ନବରଙ୍ଗପୁର ୨୯।୧୦: ସର୍ବୋଚ୍ଚ ସ୍ତରରେ ବୃହତ ଇନ୍ଦ୍ରାବତୀ ଜଳଭଣ୍ଡାର । ସାମୁଦ୍ରିକ ଝଡ଼ ବାତ୍ୟା “ମୋନ୍ଥା” ସତ୍ତ୍ୱେ ଗେଟ୍ ଖୋଲିବାକୁ ପ୍ରଶାସନ ପଛଘୁଞ୍ଚା ଦେଉଛି । ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପର ରିପୋର୍ଟ ଅନୁସାରେ ବୁଧବାର ସକାଳ ୬ଟା ସୁଦ୍ଧା ବିପଦ ସଂକେତ ନିକଟତର ଅର୍ଥାତ୍ ୬୪୦.୭୪ ମିଟରରେ ପହଞ୍ଚିଥିଲା ବୃହତ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର । ଯାହାକି ମଙ୍ଗଳବାର ସନ୍ଧ୍ୟା ୬ଟାରେ ୬୪୦. ୭୯ ମିଟର ରହିଥିଲା l ଗତ ୧୨ ଘଣ୍ଟା ମଧ୍ୟରେ ପଏଣ୍ଟ ୫ ପରସେଣ୍ଟ କମିଛି ଜଳସ୍ତର l
ଯେକୌଣସି ମୁହୂର୍ତ୍ତରେ ଜଳଭଣ୍ଡାର ଫାଟକ ଖୋଲିବାକୁ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଡାକବାଜି ଯନ୍ତ୍ର ମଧ୍ୟମରେ ଘୋଷଣା କରାଯାଇଛି । ତେବେ ବୁଧବାର ମଧ୍ୟରାତ୍ର ସୁଦ୍ଧା ଜଳଭଣ୍ଡାର ଜଳପତ୍ତନ ଯଦି ୬୪୧.୩୦ ମିଟର ଅତିକ୍ରମ କରିବ ତେବେ ଜଳଭଣ୍ଡାର ଫାଟକ ଖୋଲିବାକୁ ଇନ୍ଦ୍ରାବତୀ ପ୍ରକଳ୍ପ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ ନରେଶ କୁମାର ପାତ୍ର ସୂଚନା ଦେଇଛନ୍ତି । ମଙ୍ଗଳବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାର ଜଳପତ୍ତନ ୬୪୦.୭୯ ମିଟରରେ ପହଞ୍ଚିଥିଲା l ୭ ବର୍ଷ ତଳେ ଅର୍ଥାତ ୨୦୧୮ ମସିହା ଅଗଷ୍ଟ ୧୬ ତାରିଖରେ ଜଳପତ୍ତନ ୬୪୦ ମିଟର ହୋଇଥିବା ବେଳେ ତତ୍କାଳୀନ ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଓ ତତ୍କାଳୀନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ସାମନ୍ତ ଶେଖର ଧଳସାମନ୍ତଙ୍କ ଉପସ୍ଥିତିରେ ଶେଷ ଥର ପାଇଁ ଇନ୍ଦ୍ରାବତୀ ଜଳଭଣ୍ଡାରର ୫ଟି ଫାଟକ ଓ ମୁରାନ ଜଳଭଣ୍ଡାରର ୨ଟି ଫାଟକ ୧୧ ଦିନ ଧରି ଖୋଲାଯାଇଥିଲା । ତେବେ ଦୀର୍ଘ ୭ ବର୍ଷ ଧରି ଫାଟକ ଖୋଲା ଯାଇନଥିବା ବେଳେ ଇନ୍ଦ୍ରାବତୀ ଜଳଭଣ୍ଡାରର ୭ଟି ଫାଟକ ମଧ୍ୟରୁ ଦୁଇଟି ଫାଟକ ଅଚଳ ହୋଇପଡିଛି । ଆବଶ୍ୟକୀୟ ମରାମତି ଅଭାବରୁ ଇନ୍ଦ୍ରାବତୀ ଓ ମୁରାନ ଜଳଭଣ୍ଡାରର ୧୨ଟି ଫାଟକ ମଧ୍ୟରୁ ୫ଟି ଫାଟକର ପାର୍ଶ୍ଵ ରବର ସିଲ୍ ଫାଙ୍କ ଦେଇ ପର୍ଯ୍ୟାପ୍ତ ଜଳ ନିଷ୍କାସିତ ହେଉଥିବା ଦେଖିବାକୁ ମିଳିଛି l ଏହାପରେ ମଧ୍ୟ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ସମସ୍ତଙ୍କୁ ଚକିତ କରିଛି l ରେଡ଼ିଏଲ ଗେଟ୍ ମୁଣ୍ଡକୁ କିଭଳି ଜଳସ୍ତର ଛୁଇଁକି ରହିଛି ଭିଜୁଆଲରେ ସ୍ପଷ୍ଟ ଦେଖିବାକୁ ମିଳିଛି l ତଥାପି ଡ୍ୟାମ୍ର ପାଣି କେବେ ଛଡ଼ାଯିବ ଏହାର ନିଷ୍ପତି ଉପରିସ୍ଥ ଅଧିକାରୀଙ୍କ ଉପରେ ନିର୍ଭର କରୁଥିବା ଏବଂ କୌଣସି ପରିସ୍ଥିତିରେ ଜଳପତ୍ତନ ୬୪୧.୫୦ ମିଟର ଅତିକ୍ରମ କଲେହିଁ ଫାଟକ ଖୋଲିବାକୁ ପୋଡ଼ାଗଡ ବନ୍ଧ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ନେଲସନ୍ ତାଡିଙ୍ଗ କହିଛନ୍ତି l
ଇନ୍ଦ୍ରାବତୀ ଜଳଭଣ୍ଡାରର ଅବବାହିକା ଅଞ୍ଚଳରେ ମଙ୍ଗଳବାର ହୋଇଥିବା ବର୍ଷା ଯୋଗୁଁ ପାଣି ଜଳଭଣ୍ଡାର ମଧ୍ୟକୁ ଆସିବା ପାଇଁ ସମୟ ଲାଗିବ । ଏହି ବର୍ଷା ପାଣି ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରିବା ପରେ ଜଲସ୍ତରରେ ବୃଦ୍ଧି ଘଟିବ ଏବଂ ଜଳଭଣ୍ଡାରର ଅବବାହିକା ଅଞ୍ଚଳ ମଧ୍ୟରେ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ, କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଓ କଳାହାଣ୍ଡି ଜିଲ୍ଲାର ଥୁଆମୂଳରାମପୁର ବ୍ଲକ ଅଞ୍ଚଳରେ ବର୍ଷା ଲାଗିରହିଥିଲା । ବୁଧବାର ଏହି ଅଞ୍ଚଳଗୁଡିକୁ ରେଡ୍ ଜୋନ୍ ଭାବେ ଘୋଷଣା କରିଛି ପାଣିପାଗ ବିଭାଗ l ଏହିଭଳି କ୍ଷେତ୍ରରେ ହଠାତ୍ ଜଳସ୍ତର ବଢିବାର ସମ୍ଭାବନା ରହିଥିବା ବେଳେ, ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପର ଫାଟକ ଖୋଲିବା ନିଷ୍ପତି ତ୍ରିଷଙ୍କୁ ଅବସ୍ଥାରେ ଅଟକି ରହିଛି l




