କରିବା ବେଶ ଉତ୍ସାହଜନକ । ଅତ୍ୟଧିକ ଦାମ ଯୋଗୁଁ ଚାହିଦା ହ୍ରାସ ହେଉଛି ବୋଲି ମନେ ହେଉଥିଲା । କିନ୍ତୁ ଏବେ ଚାହିଦା ବୃଦ୍ଧି ହୋଇଛି ।

ରୟଟର୍ସ ରିପୋର୍ଟ ଅନୁସାରେ, ଚୀନରେ ସାମଗ୍ରୀକ ଭାବରେ ସ୍ମାର୍ଟଫୋନ୍ ବଜାର ୨.୭ ପ୍ରତିଶତ ହ୍ରାସ ପାଇଥିବା ବେଳେ ଆପଲ୍ କିନ୍ତୁ ଅଭିବୃଦ୍ଧି ହାସଲ କରିଛି । ଆପଲ ନିଜର ନୂଆ ମଡେଲ (ଆଇଫୋନ୍ ୧୭) ମାଧ୍ୟମରେ ପୁଣି ଥରେ ଚୀନ୍ ବଜାରରେ ଦୃଢ଼ ସ୍ଥିତି ଜାହିର କରିଛି । ଗତ ବର୍ଷ ଆଇଫୋନ୍ ୧୬ ଲଞ୍ଚ ହେବାର ମାସକ ପରେ ବିକ୍ରୟ ୫ ପ୍ରତିଶତ ହ୍ରାସ ପାଇଥିଲା । ହେଲେ ଏବେ ଏହି ଅଭିବୃଦ୍ଧି କମ୍ପାନି ପାଇଁ ଶୁଭ ସଂକେତ ।

ଆଇଫୋନ୍ ୧୭ର ଏଭଳି ଚାହିଦା କମ୍ପାନିକୁ ଆତ୍ମବିଶ୍ବାସ ଦେଇଛି । ମୁସକିଲ ଥିବା ବଜାରରେ କମ୍ପାନିର ଦବଦବା ବଢ଼ିଛି । ପୁଣି ଥରେ ଚୀନ୍ ବଜାରରେ କମ୍ପାନି ନିଜର ସ୍ଥିତି ମଜଭୁତ କରିବାକୁ ଯେଉଁ ପ୍ରୟାସ କରୁଥିଲା ତାହା ସଫଳ ହେଉଥିବା ଦେଖିବାକୁ ମିଳିଛି । ତେବେ କମ୍ପାନିର ଏହି ନୂଆ ସିରିଜ୍ ସଠିକ୍ ସମୟରେ ଆସିଛି ବୋଲି କୁହାଯାଉଛି ।

Scroll to Top