ବିହାର ୨୯/୧୦: ନିର୍ବାଚନ ପୂର୍ବରୁ ବିହାର ରାଜନୀତି ସରଗରମ । ମହାମେଣ୍ଟ ପକ୍ଷରୁ ପ୍ରକାଶ ପାଇଛି ନିର୍ବାଚନୀ ଇସ୍ତାହାର । ଯାହାର ନାମ ଦିଆଯାଇଛି ‘ତେଜସ୍ୱୀ ପ୍ରଣ’ । ତେଜସ୍ୱୀ ପ୍ରଣରେ ୨୦ଟି ଶପଥ ରଖିଛନ୍ତି ତେଜସ୍ୱୀ ଯାଦବ । ସେ କହିଛନ୍ତି ଆମେ ସରକାରକୁ ଆସିଲେ ପ୍ରତିଟି ପ୍ରତିଶ୍ରୁତି ପୂରଣ କରିବୁ କହିଲେ ତେଜସ୍ୱୀ । ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦିଆଯିବା ନେଇ ଘୋଷଣା । ଜଣେ ବିହାରୀ ଯେତେବେଳେ ପ୍ରତିଶ୍ରୁତି ଦିଏ, ପୂରଣ କରିବାକୁ ପୂରା ଦମ୍ ଲଗାଇଦିଏ ବୋଲି ସେ କହିଛନ୍ତି ।
ସୂଚନା ଥାଉକି, ଇସ୍ତାହାରର କଭର ପେଜ୍ରେ ତେଜସ୍ୱୀ ଯାଦବଙ୍କ ଫଟୋ ପ୍ରମୁଖତାର ସହ ଛପାଯାଇଛି । ମହାମେଣ୍ଟ ପକ୍ଷରୁ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ଇସ୍ତାହାର ପ୍ରକାଶନ ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଓ ସିପିଆଇ(ଏମ୍ଏଲ୍) ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟ ଏବଂ ଭିଆଇପି ଦଳର ମୁଖ୍ୟ ମୁକେଶ ସହନୀ ଉପସ୍ଥିତ ଥିଲେ ।
ଘୋଷଣାପତ୍ର ଜାରି ହେବା ପରେ ମହାଗଠବନ୍ଧନର ନେତା ତଥା ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ୱୀ ଯାଦବ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି କି, ଏହା ଇଣ୍ଡିଆ ମେଣ୍ଟର ସଂକଳ୍ପପତ୍ର, ପ୍ରତିଟି ସଂକଳ୍ପ ହୃଦୟରୁ ନିଆଯାଇଥିବା ଏକ ପ୍ରଣ । ଆମେ ସରକାରକୁ ଆସିଲେ ପ୍ରତିଟି ପ୍ରତିଶ୍ରୁତି ପୂରଣ କରିବାକୁ ଜୀବନ ବାଜିରେ ଲଗାଇଦେବୁ । ଜଣେ ବିହାରୀ ଯେତେବେଳେ ପ୍ରତିଶ୍ରୁତି ଦିଏ, ସେତେବେଳେ ତାକୁ ପୂରଣ କରିବାକୁ ପୂରା ଦମ୍ ଲଗାଇଦିଏ ।
‘ତେଜସ୍ୱୀ ପ୍ରଣ’ରେ ତେଜସ୍ୱୀଙ୍କ ୨୦ଟି ଶପଥ ରହିଛି । ୨୦ ମାସ ମଧ୍ୟରେ ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦିଆଯିବାର ସବୁଠାରୁ ବଡ ଘୋଷଣା କରାଯାଇଛି । ତେଜସ୍ୱୀ ଲେଖିଛନ୍ତି ଯେ, ଏହି ସରକାରୀ ଚାକିରି ୨୦ ମାସ ମଧ୍ୟରେ ଦିଆଯିବ । ଏଥିପାଇଁ ୨୦ ଦିନ ମଧ୍ୟରେ ଆଇନ ପ୍ରଣୟନ କରାଯିବ ।
ସମସ୍ତ ଜୀବିକା ଦିଦିଙ୍କୁ ସ୍ଥାୟୀ କରାଯିବ ଏବଂ ସରକାରୀ କର୍ମଚାରୀ ମାନ୍ୟତା ଦିଆଯିବ। ତାଙ୍କ ଦରମା ମାସିକ ୩୦ ହଜାର ଟଙ୍କା ଧାର୍ଯ୍ୟ କରାଯିବ। ସେମାନଙ୍କ ଦ୍ୱାରା ନିଆଯାଇଥିବା ଋଣ ଉପରେ ସୁଧ ଛାଡ କରାଯିବ। ଏହାବ୍ୟତୀତ ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ଏବଂ ଆଉଟସୋର୍ସିଂରେ କାମ କରୁଥିବା ସମସ୍ତ ଠିକା କର୍ମଚାରୀଙ୍କୁ ସ୍ଥାୟୀ କରାଯିବ।
ମାଆ-ଭଉଣୀ ସମ୍ମାନ ଯୋଜନା ଅଧିନରେ ଡିସେମ୍ବର ପହିଲାରୁ ମହିଳାମାନଙ୍କୁ ପ୍ରତି ମାସରେ ୨,୫୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯିବ । ପ୍ରତି ପରିବାରକୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦିଆଯିବା ସହ ତ୍ରୁଟିପୂର୍ଣ୍ଣ ସ୍ମାର୍ଟ ମିଟର ସମସ୍ୟାର ସମାଧାନ ହେବ । ଗରିବ ପରିବାରକୁ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ମିଳିବ । ନିଶା ନିୟନ୍ତ୍ରଣ ପାଇଁ କଠୋର ଆଇନ ଆସିବ । ୱାକଫ୍ ସଂଶୋଧନ ବିଧେୟକ ଉପରେ ପ୍ରତିବନ୍ଧକ । ଧାର୍ମିକ ସ୍ଥଳ ଉପରେ ଆକ୍ରମଣ ରୋକିବାକୁ କଠୋର ଆଇନ ପ୍ରଣୟନ ହେବ ।
ଦିବ୍ୟାଙ୍ଗଙ୍କୁ ମାସିକ ୩ ହଜାର ଟଙ୍କାର ଭତ୍ତା ମିଳିବ । ବିଧବା ଓ ବୟସ୍କଙ୍କୁ ମାସିକ ୧୫ ଶହ ଟଙ୍କା ଭତ୍ତା । ଗାଁରେ ରହୁଥିବା ଭୂମିହୀନମାନଙ୍କୁ ମାଗଣାରେ ୫ ଡେସିମିଲ ଜମି ମିଳିବା ସହ ସହରରେ ରହୁଥିବା ଭୂମିହୀନମାନଙ୍କୁ ମାଗଣାରେ ୩ ଡେସିମିଲ ଜମି ଦିଆଯିବ । ମନରେଗାରେ ମଜୁରୀ ୩୦୦ ଟଙ୍କାକୁ ବୃଦ୍ଧି ହେବ । ପୁରୁଣା ପେନସନ ଯୋଜନା ପୁଣି ଲାଗୁ କରାଯିବ । ୨୦୦୦ ଏକର ଜମିରେ ଏଜୁକେଶନାଲ ସିଟି ହେବ ।




